Text copied!
CopyCompare
ଓଡିଆ ବାଇବେଲ - ଗୀତସଂହିତା - ଗୀତସଂହିତା 18

ଗୀତସଂହିତା 18:28-49

Help us?
Click on verse(s) to share them!
28ଯେଣୁ ତୁମ୍ଭେ ମୋ’ ପ୍ରଦୀପ ଜ୍ୱଳାଇବ; ସଦାପ୍ରଭୁ ମୋ’ ପରମେଶ୍ୱର ମୋ’ ଅନ୍ଧକାରକୁ ଆଲୁଅମୟ କରିବେ।
29କାରଣ ତୁମ୍ଭ ଦ୍ୱାରା ମୁଁ ସୈନ୍ୟଦଳ ଉପରେ ଦୌଡ଼େ ଓ ମୋ’ ପରମେଶ୍ୱରଙ୍କ ଦ୍ୱାରା ମୁଁ ପ୍ରାଚୀର ଡିଏଁ।
30ପରମେଶ୍ୱରଙ୍କ ପଥ ସିଦ୍ଧ; ସଦାପ୍ରଭୁଙ୍କ ବାକ୍ୟ ସୁପରୀକ୍ଷିତ; ସେ ଆପଣା ଶରଣାଗତ ସମସ୍ତଙ୍କର ଢାଲ।
31କାରଣ ସଦାପ୍ରଭୁଙ୍କ ଛଡ଼ା ପରମେଶ୍ୱର କିଏ ? ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଛଡ଼ା ଶୈଳ କିଏ ?
32ସେହି ପରମେଶ୍ୱର ବଳ ଦେଇ ମୋହର କଟି ବାନ୍ଧନ୍ତି ଓ ମୋହର ପଥ ସିଦ୍ଧ କରନ୍ତି।
33ସେ ମୋହର ଚରଣକୁ ହରିଣୀର ଚରଣ ପରି କରନ୍ତି ଓ ମୋତେ ମୋ’ ଉଚ୍ଚସ୍ଥଳୀରେ ସ୍ଥାପନ କରନ୍ତି।
34ସେ ମୋ’ ହସ୍ତକୁ ଯୁଦ୍ଧ କରିବା ପାଇଁ ଶିଖାନ୍ତି; ତେଣୁ ମୋ’ ବାହୁ ପିତ୍ତଳ ଧନୁ ନୁଆଁଏ।
35ତୁମ୍ଭେ ମଧ୍ୟ ଆପଣା ପରିତ୍ରାଣର ଢାଲ ମୋତେ ଦେଇଅଛ; ଆଉ, ତୁମ୍ଭର ଦକ୍ଷିଣ ହସ୍ତ ମୋତେ ଧରି ରଖିଅଛି ଓ ତୁମ୍ଭର ନମ୍ରତା ମୋତେ ବୃଦ୍ଧିପ୍ରାପ୍ତ କରିଅଛି।
36ତୁମ୍ଭେ ମୋ’ ପାଦ ପକାଇବାର ସ୍ଥାନ ପ୍ରଶସ୍ତ କରିଅଛ ଓ ମୋ’ ପାଦ ଖସି ଯାଇ ନାହିଁ।
37ମୁଁ ଆପଣା ଶତ୍ରୁମାନଙ୍କ ପଛେ ଗୋଡ଼ାଇ ସେମାନଙ୍କୁ ଧରିବି; କିଅବା ସେମାନେ ସଂହାରିତ ନୋହିବା ଯାଏ ମୁଁ ଫେରି ଆସିବି ନାହିଁ।
38ମୁଁ ସେମାନଙ୍କୁ ଏପରି ଆଘାତ କରିବି ଯେ, ସେମାନେ ଆଉ ଉଠି ପାରିବେ ନାହିଁ; ସେମାନେ ମୋ’ ପଦ ତଳେ ପତିତ ହେବେ।
39କାରଣ ତୁମ୍ଭେ ବଳ ଦେଇ ଯୁଦ୍ଧାର୍ଥେ ମୋ’ କଟି ବାନ୍ଧିଅଛ; ମୋ’ ବିରୁଦ୍ଧରେ ଯେଉଁମାନେ ଉଠିଲେ, ସେମାନଙ୍କୁ ତୁମ୍ଭେ ମୋହର ବଶୀଭୂତ କରିଅଛ।
40ମଧ୍ୟ ତୁମ୍ଭେ ମୋ’ ଶତ୍ରୁମାନଙ୍କୁ ମୋ’ ନିକଟରୁ ଫେରାଇ ଦେଇଅଛ, ତହିଁରେ ମୁଁ ଆପଣା ଘୃଣାକାରୀମାନଙ୍କୁ ଉଚ୍ଛିନ୍ନ କରିଅଛି।
41ସେମାନେ ଡାକ ପକାଇଲେ, ମାତ୍ର ଉଦ୍ଧାର କରିବାକୁ କେହି ନ ଥିଲା, ସଦାପ୍ରଭୁଙ୍କୁ ହିଁ ଡାକିଲେ, ମାତ୍ର ସେ ସେମାନଙ୍କୁ ଉତ୍ତର ଦେଲେ ନାହିଁ।
42ସେତେବେଳେ ମୁଁ ବାୟୁ ସମ୍ମୁଖସ୍ଥ ଧୂଳି ପରି ସେମାନଙ୍କୁ ଚୂର୍ଣ୍ଣ କଲି; ମୁଁ ସେମାନଙ୍କୁ ବାଟର କାଦୁଅ ପରି ପକାଇଦେଲି।
43ତୁମ୍ଭେ ଲୋକମାନଙ୍କ ବିବାଦରୁ ମୋତେ ଉଦ୍ଧାର କରିଅଛ; ତୁମ୍ଭେ ମୋତେ ଗୋଷ୍ଠୀସମୂହର ମସ୍ତକ ସ୍ୱରୂପ କରିଅଛ; ମୋହର ଅପରିଚିତ ଗୋଷ୍ଠୀ ମୋହର ସେବା କରିବେ।
44ସେମାନେ ମୋର ବିଷୟ ଶୁଣିବା ମାତ୍ରେ ମୋହର ଆଜ୍ଞାବହ ହେବେ; ବିଦେଶୀୟମାନେ ଆପଣାମାନଙ୍କୁ ମୋହର ବଶୀଭୂତ କରିବେ।
45ବିଦେଶୀୟମାନେ ମ୍ଳାନ ହୋଇଯିବେ ଓ ଆପଣାମାନଙ୍କ ଗୁପ୍ତସ୍ଥାନରୁ ଥରହର ହୋଇ ବାହାରି ଆସିବେ।
46ସଦାପ୍ରଭୁ ଜୀବିତ; ମୋହର ଶୈଳ ଧନ୍ୟ ହେଉନ୍ତୁ ଓ ମୋହର ପରିତ୍ରାଣ ସ୍ୱରୂପ ପରମେଶ୍ୱର ଉନ୍ନତ ହେଉନ୍ତୁ।
47ସେହି ପରମେଶ୍ୱର ମୋ’ ପକ୍ଷରେ ପରିଶୋଧ ନିଅନ୍ତି ଓ ଗୋଷ୍ଠୀୟମାନଙ୍କୁ ମୋହର ବଶୀଭୂତ କରନ୍ତି।
48ସେ ମୋ’ ଶତ୍ରୁଗଣଠାରୁ ମୋତେ ରକ୍ଷା କରନ୍ତି; ହଁ, ତୁମ୍ଭେ ମୋ’ ବିରୁଦ୍ଧରେ ଉତ୍‍ଥିତ ଲୋକମାନଙ୍କ ଉପରେ ମୋତେ ଉଚ୍ଚୀକୃତ କରୁଅଛ; ତୁମ୍ଭେ ଉପଦ୍ରବୀ ଲୋକଠାରୁ ମୋତେ ଉଦ୍ଧାର କରୁଅଛ।
49ଏହେତୁ, ହେ ସଦାପ୍ରଭୁ, ମୁଁ ଗୋଷ୍ଠୀୟମାନଙ୍କ ମଧ୍ୟରେ ତୁମ୍ଭର ଧନ୍ୟବାଦ କରିବି ଓ ତୁମ୍ଭ ନାମର ପ୍ରଶଂସା ଗାନ କରିବି।

Read ଗୀତସଂହିତା 18ଗୀତସଂହିତା 18
Compare ଗୀତସଂହିତା 18:28-49ଗୀତସଂହିତା 18:28-49