21ଯେଣୁ ପିତା ଯେପ୍ରକାରେ ମୃତମାନଙ୍କୁ ଉତ୍ଥାପନ କରି ଜୀବିତ କରନ୍ତି, ସେହି ପ୍ରକାରେ ପୁତ୍ର ମଧ୍ୟ ଯାହାଯାହାକୁ ଇଚ୍ଛା, ସେମାନଙ୍କୁ ଜୀବିତ କରନ୍ତି ।
22ପୁଣି, ପିତା ମଧ୍ୟ କାହାର ବିଚାର କରନ୍ତି ନାହିଁ, ମାତ୍ର ସମସ୍ତେ ପିତାଙ୍କୁ ଯେଉଁ ପ୍ରକାରେ ସମାଦର କରନ୍ତି, ସେହି ପ୍ରକାରେ ପୁତ୍ରଙ୍କୁ ମଧ୍ୟ ଯେପରି ସମାଦର କରିବେ, ସେଥିନିମନ୍ତେ ପୁତ୍ରଙ୍କୁ ସମସ୍ତ ବିଚାର କରିବାର ଅଧିକାର ଦେଇଅଛନ୍ତି ।
23ଯେ ପୁତ୍ରଙ୍କୁ ସମାଦର କରେ ନାହିଁ, ସେ ତାହାଙ୍କର ପ୍ରେରଣକର୍ତ୍ତା ପିତାଙ୍କୁ ମଧ୍ୟ ସମାଦର କରେ ନାହିଁ ।
24ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ ମୋହର ବାକ୍ୟ ଶୁଣି ମୋହର ପ୍ରେରଣକର୍ତ୍ତାଙ୍କୁ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି, ପୁଣି, ସେ ବିଚାରିତ ନ ହୋଇ ବରଂ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଅଛି ।
25ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେଉଁ ସମୟରେ ମୃତମାନେ ଈଶ୍ୱରଙ୍କର ପୁତ୍ରଙ୍କ ସ୍ୱର ଶୁଣିବେ ଓ ଯେଉଁମାନେ ଶୁଣିବେ, ସେମାନେ ଜୀବିତ ହେବେ ଏପରି ସମୟ ଆସୁଅଛି, ପୁଣି, ବର୍ତ୍ତମାନ ସୁଦ୍ଧା ଉପସ୍ଥିତ ।
26କାରଣ ପିତା ଯେପରି ସ୍ୱୟଂଜୀବୀ, ସେହିପରି ସେ ପୁତ୍ରଙ୍କୁ ମଧ୍ୟ ସ୍ୱୟଂଜୀବୀ ହେବାକୁ ଦେଇଅଛନ୍ତି;
27ଆଉ, ସେ ମନୁଷ୍ୟପୁତ୍ର ହେବାରୁ ସେ ତାହାଙ୍କୁ ବିଚାର କରିବାର ଅଧିକାର ଦେଲେ ।
28ଏଥିରେ ଚମତ୍କୃତ ହୁଅ ନାହିଁ, କାରଣ ଯେଉଁ ସମୟରେ ସମାଧିସ୍ଥ ସମସ୍ତେ ତାହାଙ୍କ ସ୍ୱର ଶୁଣିବେ ଏବଂ ଯେଉଁମାନେ ସତ୍କର୍ମ କରିଅଛନ୍ତି,
29ସେମାନେ ଜୀବନର ପୁନରୁତ୍ଥାନ ନିମନ୍ତେ ଓ ଯେଉଁମାନେ ଅସତ୍ କର୍ମ କରିଅଛନ୍ତି, ସେମାନେ ଦଣ୍ଡର ପୁନରୁତ୍ଥାନ ନିମନ୍ତେ ବାହାର ହୋଇ ଆସିବେ, ଏପରି ସମୟ ଆସୁଅଛି ।
30ମୁଁ ନିଜେ କିଛି କରି ପାରେ ନାହିଁ; ମୁଁ ଯେପରି ଶୁଣେ, ସେହିପରି ବିଚାର କରେ, ଆଉ ମୋହର ବିଚାର ଯଥାର୍ଥ, କାରଣ ମୁଁ ଆପଣାର ଇଚ୍ଛା ସାଧନ କରିବାକୁ ଚେଷ୍ଟା ନ କରି ମୋହର ପ୍ରେରଣକର୍ତ୍ତାଙ୍କର ଇଚ୍ଛା ସାଧନ କରିବାକୁ ଚେଷ୍ଟା କରେ ।
31ଯଦି ମୁଁ ନିଜ ବିଷୟରେ ସାକ୍ଷ୍ୟ ଦିଏ, ତାହାହେଲେ ମୋହର ସାକ୍ଷ୍ୟ ସତ୍ୟ ନୁହେଁ ।
32ମୋ' ବିଷୟରେ ଯେ ସାକ୍ଷ୍ୟ ଦିଅନ୍ତି, ସେ ଆଉ ଜଣେ; ପୁଣି, ମୋ' ବିଷୟରେ ତାହାଙ୍କର ସାକ୍ଷ୍ୟ ଯେ ସତ୍ୟ, ତାହା ମୁଁ ଜାଣେ ।
33ତୁମ୍ଭେମାନେ ଯୋହନଙ୍କ ନିକଟକୁ ଲୋକ ପଠାଇଅଛ ଓ ସେ ସତ୍ୟ ସପକ୍ଷରେ ସାକ୍ଷ୍ୟ ଦେଇଅଛନ୍ତି;
34କିନ୍ତୁ ମୁଁ ମନୁଷ୍ୟଠାରୁ ସାକ୍ଷ୍ୟ ଗ୍ରହଣ କରେ ନାହିଁ, ବରଂ ତୁମ୍ଭେମାନେ ଯେପରି ପରିତ୍ରାଣ ପ୍ରାପ୍ତ ହୁଅ, ସେଥିପାଇଁ ଏହି ସବୁ କହୁଅଛି ।
35ସେ ଜ୍ୱଳନ୍ତ ଓ ତେଜୋମୟ ପ୍ରଦୀପ ଥିଲେ, ଆଉ ତୁମ୍ଭେମାନେ ଅଳ୍ପ କାଳ ତାହାଙ୍କ ଜ୍ୟୋତିଃରେ ଉଲ୍ଲାସ କରିବା ନିମନ୍ତେ ଇଚ୍ଛୁକ ହେଲ ।