18ସେମାନେ ଆପଣାମାନଙ୍କ ମଧ୍ୟରେ ମୋହର ବସ୍ତ୍ର ବିଭାଗ କରନ୍ତି ଓ ସେମାନେ ମୋ’ ଉତ୍ତରୀୟ ବସ୍ତ୍ର ପାଇଁ ଗୁଲିବାଣ୍ଟ କରନ୍ତି।
19ମାତ୍ର ହେ ସଦାପ୍ରଭୁ, ତୁମ୍ଭେ ମୋ’ଠାରୁ ଦୂରବର୍ତ୍ତୀ ହୁଅ ନାହିଁ; ହେ ମୋହର ଆଶ୍ରୟ, ତୁମ୍ଭେ ମୋର ସାହାଯ୍ୟ ପାଇଁ ସତ୍ୱର ହୁଅ।
20ଖଡ୍ଗରୁ ମୋ’ ପ୍ରାଣକୁ ଓ କୁକ୍କୁରର ବଳରୁ ମୋହର ଏକମାତ୍ର ଆତ୍ମାକୁ ଉଦ୍ଧାର କର।
21ସିଂହର ମୁଖରୁ ମୋତେ ନିସ୍ତାର କର; ହଁ, ଅରଣା ଷଣ୍ଢର ଶୃଙ୍ଗରୁ ରକ୍ଷା କରି ତୁମ୍ଭେ ମୋତେ ଉତ୍ତର ଦେଇଅଛ।
22ମୁଁ ଆପଣା ଭ୍ରାତୃଗଣ ନିକଟରେ ତୁମ୍ଭ ନାମ ପ୍ରଚାର କରିବି; ସମାଜ ମଧ୍ୟରେ ମୁଁ ତୁମ୍ଭର ପ୍ରଶଂସା କରିବି।
23ହେ ସଦାପ୍ରଭୁଙ୍କର ଭୟକାରୀଗଣ, ତୁମ୍ଭେମାନେ ତାହାଙ୍କର ପ୍ରଶଂସା କର; ହେ ଯାକୁବର ବଂଶ, ତୁମ୍ଭେ ସମସ୍ତେ ତାହାଙ୍କର ସମାଦର କର; ହେ ଇସ୍ରାଏଲର ବଂଶ, ତୁମ୍ଭେ ସମସ୍ତେ ତାହାଙ୍କ ନିକଟରେ ଭୀତ ହୁଅ।