1ଶଲୋମନଙ୍କର ଗୀତ। ହେ ପରମେଶ୍ୱର, ରାଜାଙ୍କୁ ତୁମ୍ଭର ଶାସନ ଓ ରାଜପୁତ୍ରଙ୍କୁ ତୁମ୍ଭର ଧର୍ମ ପ୍ରଦାନ କର।
2ସେ ଧର୍ମରେ ତୁମ୍ଭ ଲୋକମାନଙ୍କର ଓ ନ୍ୟାୟରେ ତୁମ୍ଭ ଦୁଃଖୀ ଲୋକଙ୍କର ବିଚାର କରିବେ।
3ଧର୍ମ ଦ୍ୱାରା ପର୍ବତଗଣ ଓ ଉପପର୍ବତଗଣ ଲୋକମାନଙ୍କର ଶାନ୍ତି ଉତ୍ପନ୍ନ କରିବେ।
4ସେ ଲୋକମାନଙ୍କ ମଧ୍ୟରୁ ଦୁଃଖୀମାନଙ୍କର ବିଚାର କରିବେ, ସେ ଦୀନହୀନମାନଙ୍କର ସନ୍ତାନମାନଙ୍କୁ ଉଦ୍ଧାର କରିବେ ଓ ଉପଦ୍ରବକାରୀକୁ ଚୂର୍ଣ୍ଣ କରିବେ।
5ସୂର୍ଯ୍ୟ ଓ ଚନ୍ଦ୍ର ଥିବାଯାଏ ପୁରୁଷାନୁକ୍ରମେ ଲୋକମାନେ ତୁମ୍ଭଙ୍କୁ ଭୟ କରିବେ।
6କଟାଘାସରେ ବୃଷ୍ଟି ତୁଲ୍ୟ ଓ ଭୂମି-ସେଚନକାରୀ ଜଳଧାରା ତୁଲ୍ୟ ସେ ଓହ୍ଲାଇ ଆସିବେ।
7ତାହାଙ୍କ ସମୟରେ ଧାର୍ମିକମାନେ ବର୍ଦ୍ଧିଷ୍ଣୁ ହେବେ; ପୁଣି, ଚନ୍ଦ୍ର ଲୁପ୍ତ ନୋହିବା ପର୍ଯ୍ୟନ୍ତ ପ୍ରଚୁର ଶାନ୍ତି ହେବ।
8ମଧ୍ୟ ସେ ଏକ ସମୁଦ୍ରଠାରୁ ଅନ୍ୟ ସମୁଦ୍ର ପର୍ଯ୍ୟନ୍ତ ଓ ନଦୀଠାରୁ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ କର୍ତ୍ତୃତ୍ୱ କରିବେ।
9ମରୁଭୂମି-ନିବାସୀ ଲୋକମାନେ ତାହାଙ୍କ ସମ୍ମୁଖରେ ନତ ହେବେ ଓ ତାହାଙ୍କ ଶତ୍ରୁଗଣ ଧୂଳି ଚାଟିବେ।
10ତର୍ଶୀଶର ଓ ଦ୍ୱୀପସମୂହର ରାଜାଗଣ ଦର୍ଶନୀ ଆଣିବେ; ଶିବାର ଓ ସବାର ରାଜାଗଣ ଭେଟୀ ଦାନ କରିବେ।
11ହଁ, ସବୁ ରାଜାମାନେ ତାହାଙ୍କ ଛାମୁରେ ପ୍ରଣାମ କରିବେ; ସବୁ ଗୋଷ୍ଠୀମାନେ ତାହାଙ୍କର ସେବା କରିବେ।
12କାରଣ ସେ ଆର୍ତ୍ତନାଦକାରୀ ଦୀନହୀନକୁ ଓ ଅସହାୟ ଦରିଦ୍ରକୁ ଉଦ୍ଧାର କରିବେ।
13ସେ ଦରିଦ୍ର ଓ ଦୀନହୀନ ପ୍ରତି ଦୟା କରିବେ ଓ ସେ ଦୀନହୀନମାନଙ୍କର ପ୍ରାଣ ଉଦ୍ଧାର କରିବେ।
14ସେ ଉପଦ୍ରବ ଓ ଦୌରାତ୍ମ୍ୟରୁ ସେମାନଙ୍କର ପ୍ରାଣ ମୁକ୍ତ କରିବେ; ପୁଣି, ତାହାଙ୍କ ଦୃଷ୍ଟିରେ ସେମାନଙ୍କ ଜୀବନ ବହୁମୂଲ୍ୟ ହେବ।
15ଆଉ, ସେମାନେ ଜୀବିତ ରହିବେ ଓ ତାହାଙ୍କୁ ଶିବାର ସୁବର୍ଣ୍ଣ ଦତ୍ତ ହେବ; ଲୋକମାନେ ନିରନ୍ତର ତାହାଙ୍କ ପାଇଁ ପ୍ରାର୍ଥନା କରିବେ। ସେମାନେ ସାରାଦିନ ତାହାଙ୍କର ଧନ୍ୟବାଦ କରିବେ।