3ତେଣୁ ସେହି ସ୍ଥାନର ନାମ ତବୀୟେରା ହେଲା, କାରଣ ସଦାପ୍ରଭୁଙ୍କ ଅଗ୍ନି ସେମାନଙ୍କ ମଧ୍ୟରେ ଦହନ କଲା।
4ଏଥିଉତ୍ତାରେ ସେମାନଙ୍କ ମଧ୍ୟବର୍ତ୍ତୀ ମିଶ୍ରିତ ଲୋକମାନଙ୍କର ଜନତା ଲୋଭାକ୍ରାନ୍ତ ହେବାକୁ ଲାଗିଲେ; ପୁଣି, ଇସ୍ରାଏଲ ସନ୍ତାନଗଣ ମଧ୍ୟ ପୁନର୍ବାର ରୋଦନ କରି କହିଲେ, “କିଏ ଆମ୍ଭମାନଙ୍କୁ ମାଂସ ଖାଇବାକୁ ଦେବ ?
5ଆମ୍ଭେମାନେ ମିସର ଦେଶରେ ବିନାମୂଲ୍ୟରେ ଯେଉଁ ମାଛ ଖାଉଥିଲୁ, ତାହା ମନରେ ପଡ଼େ; ସେ କାକୁଡ଼ି, ସେ ଖରଭୁଜ, ସେ ପରୁ, ସେ ପିଆଜ ଓ ରସୁଣ (ମନରେ ପଡ଼େ);
6ମାତ୍ର ଏବେ ଆମ୍ଭମାନଙ୍କର ପ୍ରାଣ ଶୁଷ୍କ ହେଉଅଛି; ଏଠି କିଛି ନାହିଁ; ଏହି ମାନ୍ନା ବ୍ୟତୀତ ଆଉ ଦେଖିବାକୁ କିଛି ନାହିଁ।”
7ଆଉ ସେହି ମାନ୍ନା ଧନିଆ ପରି ଓ ତହିଁର ଦୃଶ୍ୟ ମୁକ୍ତା ସଦୃଶ।
8ଲୋକମାନେ ଏଣେତେଣେ ଭ୍ରମଣ କରି ତାହା ସାଉଣ୍ଟିଲେ ଓ ଚକିରେ ତାହା ପେଷିଲେ, ଅବା କୁଟଣୀରେ ତାହା ଚୂର୍ଣ୍ଣ କରି କହ୍ରାଇରେ ସିଝେଇ କରି ପିଠା ପ୍ରସ୍ତୁତ କଲେ; ଆଉ ତୈଳପକ୍ୱ ପିଠା ପରି ତହିଁର ସ୍ୱାଦ ଥିଲା।
9ରାତ୍ରିରେ ଛାଉଣି ଉପରେ କାକର ପଡ଼ିଲା ସମୟରେ ସେହି ମାନ୍ନା ତହିଁ ସଙ୍ଗରେ ପଡ଼ିଲା।
10ଏଉତ୍ତାରେ ଲୋକମାନେ ସମୁଦାୟ ପରିବାର ସହିତ, ପ୍ରତ୍ୟେକ ଲୋକ ଆପଣା ତମ୍ବୁ ଦ୍ୱାର ନିକଟରେ ରୋଦନ କରିବାର ମୋଶା ଶୁଣିଲେ; ତହିଁରେ ସଦାପ୍ରଭୁଙ୍କର କ୍ରୋଧ ଅତିଶୟ ପ୍ରଜ୍ୱଳିତ ହେଲା; ପୁଣି, ମୋଶା ମଧ୍ୟ ଅସନ୍ତୁଷ୍ଟ ହେଲେ।