1ପ୍ରଧାନ ବାଦ୍ୟକର ନିମନ୍ତେ ଯିଦୂଥୂନର ରୀତି ଅନୁସାରେ ଆସଫର ଗୀତ। ମୁଁ ପରମେଶ୍ୱରଙ୍କ ନିକଟରେ ସ୍ୱରବରେ କାକୂକ୍ତି କରିବି; ପରମେଶ୍ୱରଙ୍କ ନିକଟରେ ହିଁ ସ୍ୱରବରେ କାକୂକ୍ତି କରିବି, ତହିଁରେ ସେ ମୋ’ ପ୍ରତି କର୍ଣ୍ଣପାତ କରିବେ।
2ମୁଁ ଆପଣା ସଙ୍କଟ ଦିନରେ ପ୍ରଭୁଙ୍କୁ ଅନ୍ୱେଷଣ କଲି; ରାତ୍ରିକାଳରେ ମୋହର ହସ୍ତ ବିସ୍ତାରିତ ରହିଲା ଓ ସଙ୍କୁଚିତ ନୋହିଲା; ମୋହର ପ୍ରାଣ ପ୍ରବୋଧ ମାନିବାକୁ ଅସମ୍ମତ ହେଲା।
3ମୁଁ ପରମେଶ୍ୱରଙ୍କୁ ସ୍ମରଣ କରି ଅସ୍ଥିର ହେଉଅଛି; ଭାବନା କରି କରି ମୋହର ଆତ୍ମା ମୂର୍ଚ୍ଛିତ ହୁଏ। ସେଲା
4ତୁମ୍ଭେ ମୋ’ ଚକ୍ଷୁକୁ ଉଜାଗର କରି ରଖୁଅଛ; ମୁଁ ଏପରି ବ୍ୟାକୁଳ ଯେ, କଥା କହି ପାରୁ ନାହିଁ।
5ମୁଁ ପୂର୍ବକାଳର ଦିନସବୁ, ପୁରାତନ କାଳର ବର୍ଷସବୁ ଭାବନା କରିଅଛି।
6ମୁଁ ଆପଣା ରାତ୍ରିକାଳୀନ ଗୀତ ସ୍ମରଣ କରୁଅଛି; ମୁଁ ଆପଣା ମନେ ମନେ ଧ୍ୟାନ କରୁଅଛି; ପୁଣି, ମୋହର ଆତ୍ମା ଯତ୍ନରେ ଅନୁସନ୍ଧାନ କଲା।
7ପ୍ରଭୁ କ’ଣ ସଦାକାଳ ପରିତ୍ୟାଗ କରିବେ ? ସେ କ’ଣ ଆଉ ସୁପ୍ରସନ୍ନ ହେବେ ନାହିଁ ?
8ତାହାଙ୍କ ଦୟା କ’ଣ ଚିରକାଳ ଲୁପ୍ତ ହେଲା ? ତାହାଙ୍କ ପ୍ରତିଜ୍ଞା କ’ଣ ଚିରକାଳ ବିଫଳ ହୁଏ ?