1ଦାଉଦଙ୍କର ଗୀତ, ସ୍ମରଣୋପାୟ। ହେ ସଦାପ୍ରଭୁ, ତୁମ୍ଭ କୋପରେ ମୋତେ ଅନୁଯୋଗ କର ନାହିଁ; କିଅବା ତୁମ୍ଭ ପ୍ରଚଣ୍ଡ କ୍ରୋଧରେ ମୋତେ ଶାସ୍ତି ଦିଅ ନାହିଁ।
2କାରଣ ତୁମ୍ଭର ତୀରସବୁ ମୋ’ଠାରେ ବିଦ୍ଧ ରହିଅଛି ଓ ତୁମ୍ଭର ହସ୍ତ ମୋତେ ଅତିଶୟ ଚାପୁଅଛି।
3ତୁମ୍ଭ କୋପ ସକାଶୁ ମୋ’ ଶରୀର କିଛି ସ୍ୱାସ୍ଥ୍ୟ ନାହିଁ; ପୁଣି, ମୋ’ ପାପ ସକାଶୁ ମୋ’ ଅସ୍ଥିରେ କିଛି ଆରାମ ନାହିଁ।
4କାରଣ ମୋହର ଅପରାଧ ମୋ’ ମସ୍ତକ ଉପରେ ଉଠିଅଛି; ତାହାସବୁ ମୋ’ ଶକ୍ତି ଅପେକ୍ଷା ଭାରୀ ବୋଝ ସ୍ୱରୂପ।
5ମୋହର ଅଜ୍ଞାନତା ସକାଶୁ ମୋହର କ୍ଷତସବୁ ଦୁର୍ଗନ୍ଧ ଓ ବିକୃତ ହୋଇଅଛି।
6ମୁଁ ବ୍ୟଥିତ ଓ ଅତ୍ୟନ୍ତ ଅବନତ ହୋଇଅଛି। ମୁଁ ସାରାଦିନ ଶୋକ କରି ବୁଲୁଥାଏ।
7କାରଣ ମୋ’ କଟିଦେଶ ଜ୍ୱାଳାରେ ପରିପୂର୍ଣ୍ଣ ଓ ମୋହର ମାଂସରେ କିଛି ସ୍ୱାସ୍ଥ୍ୟ ନାହିଁ।
8ମୁଁ କ୍ଷୀଣ ଓ ଅତିଶୟ ଚୂର୍ଣ୍ଣ ହୋଇଅଛି। ମୁଁ ଆପଣା ଚିତ୍ତର ଅସ୍ଥିରତା ହେତୁରୁ ଆର୍ତ୍ତନାଦ କରିଅଛି।
9ହେ ପ୍ରଭୁ, ମୋହର ସକଳ ବାଞ୍ଛା ତୁମ୍ଭ ସମ୍ମୁଖରେ ଅଛି ଓ ମୋହର କାତରୋକ୍ତି ତୁମ୍ଭଠାରୁ ଗୁପ୍ତ ନୁହେଁ।
10ମୋହର ହୃଦୟ ଧୁକ୍ଧୁକ୍ କରୁଅଛି, ମୋହର ବଳ କ୍ଷୀଣ ହେଉଅଛି; ମୋହର ଚକ୍ଷୁର ତେଜ ମଧ୍ୟ ମୋ’ଠାରୁ ଗଲାଣି।
11ମୋହର ପ୍ରିୟ ଲୋକେ ଓ ମୋହର ମିତ୍ରମାନେ ମୋ’ ବ୍ୟାଧିରୁ ଅଲଗା ଠିଆ ହୁଅନ୍ତି ଓ ମୋହର ଜ୍ଞାତିବର୍ଗ ଦୂରରେ ଠିଆ ହୁଅନ୍ତି।
12ମଧ୍ୟ ଯେଉଁମାନେ ମୋ’ ପ୍ରାଣ ଚାହାନ୍ତି, ସେମାନେ ମୋ’ ପାଇଁ ଫାନ୍ଦ ପାତନ୍ତି; ପୁଣି, ଯେଉଁମାନେ ମୋହର ଅନିଷ୍ଟ ଇଚ୍ଛା କରନ୍ତି, ସେମାନେ ସର୍ବନାଶର କଥା କହନ୍ତି ଓ ସାରାଦିନ ଛଳର ଚିନ୍ତା କରନ୍ତି।
13ମାତ୍ର ମୁଁ ବଧିର ଲୋକ ପରି ଶୁଣୁ ନାହିଁ; ପୁଣି, ମୁଁ ମୁଖ ନ ଫିଟାଇବା ଘୁଙ୍ଗା ଲୋକ ତୁଲ୍ୟ ହୁଏ।
14ଆହୁରି, ଯେ ନ ଶୁଣେ ଓ ଯାହାର ମୁଖରେ ପ୍ରତିବାଦ ନ ଥାଏ, ଏପରି ଲୋକ ତୁଲ୍ୟ ହୁଏ।
15କାରଣ ହେ ସଦାପ୍ରଭୁ, ମୁଁ ତୁମ୍ଭଠାରେ ଭରସା ରଖେ; ହେ ପ୍ରଭୁ, ମୋର ପରମେଶ୍ୱର, ତୁମ୍ଭେ ଉତ୍ତର ଦେବ।
16କାରଣ ମୁଁ କହିଲି, କେଜାଣି ମୋହର ଶତ୍ରୁମାନେ ମୋ’ ଉପରେ ଆନନ୍ଦ କରିବେ; ମୋ’ ପାଦ ଖସିଗଲା ବେଳେ ସେମାନେ ମୋ’ ପ୍ରତିକୂଳରେ ଦର୍ପ କରନ୍ତି।
17ଯେଣୁ ମୁଁ ଝୁଣ୍ଟି ପଡ଼ିବାକୁ ଉଦ୍ୟତ ଓ ମୋହର ଦୁଃଖ ସର୍ବଦା ମୋ’ ସମ୍ମୁଖରେ ଥାଏ।
18ମୁଁ ଆପଣା ଅପରାଧ ପ୍ରକାଶ କରିବି; ମୁଁ ଆପଣା ପାପ ଲାଗି ଖେଦିତ ହେବି।
19ମାତ୍ର ମୋହର ଶତ୍ରୁମାନେ ସତେଜ ଓ ବଳବାନ; ପୁଣି, ଅନ୍ୟାୟରେ ମୋତେ ଘୃଣା କରିବା ଲୋକେ ବହୁସଂଖ୍ୟକ ହୋଇଅଛନ୍ତି।
20ମଧ୍ୟ ଯେଉଁମାନେ ହିତର ପରିବର୍ତ୍ତେ ଅହିତ କରନ୍ତି, ସେମାନେ ମୋହର ବିପକ୍ଷ; କାରଣ ମୁଁ ଉତ୍ତମ ବିଷୟର ଅନୁଗମନ କରେ।
21ହେ ସଦାପ୍ରଭୁ, ମୋତେ ପରିତ୍ୟାଗ କର ନାହିଁ; ହେ ମୋହର ପରମେଶ୍ୱର, ମୋ’ଠାରୁ ଦୂରବର୍ତ୍ତୀ ହୁଅ ନାହିଁ।