71ମୁଁ ଯେପରି ତୁମ୍ଭର ବିଧିସବୁ ଶିଖିବି, ଏଥିପାଇଁ ମୁଁ ଯେ ଦୁଃଖଗ୍ରସ୍ତ ହେଲି, ଏହା ମୋ’ ପକ୍ଷରେ ଭଲ ହେଲା।
72ହଜାର ହଜାର ସୁନା ଓ ରୂପା ଅପେକ୍ଷା ତୁମ୍ଭ ମୁଖର ବ୍ୟବସ୍ଥା ମୋ’ ପ୍ରତି ଉତ୍ତମ।
73ଇୟୂଦ୍। ତୁମ୍ଭ ହସ୍ତ ମୋତେ ନିର୍ମାଣ ଓ ମୂର୍ତ୍ତିମାନ କରିଅଛି; ମୁଁ ଯେପରି ତୁମ୍ଭର ଆଜ୍ଞାସବୁ ପାଳନ କରିବି, ଏଥିପାଇଁ ମୋତେ ସୁବିବେଚନା ପ୍ରଦାନ କର।
74ଯେଉଁମାନେ ତୁମ୍ଭଙ୍କୁ ଭୟ କରନ୍ତି, ସେମାନେ ମୋତେ ଦେଖି ଆନନ୍ଦିତ ହେବେ; କାରଣ ମୁଁ ତୁମ୍ଭ ବାକ୍ୟରେ ଭରସା ରଖିଅଛି।
75ହେ ସଦାପ୍ରଭୁ, ମୁଁ ଜାଣେ, ତୁମ୍ଭ ଶାସନସକଳ ଧର୍ମମୟ, ପୁଣି, ତୁମ୍ଭେ ବିଶ୍ୱସ୍ତ ଭାବରେ ମୋତେ ଦୁଃଖ ଦେଇଅଛ।
76ମୁଁ ପ୍ରାର୍ଥନା କରୁଅଛି, ତୁମ୍ଭ ଦାସ ପ୍ରତି ତୁମ୍ଭ ବାକ୍ୟାନୁସାରେ ତୁମ୍ଭ ସ୍ନେହପୂର୍ଣ୍ଣ କରୁଣା ମୋହର ସାନ୍ତ୍ୱନାଜନକ ହେଉ।
77ମୁଁ ଯେପରି ବଞ୍ଚିବି, ଏଥିପାଇଁ ମୋ’ ପ୍ରତି ତୁମ୍ଭର କରୁଣା ବର୍ତ୍ତୁ; କାରଣ ତୁମ୍ଭର ବ୍ୟବସ୍ଥା ମୋହର ଆନନ୍ଦଜନକ।