22ଶତ୍ରୁ ତାହା ପ୍ରତି ଉପଦ୍ରବ କରିବ ନାହିଁ; କିଅବା ଦୁଷ୍ଟତାର ସନ୍ତାନ ତାହାକୁ କ୍ଳେଶ ଦେବ ନାହିଁ।
23ଆମ୍ଭେ ତାହାର ବିପକ୍ଷଗଣକୁ ତାହା ସମ୍ମୁଖରେ ଚୂର୍ଣ୍ଣ କରିବା ଓ ତାହାର ଘୃଣାକାରୀମାନଙ୍କୁ ଆଘାତ କରିବା।
24ମାତ୍ର ଆମ୍ଭର ବିଶ୍ୱସ୍ତତା ଓ ଦୟା ତାହାର ସହବର୍ତ୍ତୀ ହେବ; ପୁଣି, ଆମ୍ଭ ନାମରେ ତାହାର ଶୃଙ୍ଗ ଉନ୍ନତ ହେବ।
25ଆମ୍ଭେ ସମୁଦ୍ର ଉପରେ ତାହାର ହସ୍ତ ଓ ନଦୀସମୂହ ଉପରେ ତାହାର ଦକ୍ଷିଣ ହସ୍ତ ସ୍ଥାପନ କରିବା।
26ସେ ଆମ୍ଭଙ୍କୁ ଡାକି କହିବ, ତୁମ୍ଭେ ଆମ୍ଭର ପିତା, ଆମ୍ଭର ପରମେଶ୍ୱର ଓ ଆମ୍ଭ ପରିତ୍ରାଣର ଶୈଳ।
27ଆମ୍ଭେ ମଧ୍ୟ ତାହାକୁ ଆମ୍ଭର ପ୍ରଥମଜାତ, ପୃଥିବୀସ୍ଥ ରାଜାଗଣ ମଧ୍ୟରେ ସର୍ବୋଚ୍ଚ କରିବା।
28ଆମ୍ଭେ ଅନନ୍ତକାଳ ତାହା ପକ୍ଷରେ ଆପଣା ଦୟା ରଖିବା, ପୁଣି, ଆମ୍ଭର ନିୟମ ତାହା ପକ୍ଷରେ ସୁସ୍ଥିର ହେବ।
29ମଧ୍ୟ ଆମ୍ଭେ ତାହାର ବଂଶକୁ ନିତ୍ୟସ୍ଥାୟୀ କରିବା ଓ ତାହାର ସିଂହାସନକୁ ଆକାଶମଣ୍ଡଳର ଆୟୁର ତୁଲ୍ୟ ସ୍ଥିର କରିବା।
30ଯଦି ତାହାର ସନ୍ତାନଗଣ ଆମ୍ଭର ବ୍ୟବସ୍ଥା ପରିତ୍ୟାଗ କରନ୍ତି ଓ ଆମ୍ଭ ଶାସନରେ ନ ଚାଲନ୍ତି;
31ଯଦି ସେମାନେ ଆମ୍ଭର ବିଧି ଲଙ୍ଘନ କରନ୍ତି ଓ ଆମ୍ଭର ଆଜ୍ଞାସବୁ ନ ପାଳନ୍ତି;
32ତେବେ ଆମ୍ଭେ ଯଷ୍ଟି ଦ୍ୱାରା ସେମାନଙ୍କ ଅପରାଧର ଓ ପ୍ରହାର ଦ୍ୱାରା ସେମାନଙ୍କ ଅଧର୍ମର ଶାସ୍ତି ଦେବା।
33ମାତ୍ର ତାହାଠାରୁ ଆମ୍ଭେ ଆପଣା ଦୟା ଏକାନ୍ତ ନେବା ନାହିଁ; କିଅବା ଆମ୍ଭ ବିଶ୍ୱସ୍ତତାର ତ୍ରୁଟି ହେବାକୁ ଦେବା ନାହିଁ।
34ଆମ୍ଭେ ଆପଣା ନିୟମ ଲଙ୍ଘନ କରିବା ନାହିଁ, କିଅବା ଆପଣା ଓଷ୍ଠାଧରରୁ ନିର୍ଗତ କଥା ଅନ୍ୟଥା କରିବା ନାହିଁ।