92ତୁମ୍ଭର ବ୍ୟବସ୍ଥା ମୋହର ଆହ୍ଲାଦଜନକ ହୋଇ ନ ଥିଲେ, ମୁଁ ଆପଣା ଦୁଃଖରେ ବିନଷ୍ଟ ହୋଇଥା’ନ୍ତି।
93ତୁମ୍ଭର ବିଧାନସବୁ ମୁଁ କେବେ ପାସୋରିବି ନାହିଁ; କାରଣ ତଦ୍ଦ୍ୱାରା ତୁମ୍ଭେ ମୋତେ ସଚେତ କରିଅଛ।
94ମୋତେ ତ୍ରାଣ କର, ମୁଁ ତୁମ୍ଭର; କାରଣ ମୁଁ ତୁମ୍ଭର ବିଧାନସବୁ ଅନ୍ୱେଷଣ କରିଅଛି।
95ଦୁଷ୍ଟମାନେ ମୋତେ ବିନାଶ କରିବା ପାଇଁ ଚାହିଁ ରହିଅଛନ୍ତି; ମାତ୍ର ମୁଁ ତୁମ୍ଭର ପ୍ରମାଣ-ବାକ୍ୟ ବିବେଚନା କରିବି।
96ମୁଁ ସବୁ ସିଦ୍ଧିର ଅନ୍ତ ଦେଖିଅଛି; ମାତ୍ର ତୁମ୍ଭର ଆଜ୍ଞା ସୀମାହୀନ।
97ମେମ୍। ମୁଁ ତୁମ୍ଭର ବ୍ୟବସ୍ଥାକୁ କିପରି ପ୍ରିୟ ମଣେ। ତାହା ସାରାଦିନ ମୋହର ଧ୍ୟାନ।
98ତୁମ୍ଭ ଆଜ୍ଞାସବୁ ମୋତେ ମୋ’ ଶତ୍ରୁଗଣଠାରୁ ଅଧିକ ଜ୍ଞାନବାନ କରେ; କାରଣ ତାହାସବୁ ନିରନ୍ତର ମୋ’ ସଙ୍ଗେ ଥାଏ।
99ମୋହର ସମସ୍ତ ଗୁରୁ ଅପେକ୍ଷା ମୋ’ ବୁଦ୍ଧି ଅଧିକ; କାରଣ ତୁମ୍ଭର ପ୍ରମାଣ-ବାକ୍ୟସବୁ ମୋହର ଧ୍ୟାନ।
100ମୁଁ ପ୍ରାଚୀନମାନଙ୍କ ଅପେକ୍ଷା ଅଧିକ ବୁଝେ। ଯେଣୁ ମୁଁ ତୁମ୍ଭର ବିଧାନସବୁ ପାଳନ କରିଅଛି।
101ମୁଁ ଯେପରି ତୁମ୍ଭର ବାକ୍ୟ ପାଳନ କରିବି, ଏଥିପାଇଁ ପ୍ରତ୍ୟେକ କୁପଥରୁ ମୁଁ ଆପଣା ପାଦ ଅଟକାଇଅଛି।
102ମୁଁ ତୁମ୍ଭ ଶାସନରୁ ବିମୁଖ ହୋଇ ନାହିଁ; କାରଣ ତୁମ୍ଭେ ମୋତେ ଶିକ୍ଷା ଦେଇଅଛ।
103ମୋ’ ତୁଣ୍ଡକୁ ତୁମ୍ଭ ବାକ୍ୟ କିପରି ମଧୁର ! ହଁ, ମୋ’ ମୁଖକୁ ତାହା ମଧୁ ଅପେକ୍ଷା ମଧୁର !
104ତୁମ୍ଭ ବିଧାନ ଦ୍ୱାରା ମୁଁ ବୁଦ୍ଧି ପ୍ରାପ୍ତ ହୁଏ; ଏଥିପାଇଁ ମୁଁ ପ୍ରତ୍ୟେକ ମିଥ୍ୟାପଥ ଘୃଣା କରେ।
105ନୂନ୍। ତୁମ୍ଭ ବାକ୍ୟ ମୋ’ ଚରଣ ପାଇଁ ପ୍ରଦୀପ ଓ ମୋ’ ପଥ ପାଇଁ ଆଲୁଅ ଅଟେ।
106ମୁଁ ତୁମ୍ଭର ଧର୍ମମୟ ଶାସନସବୁ ପାଳିବା ପାଇଁ ଶପଥ କରିଅଛି ଓ ତାହା ସ୍ଥିର କରିଅଛି।
107ମୁଁ ଅତ୍ୟନ୍ତ ଦୁଃଖିତ ଅଛି; ହେ ସଦାପ୍ରଭୁ, ତୁମ୍ଭ ବାକ୍ୟାନୁସାରେ ମୋତେ ସଚେତ କର।
108ହେ ସଦାପ୍ରଭୁ, ନିବେଦନ କରୁଅଛି, ମୋ’ ମୁଖର ସ୍ୱେଚ୍ଛାଦତ୍ତ ଉପହାର ଗ୍ରହଣ କର ଓ ତୁମ୍ଭର ଶାସନସବୁ ମୋତେ ଶିଖାଅ।
109ମୋ’ ପ୍ରାଣ ନିରନ୍ତର ବିପଦରେ ଥାଏ; ତେବେ ହେଁ ମୁଁ ତୁମ୍ଭ ବ୍ୟବସ୍ଥା ପାସୋରୁ ନାହିଁ।
110ଦୁଷ୍ଟମାନେ ମୋ’ ପାଇଁ ଫାନ୍ଦ ପାତିଅଛନ୍ତି; ତଥାପି ମୁଁ ତୁମ୍ଭ ବିଧାନରୁ ବିପଥଗାମୀ ହେଲି ନାହିଁ।
111ମୁଁ ତୁମ୍ଭ ପ୍ରମାଣ-ବାକ୍ୟସକଳକୁ ସଦାକାଳ ଅଧିକାର ରୂପେ ଗ୍ରହଣ କରିଅଛି; କାରଣ ତାହାସବୁ ମୋ’ ଚିତ୍ତର ଆହ୍ଲାଦଜନକ।
112ମୁଁ ଶେଷ ପର୍ଯ୍ୟନ୍ତ ସର୍ବଦା ତୁମ୍ଭର ବିଧିସବୁ ପାଳନ କରିବା ପାଇଁ ଆପଣା ମନକୁ ପ୍ରବର୍ତ୍ତାଇଅଛି।
113ସାମକ୍। ମୁଁ ଦ୍ୱିମନାମାନଙ୍କୁ ଘୃଣା କରେ; ମାତ୍ର ତୁମ୍ଭ ବ୍ୟବସ୍ଥାକୁ ପ୍ରିୟ ଜ୍ଞାନ କରେ।
114ତୁମ୍ଭେ ମୋ’ ଲୁଚିବାର ସ୍ଥାନ ଓ ମୋହର ଢାଲ; ମୁଁ ତୁମ୍ଭ ବାକ୍ୟରେ ଭରସା କରେ।
115ହେ କୁକର୍ମକାରୀମାନେ, ମୁଁ ଯେପରି ଆପଣା ପରମେଶ୍ୱରଙ୍କ ଆଜ୍ଞାସବୁ ପାଳି ପାରିବି, ଏଥିପାଇଁ ମୋ’ ନିକଟରୁ ଦୂର ହୁଅ।
116ମୁଁ ଯେପରି ବଞ୍ଚିବି, ଏଥିପାଇଁ ତୁମ୍ଭ ବାକ୍ୟାନୁସାରେ ମୋତେ ଧରି ରଖ ଓ ମୋ’ ଭରସା ବିଷୟରେ ମୋତେ ଲଜ୍ଜିତ ହେବାକୁ ଦିଅ ନାହିଁ।
117ତୁମ୍ଭେ ମୋତେ ଧରି ରଖ, ତହିଁରେ ମୁଁ ଆପଦରହିତ ହେବି ଓ ତୁମ୍ଭ ବିଧିସବୁ ସର୍ବଦା ମାନ୍ୟ କରିବି।
118ତୁମ୍ଭ ବିଧିରୁ ଭ୍ରାନ୍ତ ସମସ୍ତଙ୍କୁ ତୁମ୍ଭେ ତୁଚ୍ଛ ଜ୍ଞାନ କରିଅଛ; କାରଣ ସେମାନଙ୍କ ପ୍ରବଞ୍ଚନା ମିଥ୍ୟା।
119ତୁମ୍ଭେ ପୃଥିବୀସ୍ଥ ଦୁଷ୍ଟସମସ୍ତଙ୍କୁ ଧାତୁର ଖାଦ ପରି ଦୂର କରିଥାଅ; ଏଣୁ ମୁଁ ତୁମ୍ଭ ପ୍ରମାଣ-ବାକ୍ୟକୁ ସ୍ନେହ କରେ।
120ତୁମ୍ଭ ଭୟ ସକାଶୁ ମୋ’ ଶରୀର କମ୍ପିତ ହୁଏ ଓ ତୁମ୍ଭ ଶାସନ ବିଷୟରେ ମୁଁ ଭୀତ ହୁଏ।
121ଅଇନ୍। ମୁଁ ନ୍ୟାୟ ଓ ଧର୍ମାଚରଣ କରିଅଛି; ମୋ’ ଉପଦ୍ରବୀମାନଙ୍କ ହସ୍ତରେ ମୋତେ ସମର୍ପଣ କର ନାହିଁ।
122ମଙ୍ଗଳ ନିମନ୍ତେ ଆପଣା ଦାସର ଲଗା ହୁଅ; ଅହଙ୍କାରୀମାନଙ୍କୁ ମୋ’ ପ୍ରତି ଉପଦ୍ରବ କରିବାକୁ ଦିଅ ନାହିଁ।
123ତୁମ୍ଭର ପରିତ୍ରାଣ ଓ ତୁମ୍ଭର ଧର୍ମମୟ ବାକ୍ୟ ନିମନ୍ତେ ମୋହର ଚକ୍ଷୁ କ୍ଷୀଣ ହେଉଅଛି।
124ତୁମ୍ଭ ଦୟାନୁସାରେ ଆପଣା ଦାସ ପ୍ରତି ବ୍ୟବହାର କର ଓ ତୁମ୍ଭର ବିଧି ମୋତେ ଶିଖାଅ।