13ଏଥି ମଧ୍ୟରେ ଦେଖ, ଜଣେ ଭବିଷ୍ୟଦ୍ବକ୍ତା ଇସ୍ରାଏଲର ରାଜା ଆହାବଙ୍କ ନିକଟକୁ ଆସି କହିଲେ, “ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ କି ଏହି ସମସ୍ତ ମହାଜନତା ଦେଖିଅଛ ? ଦେଖ, ଆମ୍ଭେ ଆଜି ତାହା ତୁମ୍ଭ ହସ୍ତରେ ସମର୍ପଣ କରିବା, ଆଉ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେ ଜ୍ଞାତ ହେବ।”
14ତହିଁରେ ଆହାବ ପଚାରିଲେ, “କାହା ଦ୍ୱାରା ?” ସେ କହିଲେ, ସଦାପ୍ରଭୁ ଏହି କଥା କହନ୍ତି; ପ୍ରଦେଶର ଅଧିପତିମାନଙ୍କ ଯୁବା ଲୋକଙ୍କ ଦ୍ୱାରା। ତେବେ ସେ ପଚାରିଲେ, “କିଏ ଯୁଦ୍ଧ ଆରମ୍ଭ କରିବ ?” ତହିଁରେ ସେ ଉତ୍ତର କଲେ, “ତୁମ୍ଭେ।”
15ତହୁଁ ସେ ପ୍ରଦେଶର ଅଧିପତିମାନଙ୍କ ଯୁବା ଲୋକଙ୍କୁ ଗଣନା କଲେ, ସେମାନେ ଦୁଇଶହ ବତିଶ ଜଣ ହେଲେ, ପୁଣି, ସେମାନଙ୍କ ଉତ୍ତାରେ ସମୁଦାୟ ଲୋକଙ୍କୁ, ଅର୍ଥାତ୍, ସମଗ୍ର ଇସ୍ରାଏଲ-ସନ୍ତାନଙ୍କୁ ଗଣନା କରନ୍ତେ, ସାତ ସହସ୍ର ଜଣ ହେଲେ।
16ଏଉତ୍ତାରେ ସେମାନେ ମଧ୍ୟାହ୍ନ କାଳରେ ବାହାରିଲେ। ମାତ୍ର ବିନ୍ହଦଦ୍ ଓ ତାହାର ସାହାଯ୍ୟକାରୀ ବତିଶ ଜଣ ରାଜା କୁଟୀରରେ ପାନ କରି ମତ୍ତ ହେଉଥିଲେ।
17ଏହି ସମୟରେ ପ୍ରଦେଶର ଅଧିପତିମାନଙ୍କ ଯୁବା ଲୋକେ ପ୍ରଥମେ ବାହାରିଲେ; ତହିଁରେ ବିନ୍ହଦଦ୍ ଲୋକ ପଠାନ୍ତେ, ସେମାନେ ତାହାକୁ ସମ୍ବାଦ ଦେଇ କହିଲେ, “ଶମରୀୟାରୁ ଲୋକେ ଆସିଅଛନ୍ତି।”
18ତହୁଁ ସେ କହିଲା, “ସେମାନେ ସନ୍ଧି ପାଇଁ ଆସିଥିଲେ, ସେମାନଙ୍କୁ ଜୀବିତ ଧର, ପୁଣି, ଯୁଦ୍ଧ ପାଇଁ ଆସିଥିଲେ ମଧ୍ୟ ସେମାନଙ୍କୁ ଜୀବିତ ଧର।”
19ଏଥି ମଧ୍ୟରେ ପ୍ରଦେଶର ଅଧିପତିମାନଙ୍କ ସେହି ଯୁବାମାନେ ଓ ସେମାନଙ୍କ ପଶ୍ଚାତ୍ଗାମୀ ସୈନ୍ୟଦଳ ନଗରରୁ ବାହାରିଲେ।
20ପୁଣି, ସେମାନେ ପ୍ରତ୍ୟେକେ ଆପଣା ଆପଣା ପ୍ରତିଯୋଦ୍ଧାକୁ ବଧ କଲେ; ତହିଁରେ ଅରାମୀୟମାନେ ପଳାଇଲେ ଓ ଇସ୍ରାଏଲ ସେମାନଙ୍କ ପଛେ ପଛେ ଗୋଡ଼ାଇଲେ; ପୁଣି, ଅରାମର ରାଜା ବିନ୍ହଦଦ୍ ଅଶ୍ୱାରୋହୀମାନଙ୍କ ସହିତ ଏକ ଅଶ୍ୱ ଆରୋହଣ କରି ରକ୍ଷା ପାଇଲା।
21ଏଥିରେ ଇସ୍ରାଏଲର ରାଜା ବାହାରକୁ ଯାଇ ଅଶ୍ୱ ଓ ରଥସକଳ ଆଘାତ କଲେ ଓ ଅରାମୀୟମାନଙ୍କୁ ମହାସଂହାରରେ ବଧ କଲେ।
22ଏଉତ୍ତାରେ ସେହି ଭବିଷ୍ୟଦ୍ବକ୍ତା ଇସ୍ରାଏଲର ରାଜାଙ୍କ ନିକଟକୁ ଆସି ତାଙ୍କୁ କହିଲେ, “ଯାଅ, ଆପଣାକୁ ସବଳ କର ଓ ଯାହା କରୁଅଛ, ତାହା ବିଚାର କରି ଦେଖ; କାରଣ ଆସନ୍ତା ବର୍ଷ ଅରାମର ରାଜା ପୁନର୍ବାର ତୁମ୍ଭ ବିରୁଦ୍ଧରେ ଆସିବ।”
23ଏଥିଉତ୍ତାରେ ଅରାମ-ରାଜାର ଦାସମାନେ ତାହାକୁ କହିଲେ, “ସେମାନଙ୍କ ଦେବତା ପର୍ବତଗଣର ଦେବତା ଅଟନ୍ତି; ଏଥିପାଇଁ ସେମାନେ ଆମ୍ଭମାନଙ୍କ ଅପେକ୍ଷା ବଳବାନ ହେଲେ; ମାତ୍ର ଆମ୍ଭେମାନେ ଯଦି ପଦାରେ ସେମାନଙ୍କ ସଙ୍ଗେ ଯୁଦ୍ଧ କରୁ, ତେବେ ଆମ୍ଭେମାନେ ସେମାନଙ୍କ ଅପେକ୍ଷା ନିଶ୍ଚୟ ଅଧିକ ବଳବାନ ହେବା।
24ଏଣୁ ଏହି କାର୍ଯ୍ୟ କରନ୍ତୁ; ରାଜାମାନଙ୍କର ପ୍ରତିଜଣକୁ ଆପଣା ଆପଣା ସ୍ଥାନରୁ କାଢ଼ି ଦେଉନ୍ତୁ ଓ ସେମାନଙ୍କ ସ୍ଥାନରେ ସେନାପତିମାନଙ୍କୁ ରଖନ୍ତୁ;