13ପୁଣି, ଆକାଶ ତଳେ କୃତ ସମସ୍ତ ବିଷୟ ଜ୍ଞାନ ଦ୍ୱାରା ଆଲୋଚନା ଓ ଅନୁସନ୍ଧାନ କରିବା ପାଇଁ ମନୋଯୋଗ କଲି; ଏତଦ୍ଦ୍ୱାରା ପରମେଶ୍ୱର ଯେ ମନୁଷ୍ୟ ସନ୍ତାନଗଣକୁ ବ୍ୟସ୍ତ ହେବାକୁ ଦେଇଅଛନ୍ତି, ଏହା ଅତ୍ୟନ୍ତ କ୍ଲେଶଜନକ।
14ସୂର୍ଯ୍ୟ ତଳେ କୃତ ସମସ୍ତ କାର୍ଯ୍ୟ ମୁଁ ନିରୀକ୍ଷଣ କରିଅଛି; ଆଉ ଦେଖ, ସବୁ ଅସାର, ବାୟୁର ପଶ୍ଚାଦ୍ଧାବନମାତ୍ର।
15ଯାହା ବଙ୍କା, ତାହା ସଳଖ କରାଯାଇ ନ ପାରେ ପୁଣି, ଯାହା ଅଭାବ, ତାହା ଗଣିତ ହୋଇ ନ ପାରେ।
16ମୁଁ ଆପଣା ହୃଦୟରେ ଭାବି କହିଲି, “ଦେଖ, ଯିରୂଶାଲମରେ ମୋ’ ପୂର୍ବେ ଥିବା ସମସ୍ତ ଲୋକଙ୍କ ଅପେକ୍ଷା ମୁଁ ବହୁତ ଜ୍ଞାନ ପ୍ରାପ୍ତ ହୋଇଅଛି; ଆହୁରି, ମୋହର ହୃଦୟ ଜ୍ଞାନ ଓ ବିଦ୍ୟାରେ ମହା ଅନୁଭବୀ ହୋଇଅଛି।”
17ତହୁଁ ମୁଁ ଜ୍ଞାନର ତତ୍ତ୍ୱ, ପୁଣି ପାଗଳାମି ଓ ଅଜ୍ଞାନତାର ତତ୍ତ୍ୱ ଜାଣିବା ପାଇଁ ମନୋଯୋଗ କଲି; ଏହା ହିଁ ବାୟୁର ପଶ୍ଚାଦ୍ଧାବନ ବୋଲି ଜାଣିଲି।
18କାରଣ ବହୁତ ଜ୍ଞାନରେ ବହୁତ କ୍ଲେଶ ଥାଏ; ପୁଣି, ଯେ ବିଦ୍ୟା ବୃଦ୍ଧି କରେ, ସେ ଦୁଃଖ ବୃଦ୍ଧି କରେ।