Text copied!
CopyCompare
ଓଡିଆ ବାଇବେଲ - ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ - ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 20

ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 20:12-26

Help us?
Click on verse(s) to share them!
12ଏଥିରେ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ, “ତୁମ୍ଭେମାନେ ଇସ୍ରାଏଲ ସନ୍ତାନମାନଙ୍କ ସାକ୍ଷାତରେ ଆମ୍ଭକୁ ପବିତ୍ର ବୋଲି ମାନ୍ୟ କରିବାକୁ ଆମ୍ଭଠାରେ ବିଶ୍ୱାସ କଲ ନାହିଁ, ଏହେତୁ ଆମ୍ଭେ ଏହି ମଣ୍ଡଳୀକୁ ଯେଉଁ ଦେଶ ଦେଇଅଛୁ, ସେହି ଦେଶରେ ତୁମ୍ଭେମାନେ ସେମାନଙ୍କୁ ପ୍ରବେଶ କରାଇବ ନାହିଁ।”
13ଏହିସବୁ ମିରୀବାଃ-ଜଳ, (ବିବାଦର ଜଳ); ଯେହେତୁ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ସହିତ ବିବାଦ କଲେ ଓ ସେମାନଙ୍କ ମଧ୍ୟରେ ପବିତ୍ର ରୂପେ ମାନ୍ୟ ହେଲେ।
14ଏଥିଉତ୍ତାରେ ମୋଶା କାଦେଶରୁ ଇଦୋମୀୟ ରାଜା ନିକଟକୁ ଦୂତମାନଙ୍କ ଦ୍ୱାରା କହି ପଠାଇଲେ, ତୁମ୍ଭର ଭ୍ରାତା ଇସ୍ରାଏଲ ଏରୂପ କହଇ, “ଆମ୍ଭମାନଙ୍କ ପ୍ରତି ଯେଉଁ ସମସ୍ତ କ୍ଳେଶ ଘଟିଅଛି,
15ଅର୍ଥାତ୍‍, କିପରି ଆମ୍ଭମାନଙ୍କର ପୂର୍ବପୁରୁଷମାନେ ମିସରକୁ ଗଲେ ଓ ମିସରରେ ଦୀର୍ଘକାଳ ବାସ କଲେ ଆଉ ମିସ୍ରୀୟମାନେ ଆମ୍ଭମାନଙ୍କ ପ୍ରତି ଓ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ପ୍ରତି କୁବ୍ୟବହାର କଲେ, ତାହା ତୁମ୍ଭେ ଜାଣ।
16ସେହି ସମୟରେ ଆମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ କ୍ରନ୍ଦନ କରନ୍ତେ, ସେ ଆମ୍ଭମାନଙ୍କ ରବ ଶୁଣିଲେ, ପୁଣି, ଏକ ଦୂତ ପଠାଇ ଆମ୍ଭମାନଙ୍କୁ ମିସରରୁ ବାହାର କରି ଆଣିଲେ; ଆଉ ଦେଖ, ଏବେ ଆମ୍ଭେମାନେ ତୁମ୍ଭ ଦେଶର ପ୍ରାନ୍ତସ୍ଥିତ କାଦେଶ ନଗରରେ ଅଛୁ;
17ମୁଁ ବିନୟ କରୁଅଛି, ତୁମ୍ଭ ଦେଶ ଦେଇ ଆମ୍ଭମାନଙ୍କୁ ଯିବାକୁ ଦିଅ; ଆମ୍ଭେମାନେ ଶସ୍ୟକ୍ଷେତ୍ର କିମ୍ବା ଦ୍ରାକ୍ଷାକ୍ଷେତ୍ର ମଧ୍ୟଦେଇ ଯିବୁ ନାହିଁ, କିଅବା କୂପ ଜଳ ପାନ କରିବୁ ନାହିଁ; ଆମ୍ଭେମାନେ ରାଜପଥ ଦେଇ ଗମନ କରିବୁ; ଆମ୍ଭେମାନେ ତୁମ୍ଭ ସୀମା ପାର ହେବା ପର୍ଯ୍ୟନ୍ତ ଦକ୍ଷିଣରେ କି ବାମରେ ଫେରିବୁ ନାହିଁ।”
18ତହିଁରେ ଇଦୋମ ତାଙ୍କୁ କହିଲେ, “ତୁମ୍ଭେ ଆମ୍ଭ (ଦେଶର) ମଧ୍ୟଦେଇ ଯିବ ନାହିଁ, ଗଲେ ଆମ୍ଭେ ଖଡ୍ଗ ନେଇ ତୁମ୍ଭ ବିରୁଦ୍ଧରେ ବାହାର ହେବା।”
19ସେତେବେଳେ ଇସ୍ରାଏଲ ସନ୍ତାନଗଣ ତାଙ୍କୁ କହିଲେ, “ଆମ୍ଭେମାନେ କେବଳ ସଡ଼କ ଦେଇ ଯିବୁ ଯଦି ଆମ୍ଭେମାନେ, ଆମ୍ଭେ କି ଆମ୍ଭ ପଶୁମାନେ ତୁମ୍ଭ ଜଳ ପାନ କରିବୁ, ତେବେ ଆମ୍ଭେ ତହିଁର ମୂଲ୍ୟ ଦେବୁ; ଆଉ କିଛି କଥା ନାହିଁ, କେବଳ ଆମ୍ଭକୁ ଆପଣା ପାଦରେ (ଦେଶ) ଦେଇ ଯିବାକୁ ଦିଅ।”
20ତହୁଁ ସେ କହିଲେ, “ତୁମ୍ଭେ (ଦେଶ) ଦେଇ ଯିବ ନାହିଁ। ଏଉତ୍ତାରେ ଇଦୋମ ଅନେକ ଲୋକ ସଙ୍ଗରେ ନେଇ ମହାବଳରେ ତାଙ୍କ ବିରୁଦ୍ଧରେ ବାହାର ହେଲେ।”
21ଏହିରୂପେ ଇଦୋମ ଇସ୍ରାଏଲକୁ ଆପଣା ସୀମା ଦେଇ ଯିବାର ଅନୁମତି ଦେବାକୁ ଅସ୍ୱୀକାର କଲେ; ଏଣୁ ଇସ୍ରାଏଲ ତାଙ୍କ ନିକଟରୁ ଫେରିଗଲେ।
22ଏଥିଉତ୍ତାରେ ସେମାନେ କାଦେଶରୁ ଯାତ୍ରା କଲେ ତହୁଁ ଇସ୍ରାଏଲ ସନ୍ତାନଗଣ, ଅର୍ଥାତ୍‍, ସମସ୍ତ ମଣ୍ଡଳୀ ହୋର ପର୍ବତରେ ଉପସ୍ଥିତ ହେଲେ।
23ସେତେବେଳେ ଇଦୋମ ଦେଶର ସୀମା ନିକଟସ୍ଥ ହୋର ପର୍ବତରେ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ,
24“ଏହା ହାରୋଣର ମୃତ୍ୟୁର ସମୟ ଅଟେ; କାରଣ ଆମ୍ଭେ ଇସ୍ରାଏଲ ସନ୍ତାନଗଣକୁ ଯେଉଁ ଦେଶ ଦେଇଅଛୁ, ସେହି ଦେଶରେ ସେ ପ୍ରବେଶ କରିବ ନାହିଁ, ଯେହେତୁ ମିରୀବାଃ-ଜଳ ନିକଟରେ ତୁମ୍ଭେମାନେ ଆମ୍ଭ ଆଜ୍ଞାର ବିରୁଦ୍ଧ କର୍ମ କରିଥିଲ।
25ତୁମ୍ଭେ ହାରୋଣକୁ ଓ ତାହାର ପୁତ୍ର ଇଲୀୟାସରକୁ ହୋର ପର୍ବତ ଉପରକୁ ନେଇ ଯାଅ।
26ପୁଣି, ହାରୋଣଠାରୁ ତାହାର ବସ୍ତ୍ର କାଢ଼ି ତାହାର ପୁତ୍ର ଇଲୀୟାସରକୁ ପିନ୍ଧାଅ; ଯେଣୁ ହାରୋଣ (ଆପଣା ଲୋକମାନଙ୍କ ନିକଟରେ) ସଂଗୃହୀତ ହେବ ଓ ସେ ସେହି ସ୍ଥାନରେ ମରିବ।

Read ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 20ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 20
Compare ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 20:12-26ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 20:12-26