2ଯିରୂଶାଲମର ମେଷଦ୍ୱାର ନିକଟରେ ଗୋଟିଏ ପୁଷ୍କରିଣୀ ଅଛି; ଏବ୍ରୀ ଭାଷାରେ ତାହାକୁ ବେଥେସ୍ଦା ବୋଲି କହନ୍ତି, ତାହାର ପାଞ୍ଚୋଟି ମଣ୍ଡପ ।
3ସେଗୁଡ଼ିକରେ ଅନେକ ଅନେକ ପୀଡ଼ିତ, ଅନ୍ଧ, ଖଞ୍ଜ ଓ ଶୁଷ୍କାଙ୍ଗ ପଡ଼ିରହୁଥିଲେ । ସେମାନେ ଜଳସଞ୍ଚଳନ ଅପେକ୍ଷାରେ ରହୁଥିଲେ;
4କାରଣ କୌଣସି କୌଣସି ସମୟରେ ପ୍ରଭୁଙ୍କର ଜଣେ ଦୂତ ପୁଷ୍କରିଣୀରେ ଅବତରଣ କରି ଜଳ କମ୍ପାଉଥିଲେ, ଆଉ ଜଳ କମ୍ପିଲା ପରେ ଯେ କେହି ପ୍ରଥମରେ ସେଥିରେ ପ୍ରବେଶ କରୁଥିଲା, ସେ ଯେକୌଣସି ରୋଗରେ ଆକ୍ରାନ୍ତ ହୋଇଥିଲେ ସୁଦ୍ଧା ସୁସ୍ଥ ହେଉଥିଲା ।
5ସେଠାରେ ଅଠତିରିଶି ବର୍ଷାବଧି ରୋଗଗ୍ରସ୍ତ ଜଣେ ଲୋକ ଥିଲା ।
6ଯୀଶୁ ତାକୁ ପଡ଼ିରହିଥିବା ଦେଖି ବହୁକାଳର ରୋଗୀ ବୋଲି ଜାଣି ତାକୁ ପଚାରିଲେ, ତୁମ୍ଭେ କ'ଣ ସୁସ୍ଥ ହେବାକୁ ଇଚ୍ଛା କରୁଅଛ ?
7ରୋଗୀଟି ତାହାଙ୍କୁ ଉତ୍ତର ଦେଲା, ମହାଶୟ, ଜଳ କମ୍ପିବା ସମୟରେ ମୋତେ ପୋଖରୀ ଭିତରକୁ ଘେନିଯିବା ପାଇଁ ମୋହର କେହି ନାହିଁ; ଆଉ, ମୁଁ ଯାଉ ଯାଉ ଅନ୍ୟ ଜଣେ ମୋ' ଆଗରୁ ପଶିଯାଏ ।
8ଯୀଶୁ ତାକୁ କହିଲେ, ଉଠ, ତୁମ୍ଭର ଖଟିଆ ଘେନି ଚାଲ ।
9ସେହିକ୍ଷଣି ସେ ଲୋକଟି ସୁସ୍ଥ ହେଲା ଓ ଆପଣାର ଖଟିଆ ଘେନି ଚାଲିବାକୁ ଲାଗିଲା । ସେ ଦିନ ବିଶ୍ରାମବାର ଥିଲା ।
10ଅତଏବ, ଯିହୂଦୀମାନେ ସୁସ୍ଥ ହୋଇଥିବା ଲୋକକୁ କହିବାକୁ ଲାଗିଲେ, ଆଜି ବିଶ୍ରାମବାର, ଖଟିଆ ବୋହିନେଇଯିବା ତୁମ୍ଭ ନିମନ୍ତେ ବିଧିସଙ୍ଗତ ନୁହେଁ ।
11କିନ୍ତୁ, ସେ ସେମାନଙ୍କୁ ଉତ୍ତର ଦେଲା, ଯେ ମୋତେ ସୁସ୍ଥ କଲେ, ସେ ମୋତେ କହିଲେ, ତୁମ୍ଭର ଖଟିଆ ଘେନି ଚାଲ ।
12ସେମାନେ ତାକୁ ପଚାରିଲେ, ତୁମ୍ଭର ଖଟିଆ ଘେନି ଚାଲ ବୋଲି ଯେ ତୁମ୍ଭକୁ କହିଲା, ସେ ଲୋକ କିଏ ?
13କିନ୍ତୁ ସେ କିଏ, ତାହା ସେହି ସୁସ୍ଥ ହୋଇଥିବା ଲୋକ ଜାଣି ନ ଥିଲା, କାରଣ ସେ ସ୍ଥାନରେ ବହୁତ ଲୋକ ଥିବାରୁ ଯୀଶୁ ଅଗୋଚରରେ ଚାଲିଯାଇଥିଲେ ।
14ଏହାପରେ ଯୀଶୁ ମନ୍ଦିରରେ ତାହାର ଦେଖା ପାଇ ତାକୁ କହିଲେ, ଦେଖ, ତୁମ୍ଭେ ସୁସ୍ଥ ହୋଇଅଛ, ଆଉ ପାପ କର ନାହିଁ, ଯେପରି ତୁମ୍ଭ ପ୍ରତି ଅଧିକ ଦୁର୍ଦ୍ଦଶା ନ ଘଟେ ।