Text copied!
CopyCompare
ଓଡିଆ ବାଇବେଲ - ଲୂକ - ଲୂକ 11

ଲୂକ 11:24-44

Help us?
Click on verse(s) to share them!
24ଅଶୁଚି ଆତ୍ମା ଜଣେ ମନୁଷ୍ୟଠାରୁ ବାହାରିଯିବା ପରେ ବିଶ୍ରାମ କରିବା ପାଇଁ ଜଳ ନ ଥିବା ସ୍ଥାନ ସବୁ ଭ୍ରମଣ କରି ଖୋଜେ, ଆଉ ତାହା ନ ପାଇ କହେ, ମୁଁ ଯେଉଁ ଘରୁ ବାହାରିଆସିଥିଲି, ମୋହର ସେହି ଘରକୁ ଫେରିଯିବି;
25ପୁଣି, ସେ ଆସି ତାହା ପରିଷ୍କାର ହୋଇଥିବା ଦେଖେ ।
26ସେତେବେଳେ ସେ ଯାଇ ଆପଣାଠାରୁ ଅଧିକ ଦୁଷ୍ଟ ଆଉ ସାତୋଟି ଆତ୍ମା ସାଙ୍ଗରେ ନେଇ ଆସେ, ପୁଣି, ସେମାନେ ପ୍ରବେଶ କରି ସେଠାରେ ବାସ କରନ୍ତି, ଆଉ ସେହି ଲୋକର ପ୍ରଥମ ଦଶା ଅପେକ୍ଷା ଶେଷ ଦଶା ଅଧିକ ମନ୍ଦ ହୁଏ ।
27ସେ ଏହି ସମସ୍ତ କଥା କହୁଥିବା ସମୟରେ ଲୋକସମୂହ ମଧ୍ୟରେ ଜଣେ ସ୍ତ୍ରୀଲୋକ ଉଚ୍ଚସ୍ୱରରେ କହିଲେ, ଧନ୍ୟ ସେହି ଗର୍ଭ, ଯାହା ତୁମ୍ଭକୁ ଧାରଣ କଲା ଓ ସେହି ସ୍ତନ, ଯହିଁରୁ ତୁମ୍ଭେ ପାନ କଲ ।
28ମାତ୍ର ସେ କହିଲେ, ନା, ବରଂ ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ଶୁଣନ୍ତି ଓ ପାଳନ କରନ୍ତି, ସେହିମାନେ ଧନ୍ୟ ।
29ଲୋକମାନେ ଦଳ ଦଳ ହୋଇ ତାହାଙ୍କ ନିକଟରେ ଏକାଠି ହେଉଥିବା ସମୟରେ ସେ କହିବାକୁ ଲାଗିଲେ, ଏହି କାଳର ଲୋକମାନେ ଦୁଷ୍ଟ; ଏମାନେ ଚିହ୍ନ ଖୋଜନ୍ତି, ମାତ୍ର ଯୂନସଙ୍କ ଚିହ୍ନ ବିନା ଅନ୍ୟ କୌଣସି ଚିହ୍ନ ସେମାନଙ୍କୁ ଦିଆଯିବ ନାହିଁ ।
30କାରଣ ଯୂନସ ଯେପରି ନୀନିବୀୟମାନଙ୍କ ପ୍ରତି ଚିହ୍ନ ଭଳି ହେଲେ, ମନୁଷ୍ୟପୁତ୍ର ମଧ୍ୟ ସେହିପରି ଏହି ଯୁଗର ଲୋକମାନଙ୍କ ପ୍ରତି ହେବେ ।
31ଦକ୍ଷିଣ ଦେଶର ରାଣୀ ବିଚାରରେ ଏହି ଯୁଗର ଲୋକମାନଙ୍କୁ ଦୋଷୀ କରିବେ, କାରଣ ସେ ଶଲୋମନଙ୍କ ଜ୍ଞାନର କଥା ଶୁଣିବାକୁ ପୃଥିବୀର ପ୍ରାନ୍ତରୁ ଆସିଥିଲେ; ଆଉ ଦେଖ, ଶଲୋମନଙ୍କ ଅପେକ୍ଷା ମହତ ବିଷୟ ଏ ସ୍ଥାନରେ ଅଛି ।
32ନୀନିବୀର ଲୋକମାନେ ବିଚାରରେ ଏହି ଯୁଗର ଲୋକମାନଙ୍କ ସହିତ ଉଠି ସେମାନଙ୍କୁ ଦୋଷୀ କରିବେ, କାରଣ ସେମାନେ ଯୂନସଙ୍କ ପ୍ରଚାରରେ ମନ ପରିବର୍ତ୍ତନ କରିଥିଲେ; ଆଉ ଦେଖ, ଯୂନସଙ୍କ ଅପେକ୍ଷା ମହତ ବିଷୟ ଏ ସ୍ଥାନରେ ଅଛି ।
33କେହି ଦୀପ ଜାଳି ଗୁପ୍ତ କୋଠରୀରେ କିମ୍ବା ମାଣ ତଳେ ରଖେ ନାହିଁ, ମାତ୍ର ଦୀପରୁଖା ଉପରେ ରଖେ, ଯେପରି ଭିତରେ ପ୍ରବେଶ କରିବା ଲୋକମାନେ ଆଲୋକ ଦେଖି ପାରନ୍ତି ।
34ତୁମ୍ଭର ଚକ୍ଷୁ ଶରୀରର ପ୍ରଦୀପ । ଯେତେବେଳେ ତୁମ୍ଭର ଚକ୍ଷୁ ନିର୍ମଳ ଥାଏ, ସେତେବେଳେ ତୁମ୍ଭର ସମସ୍ତ ଶରୀର ମଧ୍ୟ ଆଲୋକମୟ ହୁଏ; କିନ୍ତୁ ଯେତେବେଳେ ତାହା ଦୂଷିତ ଥାଏ, ସେତେବେଳେ ତୁମ୍ଭର ଶରୀର ମଧ୍ୟ ଅନ୍ଧକାରମୟ ହୁଏ ।
35ଅତଏବ ସାବଧାନ, ଯେପରି ତୁମ୍ଭ ଅନ୍ତରରେ ଥିବା ଆଲୋକ ଅନ୍ଧାର ନ ହୁଏ ।
36ଏଣୁ ଯଦି ତୁମ୍ଭର ସମସ୍ତ ଶରୀର ଆଲୋକମୟ ହୁଏ ଓ ସେଥିର କୌଣସି ଅଂଶ ଅନ୍ଧକାରମୟ ନ ଥାଏ, ତାହାହେଲେ ପ୍ରଦୀପ ଯେପରି ତୁମ୍ଭକୁ ଉଜ୍ଜ୍ୱଳ ଆଲୋକରେ ଆଲୋକିତ କରେ, ସେହିପରି ତୁମ୍ଭର ସମସ୍ତ ଶରୀର ଆଲୋକମୟ ହେବ ।
37ସେ କଥା କହୁଥିବା ସମୟରେ ଜଣେ ଫାରୂଶୀ ତାହାଙ୍କୁ ଦିନବେଳେ ଆପଣା ଗୃହରେ ଭୋଜନ କରିବାକୁ ନିମନ୍ତ୍ରଣ କଲେ, ଆଉ ସେ ଗୃହରେ ପ୍ରବେଶ କରି ଭୋଜନରେ ବସିଲେ ।
38କିନ୍ତୁ ଭୋଜନ କରିବା ପୂର୍ବେ ସେ ଯେ ପ୍ରଥମେ ଧୋଇ ନ ଥିଲେ, ଏହା ଦେଖି ସେହି ଫାରୂଶୀ ଚମତ୍କୃତ ହେଲେ ।
39ସେଥିରେ ପ୍ରଭୁ ତାହାଙ୍କୁ କହିଲେ, ତୁମ୍ଭେ ଫାରୂଶୀଯାକ ସିନା ଗିନା ଓ ଥାଳୀର ବାହାର ପରିଷ୍କାର କରୁଥାଅ, ମାତ୍ର ତୁମ୍ଭମାନଙ୍କ ଭିତରେ ଲୋଭ ଓ ଦୁଷ୍ଟତାରେ ପରିପୂର୍ଣ୍ଣ ।
40ହେ ନିର୍ବୋଧମାନେ, ଯେ ବାହାର ସୃଷ୍ଟି କଲେ, ସେ କି ଭିତର ମଧ୍ୟ ସୃଷ୍ଟି କଲେ ନାହିଁ ?
41ବରଂ ଭିତରେ ଯାହା ଯାହା ଅଛି, ସେହି ସବୁ ଦାନ କର; ଆଉ ଦେଖ, ତୁମ୍ଭମାନଙ୍କ ପକ୍ଷରେ ସମସ୍ତ ପରିଷ୍କୃତ ।
42କିନ୍ତୁ ହାୟ, ଦଣ୍ଡର ପାତ୍ର ଫାରୂଶୀମାନେ, କାରଣ ତୁମ୍ଭେମାନେ ପୋଦିନା, ଆରୁଦ ଓ ସମସ୍ତ ପ୍ରକାର ଶାକର ଦଶମାଂଶ ଦେଉଥାଅ, ଆଉ ନ୍ୟାୟବିଚାର ଓ ଈଶ୍ୱରଙ୍କ ପ୍ରେମ ଅବହେଳା କରୁଥାଅ; କିନ୍ତୁ ଏହି ସମସ୍ତ ପାଳନ କରିବା ଓ ଅନ୍ୟସବୁ ଅବହେଳା ନ କରିବା ଉଚିତ ।
43ହାୟ, ଦଣ୍ଡର ପାତ୍ର ଫାରୂଶୀମାନେ, କାରଣ ତୁମ୍ଭେମାନେ ସମାଜଗୃହରେ ପ୍ରଧାନ ଆସନ ଓ ହାଟବଜାରରେ ନମସ୍କାର ପାଇବାକୁ ଭଲ ପାଅ ।
44ହାୟ, ତୁମ୍ଭେମାନେ ଦଣ୍ଡର ପାତ୍ର, କାରଣ ତୁମ୍ଭେମାନେ ଦେଖାଯାଉ ନ ଥିବା କବର ତୁଲ୍ୟ; ତାହା ଉପରେ ଚାଲୁଥିବା ଲୋକମାନେ ତାହା ସମାଧି ବୋଲି ଜାଣନ୍ତି ନାହିଁ ।

Read ଲୂକ 11ଲୂକ 11
Compare ଲୂକ 11:24-44ଲୂକ 11:24-44