32ତୁମ୍ଭେ ମୋହର ହୃଦୟ ପ୍ରଶସ୍ତ କରିବା ବେଳେ ମୁଁ ତୁମ୍ଭ ଆଜ୍ଞା-ପଥରେ ଧାବମାନ ହେବି।
33ହେ। ହେ ସଦାପ୍ରଭୁ, ତୁମ୍ଭର ବିଧିରୂପ ପଥ ମୋତେ ଶିଖାଅ; ତହିଁରେ ମୁଁ ଶେଷ ପର୍ଯ୍ୟନ୍ତ ତାହା ପାଳନ କରିବି।
34ମୋତେ ବୁଦ୍ଧି ପ୍ରଦାନ କର, ତହିଁରେ ମୁଁ ତୁମ୍ଭର ବ୍ୟବସ୍ଥା ମାନିବି; ଆହୁରି, ମୁଁ ଆପଣା ସର୍ବାନ୍ତଃକରଣରେ ତାହା ପାଳନ କରିବି।
35ତୁମ୍ଭ ଆଜ୍ଞା-ପଥରେ ମୋତେ ଗମନ କରାଅ; କାରଣ ତହିଁରେ ମୁଁ ଆନନ୍ଦ କରେ।
36ଲୋଭ ପ୍ରତି ନୁହେଁ, ମାତ୍ର ତୁମ୍ଭ ପ୍ରମାଣ-ବାକ୍ୟ ପ୍ରତି ମୋ’ ଚିତ୍ତର ସ୍ନେହ ଜନ୍ମାଅ।
37ଅସାର ଦର୍ଶନରୁ ମୋହର ଚକ୍ଷୁ ଫେରାଅ ଓ ତୁମ୍ଭ ପଥରେ ମୋତେ ସଚେତ କର।
38ତୁମ୍ଭ ଦାସ ପକ୍ଷରେ ତୁମ୍ଭର ବାକ୍ୟ ସ୍ଥିର କର, ତାହା ତୁମ୍ଭ ବିଷୟକ ଭୟ-ସଂଯୁକ୍ତ।
39ମୋହର ଭୟଜନକ ନିନ୍ଦା ଦୂର କର; କାରଣ ତୁମ୍ଭର ଶାସନସକଳ ଉତ୍ତମ।
40ଦେଖ, ମୁଁ ତୁମ୍ଭ ବିଧାନସକଳର ଆକାଂକ୍ଷା କରିଅଛି; ତୁମ୍ଭ ଧର୍ମରେ ମୋତେ ସଚେତ କର।
41ବୌ। ହେ ସଦାପ୍ରଭୁ, ତୁମ୍ଭ ଦୟା, ଅର୍ଥାତ୍, ତୁମ୍ଭ ବାକ୍ୟାନୁସାରେ ତୁମ୍ଭ ପରିତ୍ରାଣ ମୋ’ ପ୍ରତି ବର୍ତ୍ତୁ।
42ତହିଁରେ ମୁଁ ଆପଣା ନିନ୍ଦକକୁ ଉତ୍ତର ଦେବି; କାରଣ ମୁଁ ତୁମ୍ଭ ବାକ୍ୟରେ ନିର୍ଭର ରଖେ।
43ପୁଣି, ମୋ’ ମୁଖରୁ ସତ୍ୟତାର ବାକ୍ୟ କଦାପି ନିଅ ନାହିଁ; କାରଣ ମୁଁ ତୁମ୍ଭ ଶାସନରେ ଭରସା ରଖିଅଛି।
44ତହିଁରେ ମୁଁ ଅନନ୍ତକାଳ ପର୍ଯ୍ୟନ୍ତ ନିରନ୍ତର ତୁମ୍ଭର ବ୍ୟବସ୍ଥା ପାଳନ କରିବି।
45ଆଉ, ମୁଁ ସ୍ୱଚ୍ଛନ୍ଦରେ ଗମନାଗମନ କରିବି; କାରଣ ମୁଁ ତୁମ୍ଭର ବିଧାନସବୁ ଖୋଜିଅଛି।
46ଆହୁରି, ମୁଁ ରାଜାମାନଙ୍କ ସାକ୍ଷାତରେ ତୁମ୍ଭର ପ୍ରମାଣ-ବାକ୍ୟ ବିଷୟ କହିବି ଓ ଲଜ୍ଜିତ ନୋହିବି।
47ପୁଣି, ମୁଁ ତୁମ୍ଭର ଯେଉଁ ଆଜ୍ଞାସମୂହ ସ୍ନେହ କରିଅଛି, ତହିଁରେ ଆପଣାକୁ ଆନନ୍ଦିତ କରିବି।
48ଆହୁରି, ମୁଁ ତୁମ୍ଭର ଯେଉଁ ଆଜ୍ଞାସମୂହ ସ୍ନେହ କରିଅଛି, ତହିଁ ନିକଟରେ କୃତାଞ୍ଜଳି ହେବି; ପୁଣି, ମୁଁ ତୁମ୍ଭର ବିଧିସବୁ ଧ୍ୟାନ କରିବି।
49ସୟିନ୍। ତୁମ୍ଭେ ମୋତେ ଭରସାଯୁକ୍ତ କରିଅଛ, ଏଣୁ ତୁମ୍ଭେ ଆପଣା ଦାସ ପକ୍ଷରେ ବାକ୍ୟ ସ୍ମରଣ କର।
50ଦୁଃଖ ସମୟରେ ଏହା ହିଁ ମୋହର ସାନ୍ତ୍ୱନା; କାରଣ ତୁମ୍ଭର ବାକ୍ୟ ମୋତେ ସଚେତ କରିଅଛି।
51ଅହଙ୍କାରୀମାନେ ମୋତେ ଅତିଶୟ ପରିହାସ କରିଅଛନ୍ତି, ତଥାପି ମୁଁ ତୁମ୍ଭ ବ୍ୟବସ୍ଥାରୁ ବିମୁଖ ହୋଇ ନାହିଁ।
52ହେ ସଦାପ୍ରଭୁ, ମୁଁ ପୂର୍ବକାଳୀନ ତୁମ୍ଭ ଶାସନସବୁ ସ୍ମରଣ କରି ଆପଣାକୁ ସାନ୍ତ୍ୱନାଯୁକ୍ତ କରିଅଛି।
53ଦୁଷ୍ଟମାନେ ତୁମ୍ଭ ବ୍ୟବସ୍ଥା ପରିତ୍ୟାଗ କରିବାରୁ ପ୍ରଚଣ୍ଡ କ୍ରୋଧ ମୋତେ ଆକ୍ରମଣ କରିଅଛି।