2ତୁମ୍ଭ ଧର୍ମଗୁଣରେ ମୋତେ ଉଦ୍ଧାର କରି ରକ୍ଷା କର; ମୋ’ ପ୍ରତି ଆପଣା କର୍ଣ୍ଣ ଡେରି ମୋତେ ତ୍ରାଣ କର।
3ଯେଉଁଠାକୁ ମୁଁ ନିତ୍ୟ ଯାଇପାରେ, ତୁମ୍ଭେ ମୋ’ ପ୍ରତି ସେରୂପ ବସତିର ଶୈଳ ସ୍ୱରୂପ ହୁଅ; ତୁମ୍ଭେ ମୋତେ ପରିତ୍ରାଣ କରିବା ପାଇଁ ଆଜ୍ଞା ଦେଇଅଛ; କାରଣ ତୁମ୍ଭେ ମୋହର ଶୈଳ ଓ ମୋହର ଦୁର୍ଗ।
4ହେ ମୋହର ପରମେଶ୍ୱର, ଦୁଷ୍ଟଲୋକ ହସ୍ତରୁ, ଅନ୍ୟାୟକାରୀ ଓ ନିର୍ଦ୍ଦୟ ଲୋକ ହସ୍ତରୁ ମୋତେ ରକ୍ଷା କର।
5କାରଣ ହେ ପ୍ରଭୁ, ସଦାପ୍ରଭୁ, ତୁମ୍ଭେ ହିଁ ମୋହର ଭରସା; ମୋ’ ବାଲ୍ୟକାଳରୁ ତୁମ୍ଭେ ମୋହର ବିଶ୍ୱାସଭୂମି।
6ଗର୍ଭରୁ ତୁମ୍ଭ ଉପରେ ମୋହର ଭାର ଅଛି; ମାତାର ଉଦରରୁ ତୁମ୍ଭେ ହିଁ ମୋତେ ନେଇଅଛ; ତୁମ୍ଭ ବିଷୟରେ ନିତ୍ୟ ମୋହର ପ୍ରଶଂସା ହେବ।
7ମୁଁ ଅନେକଙ୍କ ପ୍ରତି ଆଶ୍ଚର୍ଯ୍ୟ ବିଷୟ ସ୍ୱରୂପ; ମାତ୍ର ତୁମ୍ଭେ ମୋହର ଦୃଢ଼ ଆଶ୍ରୟ।
8ମୋହର ମୁଖ ତୁମ୍ଭ ପ୍ରଶଂସାରେ ଓ ସାରାଦିନ ତୁମ୍ଭ ଗୌରବ ବର୍ଣ୍ଣନାରେ ପରିପୂର୍ଣ୍ଣ ହେବ।
9ବୃଦ୍ଧାବସ୍ଥାରେ ମୋତେ ପରିତ୍ୟାଗ କର ନାହିଁ; ମୋହର ବଳ କ୍ଷୀଣ ହେବା ସମୟରେ ମୋତେ ଛାଡ଼ ନାହିଁ।