Text copied!
CopyCompare
ଓଡିଆ ବାଇବେଲ - କରିନ୍ଥୀୟ

କରିନ୍ଥୀୟ 6

Help us?
Click on verse(s) to share them!
1ତୁମ୍ଭମାନଙ୍କ ମଧ୍ୟରୁ କାହାରି ଅନ୍ୟ ଜଣକ ବିରୁଦ୍ଧରେ କଥା ଥିଲେ ସେ କି ବିଚାର ନିମନ୍ତେ ସାଧୁମାନଙ୍କ ନିକଟକୁ ନ ଯାଇ ଅଧାର୍ମିକମାନଙ୍କ ନିକଟକୁ ଯିବା ପାଇଁ ସାହସ କରେ ?
2ଅବା ସାଧୁମାନେ ଯେ ଜଗତର ବିଚାର କରିବେ, ଏକଥା କି ତୁମ୍ଭେମାନେ ଜାଣ ନାହିଁ ? ଆଉ ଯଦି ଜଗତ ତୁମ୍ଭମାନଙ୍କ ଦ୍ୱାରା ବିଚାରିତ ହୁଏ, ତେବେ ତୁମ୍ଭେମାନେ କି ସାମାନ୍ୟ ସାମାନ୍ୟ ବିଷୟ ବିଚାର କରିବାକୁ ଅଯୋଗ୍ୟ ?
3ଆମ୍ଭେମାନେ ଯେ ଦୂତମାନଙ୍କର ବିଚାର କରିବା, ଏହା କି ତୁମ୍ଭେମାନେ ଜାଣ ନାହିଁ ?
4ତେବେ ଐହିକ ଜୀବନର କଥା ବା କ'ଣ ? ଅତଏବ, ଯଦି ବିଚାର ନିମନ୍ତେ ତୁମ୍ଭମାନଙ୍କର ଐହିକ ଜୀବନ ସମ୍ବନ୍ଧୀୟ କୌଣସି ବିଷୟ ଥାଏ, ତେବେ ମଣ୍ଡଳୀରେ ଯେଉଁମାନେ ନଗଣ୍ୟ, ସେମାନଙ୍କୁ କ'ଣ ବିଚାର କରିବା ନିମନ୍ତେ ନିଯୁକ୍ତ କର ?
5ମୁଁ ତୁମ୍ଭମାନଙ୍କୁ ଲଜ୍ଜା ଦେବା ପାଇଁ ଏହା କହୁଅଛି । ଭାଇ ଭାଇ ମଧ୍ୟରେ ମୀମାଂସା କରିବାକୁ ସମର୍ଥ, ଏପରି କ'ଣ ଜଣେ ବୋଲି ଜ୍ଞାନୀ ଲୋକ ପ୍ରକୃତରେ ତୁମ୍ଭମାନଙ୍କ ମଧ୍ୟରେ ନାହିଁ ?
6ମାତ୍ର ଜଣେ ବିଶ୍ବାସୀ ଅନ୍ୟ ବିଶ୍ବାସୀ ବିରୁଦ୍ଧରେ ବିଚାରାଳୟରେ ଅଭିଯୋଗ କରେ, ତାହା ପୁଣି, ଅବିଶ୍ୱାସୀମାନଙ୍କ ନିକଟରେ !
7ତୁମ୍ଭେମାନେ ଯେ ପରସ୍ପର ବିରୁଦ୍ଧରେ ବିଚାରାଳୟରେ ଅଭିଯୋଗ କରୁଅଛ, ସେଥିରେ ତୁମ୍ଭେମାନେ ନିତାନ୍ତ ଦୋଷୀ । ବରଂ କାହିଁକି ଅନ୍ୟାୟ ସହୁ ନାହଁ? ବରଂ କାହିଁକି କ୍ଷତି ଅଙ୍ଗୀକାର କରୁ ନାହଁ ?
8କିନ୍ତୁ ତୁମ୍ଭେମାନେ ନିଜେ ନିଜେ ଅନ୍ୟାୟ ଓ କ୍ଷତି କରୁଅଛ, ପୁଣି, ତାହା ଭାଇମାନଙ୍କ ପ୍ରତି କରୁଅଛ ।
9ଅବା, ଅଧାର୍ମିକମାନେ ଯେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ, ଏହା କି ତୁମ୍ଭେମାନେ ଜାଣ ନାହିଁ ? ଭ୍ରାନ୍ତ ହୁଅ ନାହିଁ, ବ୍ୟଭିଚାରୀ କି ପ୍ରତିମାପୂଜକ କି ପାରଦାରିକ କି ସ୍ତ୍ରୀବତ୍‍ ଆଚାରୀ
10କି ପୁଂମୈଥୁନକାରୀ କି ଚୋର କି ଧନଲୋଭୀ କି ମତୁଆଳ କି ନିନ୍ଦକ କି ପରଦ୍ରବ୍ୟ ଲୁଣ୍ଠନକାରୀ, ଏମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ ।
11ଆଉ, ତୁମ୍ଭମାନଙ୍କ ମଧ୍ୟରୁ କେହି କେହି ଏହି ପ୍ରକାର ଥିଲ; କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଓ ଆମ୍ଭମାନଙ୍କ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ଧୌତ ହୋଇଅଛ, ପବିତ୍ରୀକୃତ ହୋଇଅଛ ଓ ଧାର୍ମିକ ବୋଲି ଗଣିତ ହୋଇଅଛ ।
12ସମସ୍ତ ବିଷୟ ସାଧନ କରିବାକୁ ମୋହର ସ୍ୱାଧୀନତା ଅଛି, କିନ୍ତୁ ସମସ୍ତ ବିଷୟ ହିତଜନକ ନୁହେଁ । ସମସ୍ତ ବିଷୟ ସାଧନ କରିବାକୁ ମୋହର ସ୍ୱାଧୀନତା ଅଛି, କିନ୍ତୁ ମୁଁ କୌଣସି ବିଷୟର ବଶୀଭୂତ ହେବି ନାହିଁ ।
13ଖାଦ୍ୟ ଉଦର ନିମନ୍ତେ, ପୁଣି, ଉଦର ଖାଦ୍ୟ ନିମନ୍ତେ; କିନ୍ତୁ ଈଶ୍ୱର ଉଭୟକୁ ଲୋପ କରିବେ। ଶରୀର ବ୍ୟଭିଚାର ନିମନ୍ତେ ନୁହେଁ, କିନ୍ତୁ ପ୍ରଭୁଙ୍କ ନିମନ୍ତେ, ଆଉ ପ୍ରଭୁ ଶରୀର ନିମନ୍ତେ;
14ଈଶ୍ୱର ପ୍ରଭୁଙ୍କୁ ଉଠାଇଲେ, ପୁଣି, ଆପଣା ଶକ୍ତି ଦ୍ୱାରା ଆମ୍ଭମାନଙ୍କୁ ମଧ୍ୟ ଉଠାଇବେ ।
15ତୁମ୍ଭମାନଙ୍କ ଶରୀର ଯେ ଖ୍ରୀଷ୍ଟଙ୍କ ଅଙ୍ଗ ସ୍ୱରୂପ, ଏହା କି ଜାଣ ନାହିଁ ? ତେବେ ମୁଁ କଅଣ ଖ୍ରୀଷ୍ଟଙ୍କ ଅଙ୍ଗ ଘେନିଯାଇ ବେଶ୍ୟାର ଅଙ୍ଗ କରିବି ? ତାହା କେବେ ହେଁ ନ ହେଉ ।
16କିମ୍ବା ଯେ ବେଶ୍ୟା ସହିତ ସଂଯୁକ୍ତ ହୁଏ, ସେ ତାହା ସହିତ ଏକ ଶରୀର ହୁଏ, ଏହା କି ତୁମ୍ଭେମାନେ ଜାଣ ନାହିଁ ? କାରଣ ଉକ୍ତ ଅଛି, "ସେ ଦୁହେଁ ଏକାଙ୍ଗ ହେବେ"।
17କିନ୍ତୁ ଯେ ପ୍ରଭୁଙ୍କ ସହିତ ସଂଯୁକ୍ତ ହୁଏ, ସେ ତାହାଙ୍କ ସହିତ ଏକ ଆତ୍ମା ହୁଏ ।
18ବ୍ୟଭିଚାରଠାରୁ ପଳାୟନ କର । ମନୁଷ୍ୟ ଅନ୍ୟ ଯେକୌଣସି ପାପ କରେ, ତାହା ଶରୀରର ବହିର୍ଭୂତ; କିନ୍ତୁ ଯେ ବ୍ୟଭିଚାର କରେ, ସେ ଆପଣା ନିଜ ଶରୀର ବିରୁଦ୍ଧରେ ପାପ କରେ ।

19ଅବା ତୁମ୍ଭମାନଙ୍କ ଶରୀର ଯେ ଈଶ୍ୱରଙ୍କଠାରୁ ପ୍ରାପ୍ତ ତୁମ୍ଭମାନଙ୍କର ଅନ୍ତର୍ବାସୀ ପବିତ୍ର ଆତ୍ମାଙ୍କ ମନ୍ଦିର, ଏହା କ'ଣ ଜାଣ ନାହିଁ ? ଆଉ, ତୁମ୍ଭେମାନେ ନିଜେ ନିଜର ନୁହଁ;
20କାରଣ ତୁମ୍ଭେମାନେ ବିଶେଷ ମୂଲ୍ୟରେ କିଣାଯାଇଅଛ; ଏଣୁ ତୁମ୍ଭମାନଙ୍କ ଶରୀରରେ ଈଶ୍ୱରଙ୍କ ଗୌରବ ପ୍ରକାଶ କର ।