7ତୁମ୍ଭେ ଆପଣା ମାର୍ଗରେ ଯାଅ, ଆନନ୍ଦରେ ଆପଣା ଆହାର ଭୋଜନ କର ଓ ହୃଷ୍ଟଚିତ୍ତରେ ଆପଣା ଦ୍ରାକ୍ଷାରସ ପାନ କର; କାରଣ ପରମେଶ୍ୱର ତୁମ୍ଭର କାର୍ଯ୍ୟ ଗ୍ରହଣ କରି ସାରିଲେଣି।
8ତୁମ୍ଭର ବସ୍ତ୍ର ସର୍ବଦା ଶୁଭ୍ର ଥାଉ ଓ ତୁମ୍ଭ ମସ୍ତକରେ ତୈଳର ଅଭାବ ନ ହେଉ।
9ସୂର୍ଯ୍ୟ ତଳେ ପରମେଶ୍ୱର ତୁମ୍ଭକୁ ଅସାର ଆୟୁଷର ଯେତେ ଦିନ ଦେଇଅଛନ୍ତି, ତୁମ୍ଭର ସେହି ଅସାର ଆୟୁଷର ସମସ୍ତ ଦିନ ଆପଣା ପ୍ରିୟତମା ଭାର୍ଯ୍ୟା ସଙ୍ଗେ ଆନନ୍ଦରେ ବାସ କର; କାରଣ ଜୀବନ ମଧ୍ୟରେ ଓ ସୂର୍ଯ୍ୟ ତଳେ ତୁମ୍ଭେ ଯେଉଁ ପରିଶ୍ରମ କରୁଅଛ, ସେହି ପରିଶ୍ରମ ମଧ୍ୟରେ ଏହା ହିଁ ତୁମ୍ଭର ଅଂଶ।
10ତୁମ୍ଭ ହସ୍ତ ଯେକୌଣସି କାର୍ଯ୍ୟ କରିବାକୁ ପାଏ, ତାହା ଆପଣା ଶକ୍ତିରେ କର; କାରଣ ତୁମ୍ଭେ ଯେଉଁ ସ୍ଥାନକୁ ଯାଉଅଛ, ସେହି କବରରେ କୌଣସି କାର୍ଯ୍ୟ, କି କଳ୍ପନା, କି ବିଦ୍ୟା, କି ଜ୍ଞାନ ନାହିଁ।
11ମୁଁ ଫେରି ସୂର୍ଯ୍ୟ ତଳେ ଦେଖିଲି ଯେ, ଦ୍ରୁତଗାମୀମାନଙ୍କୁ ବାଜି, କି ବୀରମାନଙ୍କୁ ଜୟ, ଅବା ଜ୍ଞାନୀମାନଙ୍କୁ ଅନ୍ନ, କିଅବା ବୁଦ୍ଧିମାନ ଲୋକମାନଙ୍କୁ ଧନ, ଅଥବା ପଣ୍ଡିତମାନଙ୍କୁ ଅନୁଗ୍ରହ ପ୍ରାପ୍ତ ହୁଏ ନାହିଁ, ମାତ୍ର ସମସ୍ତଙ୍କ ପ୍ରତି ସମୟ ଓ ଆକସ୍ମିକ ଘଟଣା ଘଟେ।
12କାରଣ ମନୁଷ୍ୟ ମଧ୍ୟ ଆପଣା ମୃତ୍ୟୁର ସମୟ ଜାଣେ ନାହିଁ; ଯେପରି ମତ୍ସ୍ୟଗଣ ଅଶୁଭ ଜାଲରେ ପଡ଼ନ୍ତି ଓ ଯେପରି ପକ୍ଷୀଗଣ ଫାନ୍ଦରେ ଧରାଯାଆନ୍ତି, ସେହିପରି ମନୁଷ୍ୟ ସନ୍ତାନଗଣ ଅକସ୍ମାତ୍ ଉପସ୍ଥିତ ବିପଦ ସମୟରେ ଧରାପଡ଼ନ୍ତି।
13ମୁଁ ମଧ୍ୟ ସୂର୍ଯ୍ୟ ତଳେ ଏହି ପ୍ରକାର ଜ୍ଞାନ ଦେଖିଅଛି, ଆଉ ତାହା ମୋ’ ଦୃଷ୍ଟିରେ ମହତ୍ ବୋଧ ହେଲା;
14ଯଥା, ଅଳ୍ପ ଲୋକବିଶିଷ୍ଟ ଏକ କ୍ଷୁଦ୍ର ନଗର ଥିଲା; ଆଉ, ଏକ ମହାରାଜା ତହିଁ ବିରୁଦ୍ଧରେ ଆସି ତାହା ବେଷ୍ଟନ କଲା ଓ ତାହା ବିରୁଦ୍ଧରେ ବଡ଼ ବଡ଼ ଦୁର୍ଗ ନିର୍ମାଣ କଲା।
15ଏପରି ସମୟରେ ତାହା ମଧ୍ୟରେ ଏକ ଦରିଦ୍ର ଜ୍ଞାନୀ ଲୋକ ଦେଖାଗଲା, ପୁଣି ସେ ଆପଣା ଜ୍ଞାନ ଦ୍ୱାରା ନଗର ରକ୍ଷା କଲା; ତଥାପି ସେହି ଦରିଦ୍ର ଲୋକକୁ କେହି ସ୍ମରଣ କଲା ନାହିଁ।