18ସେତେବେଳେ ସେମାନେ ରାଜାଙ୍କର ପରିବାରବର୍ଗଙ୍କୁ ପାର କରିବା ପାଇଁ ଓ ତାଙ୍କ ଦୃଷ୍ଟିରେ ଯାହା ଭଲ ଦିଶେ ତାହା କଲେ। ଏଣୁ ରାଜା ଯର୍ଦ୍ଦନ ପାର ହେବା ସମୟରେ ଗେରାର ପୁତ୍ର ଶିମୀୟି ରାଜାଙ୍କ ସମ୍ମୁଖରେ ମୁହଁ ମାଡ଼ି ପଡ଼ିଲା।
19ଆଉ ଶିମୀୟି ରାଜାଙ୍କୁ କହିଲା, “ମୋ’ ପ୍ରଭୁ, ମୋହର ଅପରାଧ ଗଣନା ନ କରନ୍ତୁ, ଅବା ମୋ’ ପ୍ରଭୁ ମହାରାଜ ଯିରୂଶାଲମରୁ ବାହାରି ଯିବା ଦିନ ଆପଣଙ୍କ ଦାସ ଅବାଧ୍ୟତାପୂର୍ବକ ଯାହା କରିଅଛି, ତାହା ଆପଣ ସ୍ମରଣ ନ କରନ୍ତୁ, ମହାରାଜ ତାହା ଆପଣା ମନକୁ ନ ନେଉନ୍ତୁ।
20କାରଣ ଆପଣଙ୍କ ଦାସ ମୁଁ ଯେ ପାପ କରିଅଛି, ଏହା ଜାଣେ; ଏହେତୁ ଦେଖନ୍ତୁ, ଯୋଷେଫର ସମୁଦାୟ ବଂଶ ମଧ୍ୟରେ ପ୍ରଥମେ ମୁଁ ଆଜି ମୋ’ ପ୍ରଭୁ ମହାରାଜାଙ୍କୁ ସାକ୍ଷାତ କରିବା ପାଇଁ ଆସିଲି।”
21ମାତ୍ର ସରୁୟାର ପୁତ୍ର ଅବୀଶୟ ଉତ୍ତର କରି କହିଲା, “ଶିମୀୟି ସଦାପ୍ରଭୁଙ୍କ ଅଭିଷିକ୍ତଙ୍କୁ ଶାପ ଦେଇଅଛି, ଏହି କାରଣରୁ କି ତାହାର ପ୍ରାଣଦଣ୍ଡ ହେବ ନାହିଁ ?”
22ଏଥିରେ ଦାଉଦ କହିଲେ, “ହେ ସରୁୟାର ପୁତ୍ରଗଣ, ତୁମ୍ଭମାନଙ୍କ ସହିତ ଆମ୍ଭର ବିଷୟ କ’ଣ ଯେ, ତୁମ୍ଭେମାନେ ଆଜି ମୋର ବିପକ୍ଷ ହେଉଅଛ ? ଆଜି ଇସ୍ରାଏଲ ମଧ୍ୟରେ କ’ଣ କାହାରି ପ୍ରାଣଦଣ୍ଡ ହେବ ? ଆଜି ମୁଁ ଇସ୍ରାଏଲ ଉପରେ ରାଜା ଅଟେ, ଏହା କ’ଣ ମୁଁ ଜାଣୁ ନାହିଁ ?”
23ତହୁଁ ରାଜା ଶିମୀୟିଙ୍କୁ କହିଲେ, “ତୁମ୍ଭେ ମରିବ ନାହିଁ।” ପୁଣି ରାଜା ତାହା ନିକଟରେ ଶପଥ କଲେ।
24ଏଉତ୍ତାରେ ଶାଉଲଙ୍କ ପୌତ୍ର ମଫୀବୋଶତ୍ ରାଜାଙ୍କୁ ସାକ୍ଷାତ କରିବା ପାଇଁ ଆସିଲା; ଆଉ ରାଜା ପ୍ରସ୍ଥାନ କରିବା ଦିନଠାରୁ କୁଶଳରେ ଗୃହକୁ ଆସିବା ଦିନ ପର୍ଯ୍ୟନ୍ତ ମଫୀବୋଶତ୍ ଆପଣା ପାଦ ପରିଷ୍କାର କରି ନ ଥିଲା, କି ଦାଢ଼ି କ୍ଷୌର ହୋଇ ନ ଥିଲା, କିଅବା ଆପଣା ବସ୍ତ୍ର ଧୌତ କରି ନ ଥିଲା।
25ପୁଣି ସେ ରାଜାଙ୍କୁ ଭେଟିବା ପାଇଁ ଯିରୂଶାଲମକୁ ଆସନ୍ତେ, ରାଜା ତାହାକୁ କହିଲେ, “ମଫୀବୋଶତ୍, ତୁମ୍ଭେ କାହିଁକି ମୋ’ ସଙ୍ଗରେ ଗଲ ନାହିଁ ?”
26ତହିଁରେ ସେ ଉତ୍ତର କଲା, “ହେ ମୋହର ପ୍ରଭୁ, ମହାରାଜ, ଆପଣଙ୍କ ଦାସ ତ ଛୋଟା, ଗର୍ଦ୍ଦଭ ସଜାଇ ତାହା ଉପରେ ଚଢ଼ି ମହାରାଜଙ୍କ ନିକଟକୁ ଯିବା ପାଇଁ ମୋହର ମନସ୍ଥ ଥିଲା, ମାତ୍ର ମୋହର ଦାସ ମୋତେ ପ୍ରବଞ୍ଚନା କଲା।
27ଆହୁରି ମୋହର ପ୍ରଭୁ ମହାରାଜଙ୍କ ନିକଟରେ ସେ ଆପଣଙ୍କ ଏହି ଦାସର ଅପମାନ କରିଅଛି; ମାତ୍ର ମୋହର ପ୍ରଭୁ ମହାରାଜ ପରମେଶ୍ୱରଙ୍କ ଦୂତ ତୁଲ୍ୟ; ଏଣୁ ଆପଣଙ୍କ ଦୃଷ୍ଟିରେ ଯାହା ଭଲ, ତାହା କରନ୍ତୁ।
28ମୋହର ପ୍ରଭୁ ମହାରାଜଙ୍କ ସାକ୍ଷାତରେ ମୋ’ ପିତୃବଂଶ ସମସ୍ତେ ନିତାନ୍ତ ମୃତ୍ୟୁର ଯୋଗ୍ୟ ଥିଲେ; ତଥାପି ଆପଣ ଆପଣଙ୍କର ଏହି ଦାସକୁ ନିଜ ମେଜରେ ଭୋଜନକାରୀ ଲୋକମାନଙ୍କ ସଙ୍ଗରେ ସ୍ଥାନ ଦେଲେ। ଏହେତୁ ଏବେ ମହାରାଜଙ୍କ ନିକଟରେ ଆଉ କ୍ରନ୍ଦନ କରିବା ପାଇଁ ମୋହର କେଉଁ ଅଧିକାର ଅଛି ?”
29ତହିଁରେ ରାଜା ତାହାକୁ କହିଲେ, “ତୁମ୍ଭେ ଆପଣା ବିଷୟ ଆଉ କାହିଁକି କହୁଅଛ ? ମୁଁ କହୁଅଛି, ତୁମ୍ଭେ ଓ ସୀବଃ ସେହି ଭୂମି ବାଣ୍ଟି ନିଅ।”
30ତହୁଁ ମଫୀବୋଶତ୍ ରାଜାଙ୍କୁ କହିଲା, “ହେଉ, ମୋହର ପ୍ରଭୁ ମହାରାଜ ତ କୁଶଳରେ ଆପଣା ଗୃହକୁ ଆସିଲେଣି, ତେବେ ସେ ସବୁ ନେଉ।”
31ଏଉତ୍ତାରେ ଗିଲୀୟଦୀୟ ବର୍ସିଲ୍ଲୟ ରୋଗଲୀମରୁ ଆସିଲା ଓ ସେ ରାଜାଙ୍କୁ ଯର୍ଦ୍ଦନ ନଦୀ ପାର କରାଇ ନେବା ପାଇଁ ତାଙ୍କ ସଙ୍ଗେ ଯର୍ଦ୍ଦନକୁ ପାର ହୋଇଗଲା।
32ସେହି ବର୍ସିଲ୍ଲୟ ଅଶୀ ବର୍ଷ ବୟସ୍କ ଅତି ବୃଦ୍ଧ ଲୋକ ଥିଲା; ଆଉ ସେ ଅତି ଧନୀ ଲୋକ ଥିବାରୁ ରାଜା ମହନୟିମରେ ଥିବା ବେଳେ ତାଙ୍କୁ ଖାଦ୍ୟସାମଗ୍ରୀ ଯୋଗାଇଥିଲା।
33ପୁଣି ରାଜା ବର୍ସିଲ୍ଲୟକୁ କହିଲେ, “ତୁମ୍ଭେ ମୋ’ ସଙ୍ଗେ ପାର ହୋଇ ଆସ, ମୁଁ ତୁମ୍ଭକୁ ଯିରୂଶାଲମରେ ଆପଣା ସଙ୍ଗେ ପ୍ରତିପାଳନ କରିବି।”
34ଏଥିରେ ବର୍ସିଲ୍ଲୟ ରାଜାଙ୍କୁ କହିଲା, “ମୋହର ପରମାୟୁ ବର୍ଷର ଆଉ କେତେ ଦିନ ଅଛି ଯେ, ମୁଁ ମହାରାଜଙ୍କ ସଙ୍ଗେ ଯିରୂଶାଲମକୁ ଯିବି ?
35ଆଜି ମୁଁ ଅଶୀ ବର୍ଷ ବୟସ୍କ; ମୁଁ କ’ଣ ଭଲ ଓ ମନ୍ଦର ପ୍ରଭେଦ କରିପାରେ ? ଆପଣଙ୍କ ଦାସ ମୁଁ ଯାହା ଭୋଜନ କି ପାନ କରେ, କ’ଣ ତହିଁର ଆସ୍ୱାଦ ପାଇ ପାରେ ? ମୁଁ କି ଗାୟକ ଓ ଗାୟିକାମାନଙ୍କ ସ୍ୱର ଆଉ ଶୁଣି ପାରେ ? ତେବେ କାହିଁକି ଆପଣଙ୍କ ଦାସ ମୋହର ସ୍ୱାମୀ ମହାରାଜଙ୍କ ପ୍ରତି ଭାର ସ୍ୱରୂପ ହେବ ?
36ଆପଣଙ୍କ ଦାସ କେବଳ ଯର୍ଦ୍ଦନ ପାର ହୋଇ ମହାରାଜଙ୍କ ସଙ୍ଗେ ଯିବ; ଆଉ ମହାରାଜ ତହିଁ ପାଇଁ କାହିଁକି ମୋତେ ଏପରି ପୁରସ୍କାର ଦେବେ ?
37ମୁଁ ଯେପରି ନିଜ ନଗରରେ ମୋର ପିତା ଓ ମୋ’ ମାତାଙ୍କ କବର ନିକଟରେ ମରିବି, ଏଥିପାଇଁ ଆପଣଙ୍କ ଏହି ଦାସକୁ ଫେରିଯିବାକୁ ଅନୁମତି ଦେଉନ୍ତୁ। ମାତ୍ର ଆପଣଙ୍କ ଦାସ କିମ୍ହମ୍କୁ ଦେଖନ୍ତୁ; ସେ ମୋହର ପ୍ରଭୁ ମହାରାଜଙ୍କ ସଙ୍ଗେ ପାର ହୋଇଯାଉ, ଆଉ ଆପଣଙ୍କ ଦୃଷ୍ଟିରେ ଯାହା ଭଲ ଦିଶେ, ତାହା ପ୍ରତି ତାହା କରନ୍ତୁ।”