37ସେ କଥା କହୁଥିବା ସମୟରେ ଜଣେ ଫାରୂଶୀ ତାହାଙ୍କୁ ଦିନବେଳେ ଆପଣା ଗୃହରେ ଭୋଜନ କରିବାକୁ ନିମନ୍ତ୍ରଣ କଲେ, ଆଉ ସେ ଗୃହରେ ପ୍ରବେଶ କରି ଭୋଜନରେ ବସିଲେ ।
38କିନ୍ତୁ ଭୋଜନ କରିବା ପୂର୍ବେ ସେ ଯେ ପ୍ରଥମେ ଧୋଇ ନ ଥିଲେ, ଏହା ଦେଖି ସେହି ଫାରୂଶୀ ଚମତ୍କୃତ ହେଲେ ।
39ସେଥିରେ ପ୍ରଭୁ ତାହାଙ୍କୁ କହିଲେ, ତୁମ୍ଭେ ଫାରୂଶୀଯାକ ସିନା ଗିନା ଓ ଥାଳୀର ବାହାର ପରିଷ୍କାର କରୁଥାଅ, ମାତ୍ର ତୁମ୍ଭମାନଙ୍କ ଭିତରେ ଲୋଭ ଓ ଦୁଷ୍ଟତାରେ ପରିପୂର୍ଣ୍ଣ ।
40ହେ ନିର୍ବୋଧମାନେ, ଯେ ବାହାର ସୃଷ୍ଟି କଲେ, ସେ କି ଭିତର ମଧ୍ୟ ସୃଷ୍ଟି କଲେ ନାହିଁ ?
41ବରଂ ଭିତରେ ଯାହା ଯାହା ଅଛି, ସେହି ସବୁ ଦାନ କର; ଆଉ ଦେଖ, ତୁମ୍ଭମାନଙ୍କ ପକ୍ଷରେ ସମସ୍ତ ପରିଷ୍କୃତ ।
42କିନ୍ତୁ ହାୟ, ଦଣ୍ଡର ପାତ୍ର ଫାରୂଶୀମାନେ, କାରଣ ତୁମ୍ଭେମାନେ ପୋଦିନା, ଆରୁଦ ଓ ସମସ୍ତ ପ୍ରକାର ଶାକର ଦଶମାଂଶ ଦେଉଥାଅ, ଆଉ ନ୍ୟାୟବିଚାର ଓ ଈଶ୍ୱରଙ୍କ ପ୍ରେମ ଅବହେଳା କରୁଥାଅ; କିନ୍ତୁ ଏହି ସମସ୍ତ ପାଳନ କରିବା ଓ ଅନ୍ୟସବୁ ଅବହେଳା ନ କରିବା ଉଚିତ ।
43ହାୟ, ଦଣ୍ଡର ପାତ୍ର ଫାରୂଶୀମାନେ, କାରଣ ତୁମ୍ଭେମାନେ ସମାଜଗୃହରେ ପ୍ରଧାନ ଆସନ ଓ ହାଟବଜାରରେ ନମସ୍କାର ପାଇବାକୁ ଭଲ ପାଅ ।
44ହାୟ, ତୁମ୍ଭେମାନେ ଦଣ୍ଡର ପାତ୍ର, କାରଣ ତୁମ୍ଭେମାନେ ଦେଖାଯାଉ ନ ଥିବା କବର ତୁଲ୍ୟ; ତାହା ଉପରେ ଚାଲୁଥିବା ଲୋକମାନେ ତାହା ସମାଧି ବୋଲି ଜାଣନ୍ତି ନାହିଁ ।
45ଏଥିରେ ମୋଶାଙ୍କ ବ୍ୟବସ୍ଥା ଶାସ୍ତ୍ରଜ୍ଞମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ ଉତ୍ତର ଦେଲେ, ହେ ଗୁରୁ, ଏହା କହି ଆପଣ ଆମ୍ଭମାନଙ୍କୁ ମଧ୍ୟ ଅପମାନ କରୁଅଛନ୍ତି ।
46ସେ କହିଲେ, ହାୟ, ମୋଶାଙ୍କ ବ୍ୟବସ୍ଥା ଶାସ୍ତ୍ରଜ୍ଞ ଯେ ତୁମ୍ଭେମାନେ, ତୁମ୍ଭେମାନେ ମଧ୍ୟ ଦଣ୍ଡର ପାତ୍ର, କାରଣ ତୁମ୍ଭେମାନେ ମନୁଷ୍ୟମାନଙ୍କ ଉପରେ ଦୁର୍ବହ ଭାର ଲଦୁଥାଅ ଏବଂ ନିଜେ ଗୋଟିଏ ଆଙ୍ଗୁଳି ଦେଇ ତାହା ସ୍ପର୍ଶ କରୁ ନ ଥାଅ ।
47ହାୟ, ତୁମ୍ଭେମାନେ ଦଣ୍ଡର ପାତ୍ର, କାରଣ ତୁମ୍ଭେମାନେ ଭାବବାଦୀମାନଙ୍କର କବର ତିଆରି କରୁଥାଅ, କିନ୍ତୁ ତୁମ୍ଭମାନଙ୍କ ପିତୃପୁରୁଷମାନେ ସେମାନଙ୍କୁ ବଧ କରିଥିଲେ ।
48ଅତଏବ ତୁମ୍ଭମାନଙ୍କ ପିତୃପୁରୁଷଙ୍କ କର୍ମ ବିଷୟରେ ତୁମ୍ଭେମାନେ ସାକ୍ଷୀ ଅଟ ଓ ତାହା ଅନୁମୋଦନ କରୁଅଛ; କାରଣ ସେମାନେ ସିନା ସେମାନଙ୍କୁ ବଧ କରିଥିଲେ, କିନ୍ତୁ ତୁମ୍ଭେମାନେ ସେମାନଙ୍କର କବର ସ୍ତମ୍ଭ ତିଆରି କରୁଥାଅ ।