Text copied!
CopyCompare
ଓଡିଆ ବାଇବେଲ - ପ୍ରେରିତ - ପ୍ରେରିତ 21

ପ୍ରେରିତ 21:20-31

Help us?
Click on verse(s) to share them!
20ସେମାନେ ତାହା ଶୁଣି ଈଶ୍ୱରଙ୍କ ମହିମା ଗୁଣାନୁବାଦ କରିବାକୁ ଲାଗିଲେ, ପୁଣି, ତାହାଙ୍କୁ କହିଲେ, ହେ ଭାଇ, ଯିହୂଦୀମାନଙ୍କ ମଧ୍ୟରେ ଯେ କେତେ ସହସ୍ର ବିଶ୍ୱାସ କରିଅଛନ୍ତି, ଏହା ତୁମ୍ଭେ ଦେଖୁଅଛ, ସେ ସମସ୍ତେ ମୋଶାଙ୍କ ବ୍ୟବସ୍ଥା ପକ୍ଷରେ ଉଦ୍‍ଯୋଗୀ ।
21ପୁଣି, ଅଣଯିହୂଦୀମାନଙ୍କ ମଧ୍ୟରେ ବାସକାରୀ ସମସ୍ତ ଯିହୂଦୀଙ୍କ ନିଜ ନିଜ ଶିଶୁମାନଙ୍କୁ ସୁନ୍ନତ ନ କରିବାକୁ ଓ ବିଧିବିଧାନ ଅନୁସାରେ ନ ଚଳିବାକୁ କହି, ମୋଶାଙ୍କ ବ୍ୟବସ୍ଥା ପରିତ୍ୟାଗ କରିବା ନିମନ୍ତେ ତୁମ୍ଭେ ଯେ ସେମାନଙ୍କୁ ଶିକ୍ଷା ଦେଇଥାଅ, ତୁମ୍ଭ ବିଷୟରେ ଏହି ସମ୍ବାଦ ସେମାନେ ଦେଇଅଛନ୍ତି ।
22ତେବେ କ'ଣ କରାଯାଏ ? ତୁମ୍ଭେ ଆସିଅଛ ବୋଲି ସେମାନେ ଅବଶ୍ୟ ଶୁଣିବେ ।
23ଏଣୁ ଆମ୍ଭେମାନେ ତୁମ୍ଭଙ୍କୁ ଯାହା କହୁଅଛୁ, ତାହା କର । ଆମ୍ଭମାନଙ୍କ ପାଖରେ ଚାରି ଜଣ ଲୋକ ଅଛନ୍ତି, ସେମାନେ ଗୋଟିଏ ବ୍ରତ ନେଇଅଛନ୍ତି;
24ସେମାନଙ୍କୁ ନେଇ ସେମାନଙ୍କ ସହିତ ଆପଣାକୁ ଶୁଚି କର, ଆଉ ସେମାନଙ୍କ ମସ୍ତକ ମୁଣ୍ଡନର ବ୍ୟୟ ଭାର ବହନ କର,ତାହାହେଲେ ସେମାନେ ତୁମ୍ଭ ବିଷୟରେ ଯେଉଁ ସବୁ ସମ୍ବାଦ ପାଇଅଛନ୍ତି, ସେଥିରେ ଯେ କିଛି ସତ୍ୟ ନାହିଁ, ବରଂ ତୁମ୍ଭେ ଯେ ନିଜେ ସୁଦ୍ଧା ମୋଶାଙ୍କ ବ୍ୟବସ୍ଥା ପାଳନ କରି ଆଚରଣ କରୁଅଛ, ଏହା ସମସ୍ତେ ଜାଣିବେ ।
25କିନ୍ତୁ ଯେଉଁ ଅଣଯିହୂଦୀମାନେ ବିଶ୍ୱାସ କରିଅଛନ୍ତି, ସେମାନଙ୍କ ସମ୍ବନ୍ଧରେ ପ୍ରତିମା ନିକଟରେ ଉତ୍ସର୍ଗୀକୃତ ଜିନିଷ, ରକ୍ତ, ଶ୍ୱାସରୋଧ ଦ୍ୱାରା ମୃତ ପ୍ରାଣୀର ମାଂସ ଆଉ ପରଦାରଠାରୁ ନିଜ ନିଜକୁ ଦୂରେଇ ରଖିବା ଯେ ଉଚିତ, ଆମ୍ଭେମାନେ ଏହା ବିଚାର କରି ଲେଖି ଅଛୁ ।
26ପାଉଲ ସେଥିରେ ସେହି ଲୋକମାନଙ୍କୁ ନେଇ ପରଦିନ ସେମାନଙ୍କ ସହିତ ଆପଣାକୁ ଶୁଚି କରି ମନ୍ଦିର ଭିତରେ ପ୍ରବେଶ କଲେ, ପୁଣି, ସେମାନଙ୍କ ପ୍ରତ୍ୟେକଙ୍କ ନିମନ୍ତେ ନୈବେଦ୍ୟ ଉତ୍ସର୍ଗ ହେବା ପର୍ଯ୍ୟନ୍ତ ଶୌଚକର୍ମରେ କେତେ ଦିନ ଲାଗିବ, ତାହା ଜଣାଇ ଦେଲେ ।
27ସେହି ସାତ ଦିନ ପ୍ରାୟ ସମ୍ପୂର୍ଣ୍ଣ ହୁଅନ୍ତେ, ଆସିଆର ଯିହୂଦୀମାନେ ମନ୍ଦିରରେ ତାହାଙ୍କୁ ଦେଖି ଲୋକସମୂହକୁ ଉତ୍ତେଜିତ କଲେ, ପୁଣି, ତାହାଙ୍କୁ ଧରି ଚିତ୍କାର କରିବାକୁ ଲାଗିଲେ,
28ହେ ଇସ୍ରାଏଲୀୟ ଲୋକମାନେ, ସାହାଯ୍ୟ କର; ସବୁ ସ୍ଥାନରେ ଯେଉଁ ଲୋକଟା ଆମ୍ଭମାନଙ୍କର ଜାତି, ମୋଶାଙ୍କ ବ୍ୟବସ୍ଥା ଓ ଏହି ସ୍ଥାନ ବିପକ୍ଷରେ ସମସ୍ତଙ୍କୁ ଶିକ୍ଷା ଦିଏ, ସେ ଏହି; ସେ ଆହୁରି ମଧ୍ୟ ଗ୍ରୀକ୍‌ମାନଙ୍କୁ ସୁଦ୍ଧା ମନ୍ଦିର ଭିତରକୁ ଆଣି ଏହି ପବିତ୍ର ସ୍ଥାନକୁ ଅଶୁଚି କରୁଅଛି ।
29କାରଣ ପୂର୍ବେ ସେମାନେ ନଗର ମଧ୍ୟରେ ପାଉଲଙ୍କ ସାଙ୍ଗରେ ଏଫିସର ତ୍ରଫିମଙ୍କୁ ଦେଖିଥିଲେ, ଆଉ ପାଉଲ ହିଁ ତାହାଙ୍କୁ ମନ୍ଦିର ଭିତରକୁ ଆଣିଥିବେ ବୋଲି ଅନୁମାନ କରୁଥିଲେ ।
30ଏଥିରେ ନଗରସାରା ଚହଳ ପଡ଼ିଗଲା, ଲୋକମାନେ ଏକାଠି ଦୌଡ଼ିଲେ, ପୁଣି, ସେମାନେ ପାଉଲଙ୍କୁ ଧରି ମନ୍ଦିର ବାହାରକୁ ଟାଣି ଆଣିଲେ; ଆଉ ସେହିକ୍ଷଣି ଦ୍ୱାରସବୁ ବନ୍ଦ କରାଗଲା ।
31ପୁଣି, ତାହାଙ୍କୁ ସେମାନେ ମାରିପକାଇବା ପାଇଁ ଚେଷ୍ଟା କରନ୍ତେ ସମସ୍ତ ଯିରୂଶାଲମ ଗଣ୍ଡଗୋଳରେ ପରିପୂର୍ଣ୍ଣ ହୋଇଅଛି ବୋଲି ସୈନ୍ୟଦଳର ସହସ୍ର ସେନାପତିଙ୍କ ନିକଟକୁ ସମ୍ବାଦ ଆସିଲା ।

Read ପ୍ରେରିତ 21ପ୍ରେରିତ 21
Compare ପ୍ରେରିତ 21:20-31ପ୍ରେରିତ 21:20-31