18ଯେଉଁ ଲୋକ ସିଦ୍ଧ ଭାବରେ ଚାଲେ, ସେ ରକ୍ଷା ପାଏ; ମାତ୍ର ଆପଣା ପଥରେ କୁଟିଳ ଲୋକ ଅକସ୍ମାତ୍ ପଡ଼ିବ।
19ଆପଣା ଭୂମି ଯେ ଚଷେ, ସେ ଯଥେଷ୍ଟ ଆହାର ପାଇବ; ପୁଣି, ଯେ ଅସାର ଲୋକଙ୍କର ଅନୁଗାମୀ ହୁଏ, ତାହାର ଯଥେଷ୍ଟ ଦରିଦ୍ରତା ହେବ।
20ବିଶ୍ୱସ୍ତ ଲୋକ ଆଶୀର୍ବାଦରେ ବର୍ଦ୍ଧିଷ୍ଣୁ ହେବ; ମାତ୍ର ଯେ ଧନବାନ ହେବାକୁ ଅତି ଉଦ୍ୟମ କରେ, ସେ ଅଦଣ୍ଡିତ ନୋହିବ।
21ମୁଖାପେକ୍ଷା କରିବା ଭଲ ନୁହେଁ। କିଅବା ଖଣ୍ଡେ ରୁଟି ପାଇଁ ଅଧର୍ମ କରିବା ଭଲ ନୁହେଁ।
22କୁଦୃଷ୍ଟି ଲୋକ ସମ୍ପତ୍ତି ପଛେ ଦୌଡ଼େ, ମାତ୍ର ତାହାକୁ ଅଭାବ ଆକ୍ରମଣ କରିବ ବୋଲି ସେ ଜାଣେ ନାହିଁ।
23ଜିହ୍ୱାରେ ଚାଟୁବାଦ କରିବା ଲୋକ ଅପେକ୍ଷା ମନୁଷ୍ୟକୁ ଅନୁଯୋଗ କରିବା ଲୋକ ଶେଷରେ ଅଧିକ ଅନୁଗ୍ରହ ପାଏ।
24ଯେ ଆପଣା ପିତା କିମ୍ବା ମାତାର ଦ୍ରବ୍ୟ ଅପହରଣ କରି କହେ, ଏଥିରେ କିଛି ଅଧର୍ମ ନାହିଁ, ସେ ସଂହାରକର ସଙ୍ଗୀ।
25ବହୁପ୍ରତ୍ୟାଶୀ ପ୍ରାଣ ବିବାଦ ଜନ୍ମାଏ, ମାତ୍ର ଯେ ସଦାପ୍ରଭୁଙ୍କ ଉପରେ ନିର୍ଭର ରଖେ, ସେ ହୃଷ୍ଟପୁଷ୍ଟ ହେବ।
26ଯେ ଆପଣା ଅନ୍ତଃକରଣରେ ନିର୍ଭର ରଖେ, ସେ ମୂର୍ଖ; ମାତ୍ର ଯେ ଜ୍ଞାନରେ ଚାଲେ, ସେ ରକ୍ଷା ପାଇବ।
27ଯେ ଦରିଦ୍ରକୁ ଦାନ କରେ, ତାହାର ଅଭାବ ହେବ ନାହିଁ; ମାତ୍ର ଯେ ଆପଣା ଚକ୍ଷୁ ମୁଦେ, ସେ ଅନେକ ଅଭିଶାପ ପାଇବ।
28ଦୁଷ୍ଟମାନେ ଉନ୍ନତ ହେଲେ, ଲୋକେ ଆପଣାମାନଙ୍କୁ ଲୁଚାନ୍ତି; ମାତ୍ର ସେମାନେ ବିନଷ୍ଟ ହେଲେ, ଧାର୍ମିକଗଣ ବର୍ଦ୍ଧିଷ୍ଣୁ ହୁଅନ୍ତି।