11ତଥାପି ପ୍ରଭୁଙ୍କଠାରେ ପୁରୁଷଠାରୁ ସ୍ତ୍ରୀ ସ୍ୱତନ୍ତ୍ର ନୁହେଁ କିମ୍ବା ସ୍ତ୍ରୀଠାରୁ ପୁରୁଷ ସ୍ୱତନ୍ତ୍ର ନୁହେଁ । କାରଣ ସ୍ତ୍ରୀ ଯେପରି ପୁରୁଷଠାରୁ ଉତ୍ପନ୍ନ,
12ପୁରୁଷ ମଧ୍ୟ ସେହିପରି ସ୍ତ୍ରୀ ଦ୍ୱାରା ଉତ୍ପନ୍ନ କିନ୍ତୁ ସମସ୍ତ ବିଷୟ ଈଶ୍ୱରଙ୍କଠାରୁ ଉତ୍ପନ୍ନ ।
13ତୁମ୍ଭେମାନେ ନିଜେ ନିଜେ ବିଚାର କର, ମସ୍ତକ ଆଚ୍ଛାଦନ ନ କରି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବା ସ୍ତ୍ରୀ ପକ୍ଷରେ କ'ଣ ଉପଯୁକ୍ତ ?
14ପ୍ରକୃତି ନିଜେ କି ତୁମ୍ଭମାନଙ୍କୁ ଶିକ୍ଷା ଦିଏ ନାହିଁ ଯେ, ପୁରୁଷ ଦୀର୍ଘ କେଶ ରଖିଲେ ତାହା ପକ୍ଷରେ ତାହା ଅପମାନଜନକ,
15କିନ୍ତୁ ସ୍ତ୍ରୀ ଦୀର୍ଘ କେଶ ରଖିଲେ ତାହା ପକ୍ଷରେ ତାହା ଗୌରବଜନକ ? କାରଣ ଆବରଣ ସ୍ୱରୂପେ ତା'ର କେଶ ତାହାକୁ ଦିଆଯାଇଅଛି ।
16କିନ୍ତୁ କେହି ବିବାଦ କରିବାକୁ ଇଚ୍ଛା କଲେ ସେ ଜାଣୁ ଯେ, ଆମ୍ଭମାନଙ୍କର ଏପ୍ରକାର ରୀତି ନାହିଁ, କିମ୍ବା ଈଶ୍ୱରଙ୍କ ମଣ୍ଡଳୀସମୂହର ନାହିଁ ।
17କିନ୍ତୁ ତୁମ୍ଭମାନଙ୍କର ସମାଗମ ଯେ ହିତକର ନ ହୋଇ ବରଂ ଅହିତକର ହେଉଅଛି, ଏଥିରେ ମୁଁ ତୁମ୍ଭମାନଙ୍କର ପ୍ରଶଂସା କରି ନ ପାରି ଏହି ଆଦେଶ ଦେଉଅଛି ।
18କାରଣ ପ୍ରଥମରେ ମୁଁ ଶୁଣୁଅଛି ଯେ, ମଣ୍ଡଳୀ ସ୍ୱରୂପେ ତୁମ୍ଭମାନଙ୍କର ସମାଗମ ସମୟରେ ତୁମ୍ଭମାନଙ୍କ ମଧ୍ୟରେ ଦଳଭେଦ ଘଟିଥାଏ, ଆଉ ମୁଁ କେତେ ପରିମାଣରେ ଏହା ବିଶ୍ୱାସ କରୁଅଛି ।
19ଯେପରି ତୁମ୍ଭମାନଙ୍କ ମଧ୍ୟରେ ପରୀକ୍ଷାସିଦ୍ଧ ଲୋକମାନେ ପ୍ରକାଶିତ ହୁଅନ୍ତି, ଏଥିପାଇଁ ତୁମ୍ଭମାନଙ୍କ ମଧ୍ୟରେ ତ ଦଳଭେଦ ନିଶ୍ଚୟ ଘଟିବ ।
20ତୁମ୍ଭମାନଙ୍କର ସମାଗମ ହେବା ସମୟରେ ତୁମ୍ଭେମାନେ ପ୍ରଭୁଭୋଜ ପାଳନ କରି ନ ଥାଅ;
21କାରଣ ଭୋଜନ ସମୟରେ ପ୍ରତ୍ୟେକ ଜଣ ଅନ୍ୟର ଅପେକ୍ଷା ନ କରି ଆପଣା ଆହାର ଭୋଜନ କରେ, ସେଥିପାଇଁ ଜଣେ କ୍ଷୁଧାରେ ରହେ ଓ ଅନ୍ୟ ଜଣେ ମାତାଲ ହୁଏ ।
22କ'ଣ ? ତୁମ୍ଭମାନଙ୍କର କି ଭୋଜନପାନ କରିବା ନିମନ୍ତେ ଘର ନାହିଁ ? କିମ୍ବା ତୁମ୍ଭେମାନେ କ'ଣ ଈଶ୍ୱରଙ୍କ ମଣ୍ଡଳୀକୁ ଅବଜ୍ଞା କରୁଅଛ, ପୁଣି, ଯେଉଁମାନଙ୍କର ନାହିଁ, ସେମାନଙ୍କୁ ଲଜ୍ଜା ଦେଉଅଛ ? ମୁଁ ତୁମ୍ଭମାନଙ୍କୁ କ'ଣ କହିବି ? କ'ଣ ତୁମ୍ଭମାନଙ୍କର ପ୍ରଶଂସା କରିବି ? ଏବିଷୟରେ ମୁଁ ତୁମ୍ଭମାନଙ୍କର ପ୍ରଶଂସା କରୁ ନାହିଁ ।
23କାରଣ ମୁଁ ପ୍ରଭୁଙ୍କଠାରୁ ପ୍ରାପ୍ତ ଯେଉଁ ଶିକ୍ଷା ତୁମ୍ଭମାନଙ୍କୁ ପ୍ରଦାନ କରିଅଛି, ତାହା ଏହି, ଶତ୍ରୁ ହସ୍ତରେ ସମର୍ପିତ ହେବା ରାତ୍ରିରେ ପ୍ରଭୁ ଯୀଶୁ ରୁଟି ଘେନି ଧନ୍ୟବାଦ ଦେଇ ତାହା ଭାଙ୍ଗି କହିଲେ,
24ଏହା ତୁମ୍ଭମାନଙ୍କ ନିମନ୍ତେ ମୋହର ଶରୀର; ମୋତେ ସ୍ମରଣ କରିବା ନିମନ୍ତେ ଏହା କର ।