Text copied!
CopyCompare
ଓଡିଆ ବାଇବେଲ - ଗୀତସଂହିତା - ଗୀତସଂହିତା 119

ଗୀତସଂହିତା 119:99-146

Help us?
Click on verse(s) to share them!
99ମୋହର ସମସ୍ତ ଗୁରୁ ଅପେକ୍ଷା ମୋ’ ବୁଦ୍ଧି ଅଧିକ; କାରଣ ତୁମ୍ଭର ପ୍ରମାଣ-ବାକ୍ୟସବୁ ମୋହର ଧ୍ୟାନ।
100ମୁଁ ପ୍ରାଚୀନମାନଙ୍କ ଅପେକ୍ଷା ଅଧିକ ବୁଝେ। ଯେଣୁ ମୁଁ ତୁମ୍ଭର ବିଧାନସବୁ ପାଳନ କରିଅଛି।
101ମୁଁ ଯେପରି ତୁମ୍ଭର ବାକ୍ୟ ପାଳନ କରିବି, ଏଥିପାଇଁ ପ୍ରତ୍ୟେକ କୁପଥରୁ ମୁଁ ଆପଣା ପାଦ ଅଟକାଇଅଛି।
102ମୁଁ ତୁମ୍ଭ ଶାସନରୁ ବିମୁଖ ହୋଇ ନାହିଁ; କାରଣ ତୁମ୍ଭେ ମୋତେ ଶିକ୍ଷା ଦେଇଅଛ।
103ମୋ’ ତୁଣ୍ଡକୁ ତୁମ୍ଭ ବାକ୍ୟ କିପରି ମଧୁର ! ହଁ, ମୋ’ ମୁଖକୁ ତାହା ମଧୁ ଅପେକ୍ଷା ମଧୁର !
104ତୁମ୍ଭ ବିଧାନ ଦ୍ୱାରା ମୁଁ ବୁଦ୍ଧି ପ୍ରାପ୍ତ ହୁଏ; ଏଥିପାଇଁ ମୁଁ ପ୍ରତ୍ୟେକ ମିଥ୍ୟାପଥ ଘୃଣା କରେ।
105ନୂନ୍‍। ତୁମ୍ଭ ବାକ୍ୟ ମୋ’ ଚରଣ ପାଇଁ ପ୍ରଦୀପ ଓ ମୋ’ ପଥ ପାଇଁ ଆଲୁଅ ଅଟେ।
106ମୁଁ ତୁମ୍ଭର ଧର୍ମମୟ ଶାସନସବୁ ପାଳିବା ପାଇଁ ଶପଥ କରିଅଛି ଓ ତାହା ସ୍ଥିର କରିଅଛି।
107ମୁଁ ଅତ୍ୟନ୍ତ ଦୁଃଖିତ ଅଛି; ହେ ସଦାପ୍ରଭୁ, ତୁମ୍ଭ ବାକ୍ୟାନୁସାରେ ମୋତେ ସଚେତ କର।
108ହେ ସଦାପ୍ରଭୁ, ନିବେଦନ କରୁଅଛି, ମୋ’ ମୁଖର ସ୍ୱେଚ୍ଛାଦତ୍ତ ଉପହାର ଗ୍ରହଣ କର ଓ ତୁମ୍ଭର ଶାସନସବୁ ମୋତେ ଶିଖାଅ।
109ମୋ’ ପ୍ରାଣ ନିରନ୍ତର ବିପଦରେ ଥାଏ; ତେବେ ହେଁ ମୁଁ ତୁମ୍ଭ ବ୍ୟବସ୍ଥା ପାସୋରୁ ନାହିଁ।
110ଦୁଷ୍ଟମାନେ ମୋ’ ପାଇଁ ଫାନ୍ଦ ପାତିଅଛନ୍ତି; ତଥାପି ମୁଁ ତୁମ୍ଭ ବିଧାନରୁ ବିପଥଗାମୀ ହେଲି ନାହିଁ।
111ମୁଁ ତୁମ୍ଭ ପ୍ରମାଣ-ବାକ୍ୟସକଳକୁ ସଦାକାଳ ଅଧିକାର ରୂପେ ଗ୍ରହଣ କରିଅଛି; କାରଣ ତାହାସବୁ ମୋ’ ଚିତ୍ତର ଆହ୍ଲାଦଜନକ।
112ମୁଁ ଶେଷ ପର୍ଯ୍ୟନ୍ତ ସର୍ବଦା ତୁମ୍ଭର ବିଧିସବୁ ପାଳନ କରିବା ପାଇଁ ଆପଣା ମନକୁ ପ୍ରବର୍ତ୍ତାଇଅଛି।
113ସାମକ୍‍। ମୁଁ ଦ୍ୱିମନାମାନଙ୍କୁ ଘୃଣା କରେ; ମାତ୍ର ତୁମ୍ଭ ବ୍ୟବସ୍ଥାକୁ ପ୍ରିୟ ଜ୍ଞାନ କରେ।
114ତୁମ୍ଭେ ମୋ’ ଲୁଚିବାର ସ୍ଥାନ ଓ ମୋହର ଢାଲ; ମୁଁ ତୁମ୍ଭ ବାକ୍ୟରେ ଭରସା କରେ।
115ହେ କୁକର୍ମକାରୀମାନେ, ମୁଁ ଯେପରି ଆପଣା ପରମେଶ୍ୱରଙ୍କ ଆଜ୍ଞାସବୁ ପାଳି ପାରିବି, ଏଥିପାଇଁ ମୋ’ ନିକଟରୁ ଦୂର ହୁଅ।
116ମୁଁ ଯେପରି ବଞ୍ଚିବି, ଏଥିପାଇଁ ତୁମ୍ଭ ବାକ୍ୟାନୁସାରେ ମୋତେ ଧରି ରଖ ଓ ମୋ’ ଭରସା ବିଷୟରେ ମୋତେ ଲଜ୍ଜିତ ହେବାକୁ ଦିଅ ନାହିଁ।
117ତୁମ୍ଭେ ମୋତେ ଧରି ରଖ, ତହିଁରେ ମୁଁ ଆପଦରହିତ ହେବି ଓ ତୁମ୍ଭ ବିଧିସବୁ ସର୍ବଦା ମାନ୍ୟ କରିବି।
118ତୁମ୍ଭ ବିଧିରୁ ଭ୍ରାନ୍ତ ସମସ୍ତଙ୍କୁ ତୁମ୍ଭେ ତୁଚ୍ଛ ଜ୍ଞାନ କରିଅଛ; କାରଣ ସେମାନଙ୍କ ପ୍ରବଞ୍ଚନା ମିଥ୍ୟା।
119ତୁମ୍ଭେ ପୃଥିବୀସ୍ଥ ଦୁଷ୍ଟସମସ୍ତଙ୍କୁ ଧାତୁର ଖାଦ ପରି ଦୂର କରିଥାଅ; ଏଣୁ ମୁଁ ତୁମ୍ଭ ପ୍ରମାଣ-ବାକ୍ୟକୁ ସ୍ନେହ କରେ।
120ତୁମ୍ଭ ଭୟ ସକାଶୁ ମୋ’ ଶରୀର କମ୍ପିତ ହୁଏ ଓ ତୁମ୍ଭ ଶାସନ ବିଷୟରେ ମୁଁ ଭୀତ ହୁଏ।
121ଅଇନ୍‍। ମୁଁ ନ୍ୟାୟ ଓ ଧର୍ମାଚରଣ କରିଅଛି; ମୋ’ ଉପଦ୍ରବୀମାନଙ୍କ ହସ୍ତରେ ମୋତେ ସମର୍ପଣ କର ନାହିଁ।
122ମଙ୍ଗଳ ନିମନ୍ତେ ଆପଣା ଦାସର ଲଗା ହୁଅ; ଅହଙ୍କାରୀମାନଙ୍କୁ ମୋ’ ପ୍ରତି ଉପଦ୍ରବ କରିବାକୁ ଦିଅ ନାହିଁ।
123ତୁମ୍ଭର ପରିତ୍ରାଣ ଓ ତୁମ୍ଭର ଧର୍ମମୟ ବାକ୍ୟ ନିମନ୍ତେ ମୋହର ଚକ୍ଷୁ କ୍ଷୀଣ ହେଉଅଛି।
124ତୁମ୍ଭ ଦୟାନୁସାରେ ଆପଣା ଦାସ ପ୍ରତି ବ୍ୟବହାର କର ଓ ତୁମ୍ଭର ବିଧି ମୋତେ ଶିଖାଅ।
125ମୁଁ ତୁମ୍ଭର ଦାସ, ଯେପରି ମୁଁ ତୁମ୍ଭର ପ୍ରମାଣ-ବାକ୍ୟସକଳ ଜ୍ଞାତ ହେବି, ଏଥିପାଇଁ ମୋତେ ବୁଦ୍ଧି ଦିଅ।
126ସଦାପ୍ରଭୁଙ୍କର କାର୍ଯ୍ୟ କରିବାର ସମୟ ଏହି; କାରଣ ଲୋକମାନେ ତୁମ୍ଭ ବ୍ୟବସ୍ଥା ବ୍ୟର୍ଥ କରିଅଛନ୍ତି।
127ଏହେତୁ ମୁଁ ସୁବର୍ଣ୍ଣ ଓ ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ତୁମ୍ଭ ଆଜ୍ଞାସମୂହକୁ ସ୍ନେହ କରେ।
128ଏଣୁ ମୁଁ ସବୁ ବିଷୟରେ ତୁମ୍ଭର ସକଳ ବିଧାନ ଯଥାର୍ଥ ଜ୍ଞାନ କରେ ଓ ପ୍ରତ୍ୟେକ ମିଥ୍ୟାପଥ ଘୃଣା କରେ।
129ପେ। ତୁମ୍ଭ ପ୍ରମାଣ-ବାକ୍ୟସକଳ ଆଶ୍ଚର୍ଯ୍ୟ; ଏଥିପାଇଁ ମୋ’ ପ୍ରାଣ ତାହାସବୁ ପାଳନ କରେ।
130ତୁମ୍ଭ ବାକ୍ୟର ବିକାଶ ଆଲୁଅ ପ୍ରଦାନ କରେ; ତାହା ନିର୍ବୋଧକୁ ବୋଧ ଦିଏ।
131ମୁଁ ତୁମ୍ଭ ଆଜ୍ଞାର ଆକାଂକ୍ଷାରେ ଆପଣା ମୁଖ ଫର୍ଚା କରି ଫିଟାଇ ପକାଇଲି।
132ତୁମ୍ଭେ ଆପଣା ନାମର ପ୍ରେମକାରୀମାନଙ୍କ ପ୍ରତି ଯେପରି କରିଥାଅ, ସେପରି ମୋ’ ପ୍ରତି ଫେର ଓ ମୋତେ ଦୟା କର।
133ତୁମ୍ଭ ବାକ୍ୟାନୁସାରେ ମୋ’ ପାଦଗତି ସଜାଡ଼ ଓ ମୋ’ ଉପରେ କୌଣସି ଅଧର୍ମକୁ ରାଜତ୍ୱ କରିବାକୁ ଦିଅ ନାହିଁ।
134ମନୁଷ୍ୟର ଉପଦ୍ରବରୁ ମୋତେ ମୁକ୍ତ କର; ତହିଁରେ ମୁଁ ତୁମ୍ଭର ବିଧାନସବୁ ପାଳନ କରିବି।
135ତୁମ୍ଭ ଦାସ ପ୍ରତି ଆପଣା ମୁଖ ପ୍ରସନ୍ନ କର ଓ ତୁମ୍ଭର ବିଧିସବୁ ମୋତେ ଶିଖାଅ।
136ଲୋକମାନେ ତୁମ୍ଭର ବ୍ୟବସ୍ଥା ପାଳନ ନ କରିବାରୁ ମୋ’ ଚକ୍ଷୁରୁ ଜଳଧାରା ବହୁଅଛି।
137ସାଦେ। ହେ ସଦାପ୍ରଭୁ, ତୁମ୍ଭେ ଧର୍ମମୟ ଓ ତୁମ୍ଭର ଶାସନସକଳ ସରଳ।
138ତୁମ୍ଭେ ଧର୍ମରେ ଓ ଅତି ବିଶ୍ୱସ୍ତତାରେ ଆପଣା ପ୍ରମାଣ-ବାକ୍ୟସବୁ ଆଜ୍ଞା କରିଅଛ।
139ମୋହର ଉଦ୍‍ଯୋଗ ମୋତେ ଗ୍ରାସ କରିଅଛି, କାରଣ ମୋହର ବିପକ୍ଷଗଣ ତୁମ୍ଭର ବାକ୍ୟସବୁ ପାସୋରି ଅଛନ୍ତି।
140ତୁମ୍ଭର ବାକ୍ୟ ଅତ୍ୟନ୍ତ ନିର୍ମଳ; ତହିଁ ପାଇଁ ତୁମ୍ଭ ଦାସ ତାହା ସ୍ନେହ କରେ।
141ମୁଁ କ୍ଷୁଦ୍ର ଓ ତୁଚ୍ଛୀକୃତ; ତଥାପି ମୁଁ ତୁମ୍ଭର ବିଧାନସବୁ ପାସୋରୁ ନାହିଁ।
142ତୁମ୍ଭର ଧର୍ମ ଅନନ୍ତକାଳସ୍ଥାୟୀ ଧର୍ମ ଓ ତୁମ୍ଭର ବ୍ୟବସ୍ଥା ସତ୍ୟ।
143କ୍ଳେଶ ଓ ଯନ୍ତ୍ରଣା ମୋତେ ଆକ୍ରମଣ କରିଅଛି; ତେବେ ହେଁ ତୁମ୍ଭର ଆଜ୍ଞାସମୂହ ମୋହର ଆହ୍ଲାଦଜନକ।
144ତୁମ୍ଭର ପ୍ରମାଣ-ବାକ୍ୟସକଳ ସଦାକାଳ ଧର୍ମମୟ; ମୋତେ ବୁଦ୍ଧି ପ୍ରଦାନ କର, ତହିଁରେ ମୁଁ ବଞ୍ଚିବି।
145କଫ। ମୁଁ ସର୍ବାନ୍ତଃକରଣରେ ପ୍ରାର୍ଥନା କରିଅଛି; “ହେ ସଦାପ୍ରଭୁ, ମୋତେ ଉତ୍ତର ଦିଅ; ମୁଁ ତୁମ୍ଭର ବିଧି ପାଳନ କରିବି।
146ମୁଁ ତୁମ୍ଭ ନିକଟରେ ପ୍ରାର୍ଥନା କରିଅଛି; ମୋତେ ତ୍ରାଣ କର, ତହିଁରେ ମୁଁ ତୁମ୍ଭର ପ୍ରମାଣ-ବାକ୍ୟସବୁ ମାନିବି।”

Read ଗୀତସଂହିତା 119ଗୀତସଂହିତା 119
Compare ଗୀତସଂହିତା 119:99-146ଗୀତସଂହିତା 119:99-146