Text copied!
CopyCompare
ଓଡିଆ ବାଇବେଲ - ଯୋହନ - ଯୋହନ 1

ଯୋହନ 1:27-50

Help us?
Click on verse(s) to share them!
27ସେ ମୋ' ଉତ୍ତାରେ ଆସୁଅଛନ୍ତି, ତାହାଙ୍କ ପାଦୁକାର ବନ୍ଧନ ଫିଟାଇବାକୁ ମୁଁ ଯୋଗ୍ୟ ନୁହେଁ ।
28ଯର୍ଦନର ପରପାରସ୍ଥ ଯେଉଁ ବେଥନୀଆରେ ଯୋହନ ବାପ୍ତିସ୍ମ ଦେଉଥିଲେ, ସେହି ସ୍ଥାନରେ ଏହି ସବୁ ଘଟିଲା ।
29ତହିଁ ଆରଦିନ ସେ ଯୀଶୁଙ୍କୁ ନିଜ ପାଖକୁ ଆସୁଥିବା ଦେଖି କହିଲେ, ଏହି ଦେଖ, ଈଶ୍ୱରଙ୍କ ମେଷଶାବକ, ଯେ ଜଗତର ପାପ ବୋହିନେଇଯାଆନ୍ତି ।
30ମୋ' ଉତ୍ତାରେ ଯେ ଆସୁଅଛନ୍ତି, ସେ ମୋହର ଅଗ୍ରଗଣ୍ୟ ହୋଇଅଛନ୍ତି, କାରଣ ସେ ମୋର ପୂର୍ବରେ ଥିଲେ, ଯାହାଙ୍କ ବିଷୟରେ ମୁଁ ଏହା କହିଥିଲି, ସେ ଏହି ।
31ମୁଁ ମଧ୍ୟ ତାହାଙ୍କୁ ଚିହ୍ନି ନ ଥିଲି, କିନ୍ତୁ ସେ ଯେପରି ଇସ୍ରାଏଲ ନିକଟରେ ପ୍ରକାଶିତ ହୁଅନ୍ତି, ଏଥିସକାଶେ ମୁଁ ଜଳରେ ବାପ୍ତିସ୍ମ ଦେବାକୁ ଆସିଅଛି ।
32ଆଉ, ଯୋହନ ସାକ୍ଷ୍ୟ ଦେଇ କହିଲେ, ମୁଁ ଆତ୍ମାଙ୍କୁ କପୋତ ପରି ଆକାଶରୁ ଅବତରଣ କରିବା ଦେଖିଅଛି, ଆଉ ସେ ତାହାଙ୍କ ଉପରେ ଅବସ୍ଥାନ କଲେ ।
33ମୁଁ ମଧ୍ୟ ତାହାଙ୍କୁ ଚିହ୍ନି ନ ଥିଲି, ମାତ୍ର ଯେ ମୋତେ ଜଳରେ ବାପ୍ତିସ୍ମ ଦେବାକୁ ପଠାଇଲେ, ସେ ମୋତେ କହିଲେ, ଯାହାଙ୍କ ଉପରେ ଆତ୍ମାଙ୍କୁ ଅବତରଣ ଓ ଅବସ୍ଥାନ କରିବା ଦେଖିବ, ଯେ ପବିତ୍ର ଆତ୍ମାରେ ବାପ୍ତିସ୍ମ ଦିଅନ୍ତି, ସେ ସେହି ବ୍ୟକ୍ତି ।
34ଆଉ, ମୁଁ ତାହା ଦେଖିଅଛି ଓ ସେ ଈଶ୍ୱରଙ୍କ ପୁତ୍ର ବୋଲି ସାକ୍ଷ୍ୟ ଦେଇଅଛି ।
35ତହିଁ ଆରଦିନ ପୁନର୍ବାର ଯୋହନ ଓ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣ ଠିଆ ହୋଇଥିଲେ;
36ଆଉ, ସେ ଯୀଶୁଙ୍କୁ ସେହି ବାଟ ଦେଇ ଯାଉଥିବା ଦେଖି ତାହାଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, ଏହି ଦେଖ, ଈଶ୍ୱରଙ୍କ ମେଷଶାବକ ।
37ସେହି ଦୁଇ ଜଣ ଶିଷ୍ୟ ତାହାଙ୍କ କଥା ଶୁଣି ଯୀଶୁଙ୍କ ପଛେ ପଛେ ଗଲେ ।
38ଯୀଶୁ ବୁଲିପଡ଼ି ସେମାନଙ୍କୁ ପଛେ ପଛେ ଆସୁଥିବା ଦେଖି ପଚାରିଲେ, ତୁମ୍ଭେମାନେ କ'ଣ ଖୋଜୁଅଛ ? ସେମାନେ ତାହାଙ୍କୁ ପଚାରିଲେ, ରାବ୍ବୀ (ଅନୁବାଦ କଲେ ଏହାର ଅର୍ଥ ଗୁରୁ), ଆପଣ କେଉଁଠାରେ ରୁହନ୍ତି ?
39ସେ ସେମାନଙ୍କୁ କହିଲେ, ଆସ, ଦେଖିବ । ସେଥିରେ ସେମାନେ ଯାଇ ତାହାଙ୍କ ବସା ଦେଖିଲେ, ପୁଣି, ସେହି ଦିନ ତାହାଙ୍କ ସାଙ୍ଗରେ ରହିଲେ; ସେତେବେଳେ ସକାଳ ପ୍ରାୟ ଦଶ ଘଣ୍ଟା ହୋଇଥିଲା ।
40ଯେଉଁ ଦୁଇ ଜଣ ଯୋହନଙ୍କ କଥା ଶୁଣି ଯୀଶୁଙ୍କ ପଛେ ପଛେ ଯାଇଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଶିମୋନ ପିତରଙ୍କ ଭାଇ ଆନ୍ଦ୍ରୀୟ ଥିଲେ ।
41ସେ ପ୍ରଥମେ ଆପଣା ଭାଇ ଶିମୋନଙ୍କ ଦେଖା ପାଇ ତାହାଙ୍କୁ କହିଲେ, ଆମ୍ଭେମାନେ ମସୀହଙ୍କର (ଅନୁବାଦ କଲେ ଏହି ନାମର ଅର୍ଥ ଖ୍ରୀଷ୍ଟ) ଦେଖା ପାଇଅଛୁ ।
42ସେ ତାଙ୍କୁ ଯୀଶୁଙ୍କ ନିକଟକୁ ଆଣିଲେ । ଯୀଶୁ ତାଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, ତୁମ୍ଭେ ଯୋହନଙ୍କ ପୁତ୍ର ଶିମୋନ । ତୁମ୍ଭେ କୈଫା (ଅନୁବାଦ କଲେ ଏହାର ଅର୍ଥ ପିତର) ନାମରେ ଖ୍ୟାତ ହେବ ।
43ତହିଁ ଆରଦିନ ଯୀଶୁ ଗାଲିଲୀକୁ ବାହାରିଯିବା ପାଇଁ ଇଚ୍ଛା କଲେ, ଆଉ ସେ ଫିଲିପ୍ପଙ୍କ ଦେଖା ପାଇ ତାଙ୍କୁ କହିଲେ, ମୋହର ଅନୁଗମନ କର ।
44ଫିଲିପ୍ପ ବେଥ୍‍ସାଇଦାର ଲୋକ ଥିଲେ, ତାହା ଆନ୍ଦ୍ରୀୟ ଓ ପିତରଙ୍କର ନଗର ଥିଲା ।
45ଫିଲିପ୍ପ ନିଥନିୟେଲଙ୍କ ଦେଖା ପାଇ ତାଙ୍କୁ କହିଲେ, ଯାହାଙ୍କ ବିଷୟରେ ମୋଶା ମୋଶାଙ୍କ ବ୍ୟବସ୍ଥାରେ ଲେଖିଅଛନ୍ତି, ପୁଣି, ଭାବବାଦୀମାନେ ମଧ୍ୟ ଲେଖିଅଛନ୍ତି, ଆମ୍ଭେମାନେ ତାହାଙ୍କର ଦେଖା ପାଇଅଛୁ; ସେ ଯୋଷେଫଙ୍କ ପୁତ୍ର ନାଜରିତୀୟ ଯୀଶୁ ।
46ନିଥନିୟେଲ ତାଙ୍କୁ ପଚାରିଲେ, ନାଜରିତରୁ କି କୌଣସି ଉତ୍ତମ ବିଷୟ ଉତ୍ପନ୍ନ ହୋଇ ପାରେ ? ଫିଲିପ୍ପ ତାଙ୍କୁ କହିଲେ, ଆସି ଦେଖ ।
47ଯୀଶୁ ନିଥନିୟେଲଙ୍କୁ ଆପଣା ନିକଟକୁ ଆସୁଥିବା ଦେଖି ତାଙ୍କ ବିଷୟରେ କହିଲେ, ଏହି ଦେଖ, ପ୍ରକୃତରେ ଏ ଜଣେ ଇସ୍ରାଏଲୀୟ ଲୋକ, ଏହାଙ୍କଠାରେ ଛଳନା ନାହିଁ ।
48ନିଥନିୟେଲ ତାହାଙ୍କୁ ପଚାରିଲେ, ଆପଣ ମୋତେ କିପରି ଚିହ୍ନିଲେ ? ଯୀଶୁ ତାଙ୍କୁ ଉତ୍ତର ଦେଲେ, ଫିଲିପ୍ପ ତୁମ୍ଭକୁ ଡାକିବା ପୂର୍ବେ ତୁମ୍ଭେ ଯେତେବେଳେ ଡିମ୍ବିରି ଗଛ ତଳେ ଥିଲ, ସେତେବେଳେ ମୁଁ ତୁମ୍ଭକୁ ଦେଖିଥିଲି ।
49ନିଥନିୟେଲ ତାହାଙ୍କୁ ଉତ୍ତର ଦେଲେ, ହେ ଗୁରୁ ଆପଣ ଈଶ୍ୱରଙ୍କ ପୁତ୍ର, ଆପଣ ଇସ୍ରାଏଲର ରାଜା ।
50ଯୀଶୁ ତାଙ୍କୁ ଉତ୍ତର ଦେଲେ, ମୁଁ ତୁମ୍ଭକୁ ଡିମ୍ବିରି ଗଛ ତଳେ ଦେଖିଥିଲି ବୋଲି କହିବାରୁ କି ତୁମ୍ଭେ ବିଶ୍ୱାସ କରୁଅଛ ? ତୁମ୍ଭେ ଏହାଠାରୁ ଆହୁରି ମହତ‍୍ ମହତ‍୍ ବିଷୟ ଦେଖିବ ।

Read ଯୋହନ 1ଯୋହନ 1
Compare ଯୋହନ 1:27-50ଯୋହନ 1:27-50