Text copied!
CopyCompare
ଓଡିଆ ବାଇବେଲ - ଯୋହନ - ଯୋହନ 11

ଯୋହନ 11:29-46

Help us?
Click on verse(s) to share them!
29ସେ ଏହା ଶୁଣି ଶୀଘ୍ର ଉଠି ତାହାଙ୍କ ନିକଟକୁ ଗଲେ ।
30ଯୀଶୁ ସେତେବେଳେ ଗ୍ରାମ ଭିତରକୁ ଆସି ନ ଥିଲେ, କିନ୍ତୁ ମାର୍ଥା ତାହାଙ୍କୁ ଯେଉଁ ସ୍ଥାନରେ ଭେଟିଥିଲେ, ସେପର୍ଯ୍ୟନ୍ତ ସେ ସେହି ସ୍ଥାନରେ ଥିଲେ ।
31ଅତଏବ, ଯେଉଁ ଯିହୂଦୀମାନେ ତାଙ୍କ ସହିତ ଗୃହରେ ଥାଇ ତାଙ୍କୁ ସାନ୍ତ୍ୱନା ଦେଉଥିଲେ, ସେମାନେ ମରିୟମଙ୍କୁ ଶୀଘ୍ର ଉଠି ବାହାରିଯିବା ଦେଖି, ସେ ସମାଧି ନିକଟରେ ରୋଦନ କରିବା ନିମନ୍ତେ ଯାଉଅଛନ୍ତି, ଏହା ମନେ କରି ତାଙ୍କ ପଛେ ପଛେ ଗଲେ ।
32ସେଥିରେ ଯୀଶୁ ଯେଉଁ ସ୍ଥାନରେ ଥିଲେ, ମରିୟମ ସେହି ସ୍ଥାନରେ ଉପସ୍ଥିତ ହୋଇ ତାହାଙ୍କୁ ଦେଖି ତାହାଙ୍କର ଚରଣ ତଳେ ପଡ଼ି କହିଲେ, ପ୍ରଭୁ, ଯଦି ଆପଣ ଏଠାରେ ଉପସ୍ଥିତ ହୋଇଥାଆନ୍ତେ, ତାହାହେଲେ ମୋ' ଭାଇ ମରି ନ ଥା'ନ୍ତା ।
33ଅତଏବ, ଯୀଶୁ ତାଙ୍କୁ ଓ ତାଙ୍କ ସହିତ ଆସିଥିବା ଯିହୂଦୀମାନଙ୍କୁ ରୋଦନ କରୁଥିବା ଦେଖି ଆତ୍ମାରେ ଗଭୀର ଭାବେ ଆଲୋଡିତ ହେଲେ, ପୁଣି, କର୍ତ୍ତବ୍ୟ ସାଧନ ନିମନ୍ତେ ଦୃଢ଼ ସଂକଳ୍ପରେ ପଚାରିଲେ,
34ତାଙ୍କୁ କେଉଁଠାରେ ରଖିଅଛ ? ସେମାନେ ତାହାଙ୍କୁ କହିଲେ, ପ୍ରଭୁ, ଆସି ଦେଖନ୍ତୁ ।
35ଯୀଶୁ କାନ୍ଦିଲେ ।
36ସେଥିରେ ଯିହୂଦୀମାନେ କହିଲେ, ଦେଖ, ସେ ତାଙ୍କୁ କିପରି ସ୍ନେହ କରୁଥିଲେ ।
37କିନ୍ତୁ ସେମାନଙ୍କ ମଧ୍ୟରେ କେହି କେହି କହିଲେ, ଏହି ଯେଉଁ ବ୍ୟକ୍ତି ସେହି ଅନ୍ଧର ଆଖି ଫିଟାଇଥିଲେ, ସେ କ'ଣ ଏହାର ମୃତ୍ୟୁ ମଧ୍ୟ ନିବାରଣ କରି ପାରି ନ ଥାଆନ୍ତେ ?
38ସେଥିରେ ଯୀଶୁ ପୁନର୍ବାର ଅନ୍ତରରେ ବିରକ୍ତ ହୋଇ ସମାଧି ନିକଟକୁ ଆସିଲେ; ତାହା ଗୋଟିଏ ଗୁହା, ପୁଣି, ତା' ମୁହଁରେ ଗୋଟାଏ ପଥର ଥିଲା ।
39ଯୀଶୁ କହିଲେ, ଏହି ପଥର ଘୁଞ୍ଚାଇଦିଅ । ମୃତ ବ୍ୟକ୍ତିଙ୍କ ଭଗ୍ନୀ ମାର୍ଥା ତାହାଙ୍କୁ କହିଲେ, ପ୍ରଭୁ, ସେ ବାସିଗଲାଣି, କାରଣ ସେ ଚାରି ଦିନ ହେଲା ମଲାଣି ।
40ଯୀଶୁ ତାଙ୍କୁ କହିଲେ, ଯଦି ତୁମ୍ଭେ ବିଶ୍ୱାସ କର, ତାହାହେଲେ ଈଶ୍ୱରଙ୍କ ମହିମା ଦେଖିବ, ଏହା କ'ଣ ମୁଁ ତୁମ୍ଭକୁ କହିଲି ନାହିଁ ? ସେଥିରେ ସେମାନେ ପଥର ଘୁଞ୍ଚାଇଦେଲେ ।
41ଆଉ, ଯୀଶୁ ଊର୍ଦ୍ଧ୍ୱଦୃଷ୍ଟି କରି କହିଲେ, ପିତଃ, ତୁମ୍ଭେ ମୋହର ପ୍ରାର୍ଥନା ଶୁଣିଲ ବୋଲି ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଅଛି ।
42ତୁମ୍ଭେ ଯେ ସର୍ବଦା ମୋହର ପ୍ରାର୍ଥନା ଶୁଣିଥାଅ, ଏହା ମୁଁ ଜାଣିଥିଲି; କିନ୍ତୁ ଯେଉଁ ଲୋକସମୂହ ଚତୁର୍ଦ୍ଦିଗରେ ଠିଆ ହୋଇଅଛନ୍ତି, ତୁମ୍ଭେ ମୋତେ ପ୍ରେରଣ କରିଅଛ ବୋଲି ସେମାନେ ଯେପରି ବିଶ୍ୱାସ କରିବେ, ଏଥିପାଇଁ ସେମାନଙ୍କ ହେତୁ ମୁଁ ଏହା କହିଲି ।
43ସେ ଏହା କହି ଉଚ୍ଚସ୍ୱରରେ ଡାକିଲେ, ଲାଜାର, ବାହାରି ଆସ ।
44ମୃତ ଲୋକଟି ବାହାରି ଆସିଲେ; ତାଙ୍କ ହାତ ଓ ପାଦ ସମାଧିବସ୍ତ୍ରରେ ବନ୍ଧା ହୋଇଥିଲା, ପୁଣି, ତାଙ୍କ ମୁଖରେ ଖଣ୍ଡେ ଗାମୁଛା ଗୁଡ଼ା ହୋଇଥିଲା । ଯୀଶୁ ସେମାନଙ୍କୁ କହିଲେ, ଏହାଙ୍କ ବନ୍ଧନ ଫିଟାଇ ଚାଲିଯିବାକୁ ଦିଅ ।
45ଅତଏବ, ଯିହୂଦୀମାନଙ୍କ ମଧ୍ୟରେ ଅନେକେ, ଅର୍ଥାତ୍‍ ଯେଉଁମାନେ ମରିୟମଙ୍କ ନିକଟକୁ ଆସିଥିଲେ ଓ ଯୀଶୁଙ୍କ କର୍ମ ଦେଖିଥିଲେ, ସେମାନେ ତାହାଙ୍କଠାରେ ବିଶ୍ୱାସ କଲେ;
46ପୁଣି, ସେମାନଙ୍କ ମଧ୍ୟରୁ କେହି କେହି ଫାରୂଶୀମାନଙ୍କ ନିକଟକୁ ଯାଇ, ଯୀଶୁ ଯାହା ଯାହା କରିଥିଲେ, ସେହି ସବୁ ସେମାନଙ୍କୁ ଜଣାଇଲେ ।

Read ଯୋହନ 11ଯୋହନ 11
Compare ଯୋହନ 11:29-46ଯୋହନ 11:29-46