25ଏଣୁ ଶଲୋମନଙ୍କର ଯାବଜ୍ଜୀବନ ଦାନ୍ଠାରୁ ବେର୍ଶେବା ପର୍ଯ୍ୟନ୍ତ ଯିହୁଦା ଓ ଇସ୍ରାଏଲର ପ୍ରତ୍ୟେକ ଲୋକ ଆପଣା ଆପଣା ଦ୍ରାକ୍ଷାଲତା ଓ ଆପଣା ଆପଣା ଡିମ୍ବିରି ବୃକ୍ଷ ମୂଳରେ ନିରାପଦରେ ବାସ କଲେ।
26ଆଉ ଶଲୋମନଙ୍କର ରଥ ନିମନ୍ତେ ଚାଳିଶ ସହସ୍ର ଅଶ୍ୱଶାଳା ଓ ବାର ସହସ୍ର ଅଶ୍ୱାରୋହୀ ଥିଲେ।
27ଆଉ ଶଲୋମନ ରାଜାଙ୍କ ନିମନ୍ତେ ଓ ଶଲୋମନ ରାଜାଙ୍କର ମେଜରେ ଭୋଜନକାରୀ ସମସ୍ତଙ୍କ ନିମନ୍ତେ ପୂର୍ବୋକ୍ତ ଦେଶାଧ୍ୟକ୍ଷମାନଙ୍କର ପ୍ରତ୍ୟେକ ଜଣ ଆପଣା ଆପଣା ନିରୂପିତ ମାସରେ ଖାଦ୍ୟଦ୍ରବ୍ୟ ଯୋଗାଇଲେ; ସେମାନେ କିଛି ଊଣା କଲେ ନାହିଁ।
28ସେମାନଙ୍କର ପ୍ରତ୍ୟେକ ଜଣ ମଧ୍ୟ ଆପଣା ଆପଣା ନିରୂପିତ କର୍ମାନୁସାରେ ଅଶ୍ୱ ଓ ଦ୍ରୁତଗାମୀ ବାହନସକଳ ନିମନ୍ତେ ଅଧ୍ୟକ୍ଷମାନଙ୍କ ଥିବା ସ୍ଥାନକୁ ଯବ ଓ ତୃଣ ଆଣିଲେ।
29ଆହୁରି ପରମେଶ୍ୱର ଶଲୋମନଙ୍କୁ ଅତିଶୟ ଜ୍ଞାନ ଓ ବୁଦ୍ଧି, ପୁଣି, ସମୁଦ୍ରତୀରସ୍ଥ ବାଲୁକା ନ୍ୟାୟ ମନର ବିସ୍ତୀର୍ଣ୍ଣତା ପ୍ରଦାନ କଲେ।
30ପୂର୍ବଦେଶୀୟ ଓ ମିସ୍ରୀୟ ସମସ୍ତ ଲୋକଙ୍କର ସମୁଦାୟ ଜ୍ଞାନ ଅପେକ୍ଷା ଶଲୋମନଙ୍କର ଜ୍ଞାନ ଅଧିକ ହେଲା।
31କାରଣ, ସେ ସମସ୍ତ ଲୋକଙ୍କଠାରୁ, ଇଷ୍ରାହୀୟ ଏଥନ୍ ଓ ମାହୋଲର ପୁତ୍ର ହେମନ ଓ କଲ୍କୋଲ୍ ଓ ଦର୍ଦା, ଏମାନଙ୍କଠାରୁ ଅଧିକ ଜ୍ଞାନବାନ ଥିଲେ ଓ ଚତୁର୍ଦ୍ଦିଗସ୍ଥ ସକଳ ଗୋଷ୍ଠୀ ମଧ୍ୟରେ ତାଙ୍କର ସୁଖ୍ୟାତି ବ୍ୟାପିଲା।
32ସେ ତିନି ସହସ୍ର ନୀତିକଥା କହିଲେ ଓ ତାଙ୍କର ଗୀତ ଏକ ସହସ୍ର ପାଞ୍ଚ ଥିଲା।