Text copied!
CopyCompare
ଓଡିଆ ବାଇବେଲ - ବିଚାରକର୍ତ୍ତା - ବିଚାରକର୍ତ୍ତା 16

ବିଚାରକର୍ତ୍ତା 16:17-31

Help us?
Click on verse(s) to share them!
17ତହିଁରେ ସେ ତାହାକୁ ଆପଣା ମନର ସମସ୍ତ କଥା ଜଣାଇ କହିଲା, ମୋହର ମସ୍ତକରେ କେବେ କ୍ଷୁର ଲାଗି ନାହିଁ; କାରଣ ମୁଁ ଆପଣା ମାତାର ଗର୍ଭରୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ନାସରୀୟ ଲୋକ ହୋଇଅଛି; ଯେବେ ମୁଁ କ୍ଷୌର ହେବି, ତେବେ ମୋର ବଳ ମୋ’ ଠାରୁ ଯିବ ଓ ମୁଁ ଦୁର୍ବଳ ହୋଇ ଅନ୍ୟ ସକଳ ଲୋକର ସମାନ ହୋଇଯିବି।
18ସେତେବେଳେ ସେ ଯେ ତାହାକୁ ଆପଣା ମନର ସମସ୍ତ କଥା କହିଅଛି, ଏହା ଦଲୀଲା ଦେଖି ପଲେଷ୍ଟୀୟ ଅଧିପତିମାନଙ୍କ ନିକଟକୁ ଲୋକ ପଠାଇଲା ଓ ତୁମ୍ଭେମାନେ ଏହି ଥରକ ଆସ, କାରଣ ସେ ମୋତେ ଆପଣା ମନର ସମସ୍ତ କଥା କହିଅଛି, ଏହା କହି ସେମାନଙ୍କୁ ଡାକିଲା। ତହିଁରେ ପଲେଷ୍ଟୀୟ ଅଧିପତିମାନେ ହସ୍ତରେ ରୂପା ନେଇ ତାହା ପାଖକୁ ଆସିଲେ;
19ତହୁଁ ସେ ତାହାକୁ ଆପଣା ଆଣ୍ଠୁରେ ଶୁଆଇଲା। ଆଉ ମନୁଷ୍ୟ ଡକାଇ ତାହାର ମସ୍ତକର ସାତ ବେଣୀ କ୍ଷୌର କଲା; ଏହିରୂପେ ସେ ତାହାକୁ କ୍ଲେଶ ଦେବାକୁ ଲାଗିଲା ଓ ତାହାର ବଳ ତାହାଠାରୁ ଗଲା।
20ତହୁଁ ସେ କହିଲା, ଶାମ୍‍ଶୋନ୍‍, ପଲେଷ୍ଟୀୟମାନେ ତୁମ୍ଭକୁ ଧରିଲେ। ତହିଁରେ ସେ ନିଦ୍ରାରୁ ଜାଗ୍ରତ ହୋଇ କହିଲା, ମୁଁ ଅନ୍ୟାନ୍ୟ ସମୟ ପରି ବାହାରକୁ ଯାଇ ଆପଣାକୁ ଝାଡ଼ିବି। ମାତ୍ର ସଦାପ୍ରଭୁ ଯେ ତାହାକୁ ତ୍ୟାଗ କରିଥିଲେ, ଏହା ସେ ଜାଣିଲା ନାହିଁ।
21ଏଥିଉତ୍ତାରେ ପଲେଷ୍ଟୀୟମାନେ ତାହାକୁ ଧରି ତାହାର ଚକ୍ଷୁ ଉପାଡ଼ି ପକାଇଲେ; ପୁଣି ତାହାକୁ ଘସାକୁ ଆଣି ଦୁଇ ପିତ୍ତଳ ବେଡ଼ିରେ ତାହାକୁ ବାନ୍ଧିଲେ; ଆଉ ସେ କାରାଗାରରେ ଚକି ପେଷିଲା।
22ତଥାପି ତାହାର କ୍ଷୌର ହେଲା ଉତ୍ତାରେ ତାହାର ମସ୍ତକର କେଶ ପୁନର୍ବାର ବଢ଼ିବାକୁ ଲାଗିଲା।
23ଏଥିଉତ୍ତାରେ ପଲେଷ୍ଟୀୟ ଅଧିପତିମାନେ ଆପଣାମାନଙ୍କ ଦେବତା ଦାଗୋନ୍‍ ଉଦ୍ଦେଶ୍ୟରେ ମହାଯଜ୍ଞ କରି ଆନନ୍ଦ କରିବାକୁ ଏକତ୍ରିତ ହେଲେ। କାରଣ ସେମାନେ କହିଲେ, ଆମ୍ଭମାନଙ୍କ ଦେବତା ଆମ୍ଭମାନଙ୍କ ଶତ୍ରୁ ଶାମ୍‍ଶୋନ୍‍କୁ ଆମ୍ଭମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି।
24ପୁଣି ଲୋକମାନେ ତାହାକୁ ଦେଖି ଆପଣାମାନଙ୍କ ଦେବତାର ପ୍ରଶଂସା କଲେ। କାରଣ ସେମାନେ କହିଲେ, ଯେ ଆମ୍ଭମାନଙ୍କର ଅନେକଙ୍କୁ ବଧ କଲା, ଆମ୍ଭମାନଙ୍କର ଏପରି ଶତ୍ରୁ ଓ ଦେଶନାଶକକୁ ଆମ୍ଭମାନଙ୍କ ଦେବତା ଆମ୍ଭମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି।
25ପୁଣି ସେମାନଙ୍କ ମନ ଆନନ୍ଦିତ ହୁଅନ୍ତେ, ସେମାନେ କହିଲେ, ଶାମ୍‍ଶୋନ୍‍କୁ ଡାକ, ସେ ଆମ୍ଭମାନଙ୍କ ସାକ୍ଷାତରେ କୌତୁକ କରିବ। ତହୁଁ ସେମାନେ ଶାମ୍‍ଶୋନ୍‍କୁ କାରାଗାରରୁ ଡାକି ଆଣିଲେ ଓ ସେ ସେମାନଙ୍କ ସାକ୍ଷାତରେ କୌତୁକ କଲା। ଆଉ ସେମାନେ ତାହାକୁ ଦୁଇ ସ୍ତମ୍ଭ ମଧ୍ୟରେ ଠିଆ କରାଇଲେ।
26ତହୁଁ ଶାମ୍‍ଶୋନ୍‍ ଆପଣା ହସ୍ତଧାରୀ ବାଳକକୁ କହିଲା, ଯେଉଁ ଦୁଇ ସ୍ତମ୍ଭ ଉପରେ ଗୃହର ନିର୍ଭର ଅଛି, ତାହା ମୋତେ ସ୍ପର୍ଶ କରିବାକୁ ଛାଡ଼ି ଦିଅ, ମୁଁ ତହିଁ ଉପରେ ଆଉଜିବି।
27ସେସମୟରେ ଗୃହ ପୁରୁଷ ଓ ସ୍ତ୍ରୀରେ ପରିପୂର୍ଣ୍ଣ ଥିଲା; ପଲେଷ୍ଟୀୟ ସମସ୍ତ ଅଧିପତି ସେଠାରେ ଥିଲେ; ଆଉ ଛାତ ଉପରେ ଊଣାଧିକ ତିନି ହଜାର ପୁରୁଷ ଓ ସ୍ତ୍ରୀ ଥାଇ ଶାମ୍‍ଶୋନ୍‍ର କୌତୁକ ଦେଖୁଥିଲେ।
28ସେତେବେଳେ ଶାମ୍‍ଶୋନ୍‍ ସଦାପ୍ରଭୁଙ୍କୁ ଡାକି କହିଲା, ହେ ପ୍ରଭୁ ସଦାପ୍ରଭୁ, ନିବେଦନ କରୁଅଛି, ମୋତେ ସ୍ମରଣ କର, ହେ ପରମେଶ୍ୱର, ନିବେଦନ କରୁଅଛି; ମୁଁ ଯେପରି ପଲେଷ୍ଟୀୟମାନଙ୍କଠାରୁ ଏକାବେଳକେ ମୋହର ଦୁଇ ଚକ୍ଷୁର ପରିଶୋଧ ନେଇ ପାରିବି, ଏଥିପାଇଁ କେବଳ ଏହିଥରକ ମୋତେ ବଳବାନ କର।
29ତହୁଁ ମଧ୍ୟସ୍ଥିତ ଯେଉଁ ଦୁଇ ସ୍ତମ୍ଭ ଉପରେ ଗୃହର ଭାର ଥିଲା, ଶାମ୍‍ଶୋନ୍‍ ତହିଁର ଗୋଟିଏକୁ ଆପଣା ଦକ୍ଷିଣ ହସ୍ତରେ ଓ ଆରଟିକୁ ବାମ ହସ୍ତରେ ଧରି ତହିଁ ଉପରେ ଆଉଜି ପଡ଼ିଲା।
30ପୁଣି ଶାମ୍‍ଶୋନ୍‍ କହିଲା, ପଲେଷ୍ଟୀୟମାନଙ୍କ ସହିତ ମୋହର ପ୍ରାଣ ଯାଉ। ଏହା କହି ସେ ବଳରେ ଆପଣାକୁ ନୁଆଁଇଲା; ତହୁଁ ଭିତରେ ଥିବା ଅଧିପତିମାନଙ୍କ ଓ ସମସ୍ତ ଲୋକଙ୍କ ଉପରେ ସେହି ଗୃହ ପଡ଼ିଗଲା। ଏହିରୂପେ ତାହାର ଜୀବନ କାଳର ହତ ଲୋକ ଅପେକ୍ଷା ତାହାର ମରଣ କାଳର ହତ ଲୋକ ଅଧିକ ହେଲେ।
31ଏଥିଉତ୍ତାରେ ତାହାର ଭ୍ରାତୃଗଣ ଓ ତାହାର ପିତୃଗୃହସ୍ଥ ସମସ୍ତେ ଆସି ତାହାକୁ ନେଇ ସରାୟ ଓ ଇଷ୍ଟାୟୋଲର ମଧ୍ୟସ୍ଥାନରେ ତାହାର ପିତା ମାନୋହର କବର ସ୍ଥାନରେ ତାହାକୁ କବର ଦେଲେ। ସେ କୋଡ଼ିଏ ବର୍ଷ ଇସ୍ରାଏଲର ବିଚାର କଲା।

Read ବିଚାରକର୍ତ୍ତା 16ବିଚାରକର୍ତ୍ତା 16
Compare ବିଚାରକର୍ତ୍ତା 16:17-31ବିଚାରକର୍ତ୍ତା 16:17-31