22ଅନ୍ଧ, ଭଗ୍ନ, ଛୋଟା, ଆବୁଆ, ଜାଦୁଆ କି ଖାରସ୍ତିଆ, ଏମାନଙ୍କୁ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ ନାହିଁ, କିଅବା ସେମାନଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ବେଦି ଉପରେ ଉତ୍ସର୍ଗ କରିବ ନାହିଁ।
23ତୁମ୍ଭେ ଅଧିକ ଅଙ୍ଗ କି ହୀନାଙ୍ଗ ଗୋରୁ କି ମେଷ ସ୍ଵେଚ୍ଛାଦତ୍ତ ଉପହାର ରୂପେ ଉତ୍ସର୍ଗ କରି ପାର; ମାତ୍ର ମାନତ ନିମନ୍ତେ ତାହା ଗ୍ରାହ୍ୟ ହେବ ନାହିଁ।
24ଆଉ, ଯାହାର କୋଷ ମଳା, ଛେଚା, ଭଙ୍ଗା, କଟା, ଏପରି (ପଶୁ) ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ ନାହିଁ; କିଅବା ତୁମ୍ଭେମାନେ ଆପଣା ଦେଶରେ ଏପରି ବଳି ଉତ୍ସର୍ଗ କରିବ ନାହିଁ।
25କିଅବା ବିଦେଶୀର ହସ୍ତରୁ ଏହିସବୁରୁ କିଛି ଆପଣାମାନଙ୍କ ପରମେଶ୍ୱରଙ୍କର ଭକ୍ଷ୍ୟ ରୂପେ ଉତ୍ସର୍ଗ କରିବ ନାହିଁ; କାରଣ ସେମାନଙ୍କର ନଷ୍ଟତା ସେମାନଙ୍କଠାରେ ଅଛି, ସେମାନଙ୍କଠାରେ ଖୁଣ ଅଛି; ସେମାନେ ତୁମ୍ଭମାନଙ୍କ ପକ୍ଷରେ ଗ୍ରାହ୍ୟ ହେବେ ନାହିଁ।”
26ଆଉ, ସଦାପ୍ରଭୁ ମୋଶାଙ୍କୁ କହିଲେ,
27“ଗୋରୁ କି ମେଷ କି ଛାଗ ଜନ୍ମିଲା ଉତ୍ତାରେ ସାତ ଦିନ ପର୍ଯ୍ୟନ୍ତ ମାତା ସହିତ ରହିବ; ପୁଣି, ଅଷ୍ଟମ ଦିନଠାରୁ ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ନିମନ୍ତେ ଗ୍ରାହ୍ୟ ହେବ।
28ଆଉ, ଗୋରୁ କି ମେଷୀ ହେଉ, ତାହାକୁ ଓ ତାହାର ଛୁଆକୁ ଏକାଦିନେ ଦୁହିଁଙ୍କୁ ବଧ କରିବ ନାହିଁ।
29ତୁମ୍ଭେମାନେ ଯେଉଁ ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସାର୍ଥକ ବଳି ଉତ୍ସର୍ଗ କରିବ, ସେହି ସମୟରେ ତୁମ୍ଭେମାନେ ଗ୍ରାହ୍ୟ ହେବା ନିମନ୍ତେ ତାହା କରିବ।
30ସେହି ଦିନ ତାହା ଭୋଜନ କରାଯିବ; ତୁମ୍ଭେମାନେ ପ୍ରଭାତ ପର୍ଯ୍ୟନ୍ତ ତହିଁରୁ କିଛି ଅବଶିଷ୍ଟ ରଖିବ ନାହିଁ; ଆମ୍ଭେ ସଦାପ୍ରଭୁ ଅଟୁ।
31ଏଥିନିମନ୍ତେ ତୁମ୍ଭେମାନେ ଆମ୍ଭର ଆଜ୍ଞା ମାନ୍ୟ କରି ପାଳନ କରିବ; ଆମ୍ଭେ ସଦାପ୍ରଭୁ ଅଟୁ।
32ଆଉ, ତୁମ୍ଭେମାନେ ଆମ୍ଭର ପବିତ୍ର ନାମ ଅପବିତ୍ର କରିବ ନାହିଁ; ମାତ୍ର ଆମ୍ଭେ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ପବିତ୍ର ରୂପେ ମାନ୍ୟ ହେବା।
33ଯେ ତୁମ୍ଭମାନଙ୍କୁ ପବିତ୍ର କରନ୍ତି, ଯେ ତୁମ୍ଭମାନଙ୍କର ପରମେଶ୍ୱର ହେବା ନିମନ୍ତେ ତୁମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲେ, ସେହି ସଦାପ୍ରଭୁ ଆମ୍ଭେ; ଆମ୍ଭେ ସଦାପ୍ରଭୁ ଅଟୁ।”