Text copied!
CopyCompare
ଓଡିଆ ବାଇବେଲ - ମାର୍କ - ମାର୍କ 9

ମାର୍କ 9:5-27

Help us?
Click on verse(s) to share them!
5ସେଥିରେ ପିତର ଯୀଶୁଙ୍କୁ ଉତ୍ତର ଦେଲେ, ହେ ଗୁରୁ, ଆମ୍ଭେମାନେ ଯେ ଏ ସ୍ଥାନରେ ଅଛୁ, ଏହା ଉତ୍ତମ; ଆମ୍ଭେମାନେ ତିନୋଟି କୁଟୀର ନିର୍ମାଣ କରୁ, ଆପଣଙ୍କ ପାଇଁ ଗୋଟିଏ ମୋଶାଙ୍କ ପାଇଁ ଗୋଟିଏ ଓ ଏଲିୟଙ୍କ ପାଇଁ ଗୋଟିଏ ।
6କାରଣ ଯୀଶୁ କି ଉତ୍ତର ଦେବେ ବୋଲି ଜାଣି ନ ଥିଲେ, ଯେଣୁ ସେମାନେ ଅତ୍ୟନ୍ତ ଭୀତ ହୋଇଥିଲେ ।
7ପୁଣି, ଖଣ୍ଡେ ମେଘ ଆସି ସେମାନଙ୍କୁ ଆଚ୍ଛାଦନ କଲା, ଆଉ ସେହି ମେଘରୁ ଏହି ବାଣୀ ହେଲା, ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କ ବାକ୍ୟ ଶ୍ରବଣ କର ।
8ପୁଣି, ହଠାତ୍ ସେମାନେ ଚାରିଆଡ଼େ ଚାହିଁ ସେମାନଙ୍କ ସାଙ୍ଗରେ କେବଳ ଯୀଶୁଙ୍କ ବିନା ଆଉ କାହାରିକି ଦେଖିଲେ ନାହିଁ ।
9ସେମାନେ ପର୍ବତରୁ ଓହ୍ଲାଇବା ସମୟରେ ସେ ସେମାନଙ୍କୁ ଦୃଢ଼ ଆଜ୍ଞା ଦେଇ କହିଲେ, ତୁମ୍ଭେମାନେ ଯାହା ଯାହା ଦେଖିଅଛ, ସେହି ସବୁ ମୃତମାନଙ୍କ ମଧ୍ୟରୁ ମନୁଷ୍ୟପୁତ୍ରଙ୍କ ପୁନରୁତ୍ଥାନ ନ ହେବା ପର୍ଯ୍ୟନ୍ତ କାହାରିକୁ କୁହ ନାହିଁ ।
10ସେଥିରେ ସେମାନେ ସେହି କଥା ଧରି ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ଯେ କଅଣ, ସେ ବିଷୟରେ ଆପଣା ଆପଣା ମଧ୍ୟରେ ବାଦାନୁବାଦ କରିବାକୁ ଲାଗିଲେ ।
11ଆଉ, ସେମାନେ ତାହାଙ୍କୁ ପଚାରିଲେ, ପ୍ରଥମରେ ଅବଶ୍ୟ ଏଲିୟଙ୍କର ଆଗମନ ହେବ, ଶାସ୍ତ୍ରୀମାନେ ଏହି କଥା କିପରି କହନ୍ତି ?
12ସେଥିରେ ସେ ସେମାନଙ୍କୁ କହିଲେ, ଏଲିୟ ପ୍ରଥମେ ଆସି ସମସ୍ତ ବିଷୟ ପୁନଃସ୍ଥାପନ କରିବା କଥା ସତ, ମାତ୍ର ମନୁଷ୍ୟପୁତ୍ର ବହୁ ଦୁଃଖଭୋଗ କରି ତୁଚ୍ଛୀକୃତ ହେବେ, ଏହା କିପରି ତାହାଙ୍କ ବିଷୟରେ ଲେଖା ଅଛି ?
13କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଏଲିୟ ଆସି ସାରିଲେଣି, ଆଉ ତାହାଙ୍କ ବିଷୟରେ ଯେପରି ଲେଖା ଅଛି, ତଦନୁସାରେ ମଧ୍ୟ ସେମାନେ ତାହାଙ୍କ ପ୍ରତି ଯାହା ଇଚ୍ଛା, ତାହା କରିଅଛନ୍ତି ।
14ପରେ ସେମାନେ ଶିଷ୍ୟମାନଙ୍କ ନିକଟକୁ ଆସି ଦେଖିଲେ, ସେମାନଙ୍କ ଚତୁର୍ଦ୍ଦିଗରେ ବହୁସଂଖ୍ୟକ ଲୋକ, ଆଉ ଶାସ୍ତ୍ରୀମାନେ ସେମାନଙ୍କ ସହିତ ବାଦାନୁବାଦ କରୁଅଛନ୍ତି ।
15ଲୋକସମୂହ ଯୀଶୁଙ୍କୁ ଦେଖିବା ମାତ୍ରେ ଅତିଶୟ ବିସ୍ମୟାନ୍ୱିତ ହେଲେ ଓ ଦୌଡ଼ିଆସି ତାହାଙ୍କୁ ନମସ୍କାର କରିବାକୁ ଲାଗିଲେ ।
16ସେଥିରେ ସେ ସେମାନଙ୍କୁ ପଚାରିଲେ, ତୁମ୍ଭେମାନେ ସେମାନଙ୍କ ସହିତ କଅଣ ବାଦାନୁବାଦ କରୁଅଛ ?
17ଲୋକସମୂହ ମଧ୍ୟରୁ ଜଣେ ତାହାଙ୍କୁ ଉତ୍ତର ଦେଲା, ହେ ଗୁରୁ, ମୁଁ ମୋର ପୁଅକୁ ଆପଣଙ୍କ ନିକଟକୁ ଆଣିଥିଲି; ତାହାକୁ ଗୋଟିଏ ଘୁଙ୍ଗା ଭୂତ ଲାଗିଛି;
18ଯେକୌଣସି ସ୍ଥାନରେ ସେ ତାହାକୁ ଧରେ, ତାହାକୁ ତଳେ ପକାଇଦିଏ ତାହାର ମୁହଁରୁ ଫେଣ ବାହାରେ ଓ ସେ ଦାନ୍ତ ରଗଡ଼େ, ଆଉ ସେ ଶୁଖିଯାଉଅଛି; ତାହାକୁ ଛଡ଼ାଇବା ନିମନ୍ତେ ମୁଁ ଆପଣଙ୍କ ଶିଷ୍ୟମାନଙ୍କୁ କହିଥିଲି, କିନ୍ତୁ ସେମାନେ ପାରିଲେ ନାହିଁ ।
19ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ଆରେ ଅବିଶ୍ୱାସୀ ବଂଶ, କେତେ କାଳ ମୁଁ ତୁମ୍ଭମାନଙ୍କ ସାଙ୍ଗରେ ରହିବି ? କେତେ କାଳ ତୁମ୍ଭମାନଙ୍କ ବ୍ୟବହାର ସହିବି ? ତାହାକୁ ମୋ' ପାଖକୁ ଆଣ ।
20ସେଥିରେ ସେମାନେ ତାହାକୁ ତାହାଙ୍କ ଛାମୁକୁ ଆଣିଲେ । ପୁଣି, ଯୀଶୁଙ୍କୁ ଦେଖିବା ମାତ୍ରେ ସେହି ଭୂତ ତାହାକୁ ଭୟଙ୍କର ଭାବେ ମୋଡ଼ିପକାଇଲା ଓ ସେ ଭୂଇଁରେ ପଡ଼ି ମୁହଁରୁ ଫେଣ ବାହାର କରି ଗଡ଼ିବାକୁ ଲାଗିଲା ।
21ସେତେବେଳେ ଯୀଶୁ ତାହାର ପିତାକୁ ପଚାରିଲେ, କେତେ ଦିନ ହେଲା ଏହାକୁ ଏପରି ହୋଇଅଛି ? ସେ କହିଲା, ପିଲାକାଳରୁ;
22ସେ ତାହାକୁ ମାରିପକାଇବା ପାଇଁ ଥରକୁଥର ନିଆଁ ଓ ପାଣିରେ ପକାଇଅଛି; କିନ୍ତୁ ଆପଣ ଯଦି କିଛି କରି ପାରନ୍ତି, ତାହାହେଲେ ଆମ୍ଭମାନଙ୍କ ପ୍ରତି ଦୟା କରି ଆମ୍ଭମାନଙ୍କର ଉପକାର କରନ୍ତୁ ।
23ସେଥିରେ ଯୀଶୁ ତାହାକୁ କହିଲେ, କ'ଣ କହିଲ ? ଯଦି କରି ପାରନ୍ତି ! ଯିଏ ବିଶ୍ୱାସ କରେ, ତା' ପକ୍ଷରେ ସମସ୍ତ ସମ୍ଭବ ।
24ସେହିକ୍ଷଣି ପିଲାଟିର ପିତା ଉଚ୍ଚସ୍ୱରରେ କହିଲା, ମୁଁ ବିଶ୍ୱାସ କରୁଅଛି, ମୋହର ଅବିଶ୍ୱାସର ପ୍ରତିକାର କରନ୍ତୁ ।
25ପରେ ଲୋକସମୂହ ଏକତ୍ର ଦୌଡ଼ିଆସୁଅଛନ୍ତି ଦେଖି ଯୀଶୁ ସେହି ଅଶୁଚି ଆତ୍ମାକୁ ଧମକ ଦେଇ କହିଲେ, ରେ ମୂକ ଓ ବଧିର ଆତ୍ମା, ମୁଁ ତୋତେ ଆଜ୍ଞା ଦେଉଅଛି, ଏହାଠାରୁ ବାହାରିଯା, ପୁଣି, ଆଉ କେବେ ହେଁ ଏହାଠାରେ ପଶିବୁ ନାହିଁ ।
26ସେଥିରେ ସେ ଚିତ୍କାର କରି ତାହାକୁ ଅତ୍ୟନ୍ତ ମୋଡ଼ିପକାଇ ବାହାରିଗଲା, ଆଉ ପିଲାଟି ମଲା ପରି ହୋଇଗଲା, ଏପରିକି ଅଧିକାଂଶ କହିଲେ, ସେ ମରିଗଲା ।
27କିନ୍ତୁ ଯୀଶୁ ତାହାର ହାତ ଧରି ତାହାକୁ ଉଠାଇଲେ, ଆଉ ସେ ଠିଆ ହେଲା ।

Read ମାର୍କ 9ମାର୍କ 9
Compare ମାର୍କ 9:5-27ମାର୍କ 9:5-27