Text copied!
CopyCompare
ଓଡିଆ ବାଇବେଲ - ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ - ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 22

ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 22:1-26

Help us?
Click on verse(s) to share them!
1ଏଥିଉତ୍ତାରେ ଇସ୍ରାଏଲ ସନ୍ତାନଗଣ ଯାତ୍ରା କରି ଯିରୀହୋ-ନିକଟସ୍ଥ ଯର୍ଦ୍ଦନ ଆଗରେ ମୋୟାବ-ପଦାରେ ଛାଉଣି ସ୍ଥାପନ କଲେ।
2ପୁଣି, ଇସ୍ରାଏଲ ଇମୋରୀୟମାନଙ୍କ ପ୍ରତି ଯାହା ଯାହା କରିଥିଲେ, ତାହା ସିପ୍ପୋରର ପୁତ୍ର ବାଲାକ ଦେଖିଲେ।
3ଏଣୁ ମୋୟାବ ଲୋକମାନଙ୍କ ସକାଶୁ ଅତିଶୟ ଭୀତ ହେଲେ, କାରଣ ସେମାନେ ବହୁତ ଥିଲେ; ଆଉ ମୋୟାବ ଇସ୍ରାଏଲ-ସନ୍ତାନଗଣଙ୍କ ସକାଶୁ ଉଦ୍‍ବିଗ୍ନ ହେଲେ।
4ଏଥିରେ ମୋୟାବ ମିଦୀୟନୀୟ ପ୍ରାଚୀନଗଣକୁ କହିଲେ, “ଗୋରୁ ଯେପରି ପଦାରୁ ଘାସ ଚାଟି ଖାଏ, ସେପରି ଏହି ଜନତା ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ସବୁ ଚାଟି ପକାଇବେ। ଏହି ସମୟରେ ସିପ୍ପୋରର ପୁତ୍ର ବାଲାକ ମୋୟାବର ରାଜା ଥିଲେ।”
5ଏନିମନ୍ତେ ସେ ବିୟୋରର ପୁତ୍ର ବିଲୀୟମ୍‍କୁ ଡାକିବା ପାଇଁ ଆପଣା ଲୋକମାନଙ୍କ ସନ୍ତାନଗଣର ଦେଶ-ନିକଟସ୍ଥ ନଦୀର ନିକଟବର୍ତ୍ତୀ ପଥୋର ନଗରକୁ ବାର୍ତ୍ତାବହ ପଠାଇ ଏହା କହିଲେ, “ଦେଖ, ମିସରରୁ ବାହାର ହୋଇ ଏକ ଜନତା ଆସିଅଛନ୍ତି; ଦେଖ, ସେମାନେ ପୃଥିବୀର ମୁଖ ଆଚ୍ଛନ୍ନ କରନ୍ତି; ପୁଣି, ଆମ୍ଭ ସମ୍ମୁଖରେ ବାସ କରନ୍ତି।”
6ଏହେତୁ ଆମ୍ଭେ ନିବେଦନ କରୁଅଛୁ, ତୁମ୍ଭେ ଆସି ଆମ୍ଭ ନିମନ୍ତେ ଏହି ଲୋକମାନଙ୍କୁ ଅଭିଶାପ ଦିଅ; କାରଣ ସେମାନେ ଆମ୍ଭ ପ୍ରତି ଅତି ବଳବାନ‍; ହୋଇପାରେ, ଆମ୍ଭେ ସେମାନଙ୍କୁ ପରାଜୟ କରି ଦେଶରୁ ଦୂର କରି ପାରିବା; ଯେହେତୁ ଆମ୍ଭେ ଜାଣୁ, ତୁମ୍ଭେ ଯାହାକୁ ଆଶୀର୍ବାଦ କର, ସେ ଆଶୀର୍ବାଦ ପାଏ, ପୁଣି, ତୁମ୍ଭେ ଯାହାକୁ ଅଭିଶାପ ଦିଅ, ସେ ଅଭିଶାପଗ୍ରସ୍ତ ହୁଏ।
7ତହିଁରେ ମୋୟାବର ପ୍ରାଚୀନବର୍ଗ ଓ ମିଦୀୟନର ପ୍ରାଚୀନବର୍ଗ ମନ୍ତ୍ରର ପୁରସ୍କାର ହସ୍ତରେ ଘେନି ପ୍ରସ୍ଥାନ କଲେ; ପୁଣି, ସେମାନେ ବିଲୀୟମ୍‍ ନିକଟରେ ଉପସ୍ଥିତ ହୋଇ ବାଲାକଙ୍କ କଥା ତାହାକୁ କହିଲେ।
8ତହୁଁ ସେ ସେମାନଙ୍କୁ କହିଲା, “ତୁମ୍ଭେମାନେ ଆଜି ରାତ୍ରି ଏଠାରେ ରୁହ, ଆଉ ସଦାପ୍ରଭୁ ମୋତେ ଯାହା କହିବେ, ତାହା ମୁଁ ପୁନର୍ବାର ତୁମ୍ଭମାନଙ୍କୁ ଜଣାଇବି,” ତହିଁରେ ମୋୟାବର ଅଧିପତିମାନେ ବିଲୀୟମ୍‍ ସଙ୍ଗରେ ରହିଲେ।
9ଏଉତ୍ତାରେ ପରମେଶ୍ୱର ବିଲୀୟମ୍‍ ନିକଟକୁ ଆସି ତାହାକୁ କହିଲେ, “ତୁମ୍ଭ ସଙ୍ଗରେ ଏହି ଲୋକମାନେ କିଏ” ?
10ତହୁଁ ବିଲୀୟମ୍‍ ପରମେଶ୍ୱରଙ୍କୁ କହିଲା, “ମୋୟାବର ରାଜା ସିପ୍ପୋରର ପୁତ୍ର ବାଲାକ ମୋ’ ନିକଟକୁ ଏହା କହି ପଠାଇ ଅଛନ୍ତି;
11ଦେଖ, ଏହି ଯେଉଁ ଲୋକମାନେ ମିସରରୁ ବାହାରି ଆସିଅଛନ୍ତି, ସେମାନେ ସମଗ୍ର ଦେଶକୁ ଆଚ୍ଛନ୍ନ କରିଅଛନ୍ତି; ଏବେ ତୁମ୍ଭେ ଆସି ଆମ୍ଭ ନିମନ୍ତେ ସେମାନଙ୍କୁ ଅଭିଶାପ ଦିଅ, ହୋଇପାରେ, ଆମ୍ଭେ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରି ସେମାନଙ୍କୁ ତଡ଼ି ଦେଇ ପାରିବା।”
12ତହିଁରେ ପରମେଶ୍ୱର ବିଲୀୟମ୍‍କୁ କହିଲେ, “ତୁମ୍ଭେ ସେମାନଙ୍କ ସଙ୍ଗେ ଯିବ ନାହିଁ; ତୁମ୍ଭେ ସେହି ଲୋକମାନଙ୍କୁ ଅଭିଶାପ ଦେବ ନାହିଁ; କାରଣ ସେମାନେ ଆଶୀର୍ବାଦପ୍ରାପ୍ତ ଅଟନ୍ତି।
13ଏଥିରେ ବିଲୀୟମ୍‍ ପ୍ରାତଃକାଳରେ ଉଠି ବାଲାକଙ୍କ ଅଧିପତିମାନଙ୍କୁ କହିଲା, “ତୁମ୍ଭେମାନେ ଆପଣା ଦେଶକୁ ଯାଅ, କାରଣ ସଦାପ୍ରଭୁ ମୋତେ ତୁମ୍ଭମାନଙ୍କ ସହିତ ଯିବା ପାଇଁ ଅନୁମତି ଦେବାକୁ ମନା କରିଅଛନ୍ତି।”
14ଏଣୁ ମୋୟାବର ଅଧିପତିମାନେ ଉଠି ବାଲାକଙ୍କ ନିକଟକୁ ଯାଇ କହିଲେ, “ବିଲୀୟମ୍‍ ଆମ୍ଭମାନଙ୍କ ସଙ୍ଗେ ଆସିବାକୁ ମନା କରୁଅଛି।”
15ଏଉତ୍ତାରେ ବାଲାକ ସେମାନଙ୍କଠାରୁ ଅଧିକ ସଂଖ୍ୟକ ଓ ଅଧିକ ସମ୍ଭ୍ରାନ୍ତ ଅଧିପତିମାନଙ୍କୁ ପୁନର୍ବାର ପଠାଇଲେ।
16ତହୁଁ ସେମାନେ ବିଲୀୟମ୍‍ ନିକଟକୁ ଆସି ତାହାକୁ କହିଲେ, “ସିପ୍ପୋରର ପୁତ୍ର ବାଲାକ ଏହି କଥା କହନ୍ତି, ଆମ୍ଭେ ବିନୟ କରୁଅଛୁ, ଆମ୍ଭ କତିକୁ ଆସିବାକୁ ତୁମ୍ଭେ ନିବାରିତ ହୁଅ ନାହିଁ।”
17କାରଣ ଆମ୍ଭେ ତୁମ୍ଭକୁ ସମ୍ଭ୍ରମ ଦେଇ ମହାସମ୍ଭ୍ରାନ୍ତ କରିବା, ପୁଣି, ଯାହା ତୁମ୍ଭେ ଆମ୍ଭକୁ କହିବ, ଆମ୍ଭେ ତାହା କରିବା; ଏଣୁ ବିନୟ କରୁଅଛୁ, ଆସ, ଆମ୍ଭ ନିମନ୍ତେ ଏହି ଲୋକମାନଙ୍କୁ ଅଭିଶାପ ଦିଅ।
18ଏଥିରେ ବିଲୀୟମ୍‍ ଉତ୍ତର ଦେଇ ବାଲାକଙ୍କ ଦାସମାନଙ୍କୁ କହିଲା, “ଯଦ୍ୟପି ବାଲାକ ରୂପା ଓ ସୁନାରେ ପରିପୂର୍ଣ୍ଣ ଆପଣା ଗୃହ ମୋତେ ଦିଅନ୍ତି, ତଥାପି ଊଣା କି ଅଧିକ କରିବାକୁ ମୁଁ ଆପଣା ପରମେଶ୍ୱର ସଦାପ୍ରଭୁଙ୍କ ବାକ୍ୟର ବାହାରେ ଯାଇ ପାରେ ନାହିଁ।
19ଏନିମନ୍ତେ ବିନୟ କରୁଅଛି, ତୁମ୍ଭେମାନେ ହେଁ ଆଜି ରାତ୍ରି ଏଠାରେ ରୁହ, ସଦାପ୍ରଭୁ ମୋତେ ଆଉ ଯାହା କହିବେ, ତାହା ମୁଁ ଜାଣିବି।”
20ଏଥିରେ ପରମେଶ୍ୱର ରାତ୍ରିରେ ବିଲୀୟମ୍‍ ନିକଟକୁ ଆସି କହିଲେ, “ଯଦି ଏହି ଲୋକମାନେ ତୁମ୍ଭକୁ ଡାକିବାକୁ ଆସନ୍ତି, ତେବେ ଉଠ, ସେମାନଙ୍କ ସଙ୍ଗେ ଯାଅ; ମାତ୍ର ଆମ୍ଭେ ତୁମ୍ଭକୁ ଯେଉଁ କଥା କହିବା; କେବଳ ତାହା ହିଁ ତୁମ୍ଭେ କହିବ।”
21ତହିଁରେ ବିଲୀୟମ୍‍ ପ୍ରାତଃକାଳରେ ଉଠି ଆପଣା ଗର୍ଦ୍ଦଭୀ ସଜାଇ ମୋୟାବର ଅଧିପତିମାନଙ୍କ ସହିତ ଗମନ କଲା।
22ଏଥିରେ ସେ ଯିବା ସକାଶୁ ପରମେଶ୍ୱରଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା, ପୁଣି, ସଦାପ୍ରଭୁଙ୍କ ଦୂତ ତାହାର ଶତ୍ରୁ ରୂପେ ପଥ ମଧ୍ୟରେ ଠିଆ ହୋଇ ରହିଲେ; ସେତେବେଳେ ସେ ଆପଣା ଗର୍ଦ୍ଦଭୀ ଉପରେ ଚଢ଼ି ଯାଉଥିଲା ଓ ତାହାର ଦୁଇ ଦାସ ତାହା ସଙ୍ଗରେ ଥିଲେ।
23ଏଥିରେ ସେହି ଗର୍ଦ୍ଦଭୀ ସଦାପ୍ରଭୁଙ୍କ ଦୂତଙ୍କୁ ପଥ ମଧ୍ୟରେ ନିଷ୍କୋଷ ଖଡ୍ଗ ହସ୍ତରେ ଧରି ଠିଆ ହୋଇଥିବାର ଦେଖିଲା; ତହୁଁ ଗର୍ଦ୍ଦଭୀ ବାଟ ଛାଡ଼ି ବିଲ ଆଡ଼କୁ ଗଲା ତହିଁରେ ବିଲୀୟମ୍‍ ଗର୍ଦ୍ଦଭୀକୁ ବାଟକୁ ଫେରାଇ ଆଣିବା ପାଇଁ ପ୍ରହାର କଲା;
24ତେବେ ସଦାପ୍ରଭୁଙ୍କ ଦୂତ ଦୁଇ ଦ୍ରାକ୍ଷାକ୍ଷେତ୍ରର ଏପାଖେ ପ୍ରାଚୀର ଓ ସେପାଖେ ପ୍ରାଚୀର ଥିବା ଗଳିପଥରେ ଠିଆ ହେଲେ।
25ସେହି ସମୟରେ ଗର୍ଦ୍ଦଭୀ ସଦାପ୍ରଭୁଙ୍କ ଦୂତଙ୍କୁ ଦେଖି କାନ୍ଥ ଆଡ଼କୁ ଠେଲି ହୋଇ ଯିବାରୁ ବିଲୀୟମ୍‍ର ଗୋଡ଼ କାନ୍ଥରେ ଘଷି ହେଲା; ତହିଁରେ ସେ ପୁନର୍ବାର ତାହାକୁ ପ୍ରହାର କଲା।
26ଏଉତ୍ତାରେ ସଦାପ୍ରଭୁଙ୍କ ଦୂତ ଆହୁରି ଆଗକୁ ଯାଇ ଏକ ସଂକୀର୍ଣ୍ଣ ସ୍ଥାନରେ ଠିଆ ହେଲେ, ସେଠାରେ ଡାହାଣରେ କିମ୍ବା ବାମରେ ଫେରିବାର ସ୍ଥାନ ନ ଥିଲା।

Read ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 22ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 22
Compare ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 22:1-26ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 22:1-26