16ଯେଉଁ ମେଷଗୁଡ଼ିକ ଏହି ମେଷଶାଳାର ନୁହଁନ୍ତି, ମୋହର ଏପରି ଅନ୍ୟ ମେଷଗୁଡ଼ିକ ଅଛନ୍ତି, ସେମାନଙ୍କୁ ମଧ୍ୟ ମୋତେ ଆଣିବାକୁ ହେବ, ପୁଣି, ସେମାନେ ମୋହର ସ୍ୱର ଶୁଣିବେ; ସେଥିରେ ଗୋଟିଏ ପଲ ଓ ଗୋଟିଏ ପାଳକ ହେବେ ।
17ମୁଁ ମୋହର ପ୍ରାଣ ଦାନ କରିବାରୁ ପିତା ମୋତେ ପ୍ରେମ କରନ୍ତି, ଆଉ ମୁଁ ମୋହର ପ୍ରାଣ ପୁନର୍ବାର ଗ୍ରହଣ କରିବା ନିମନ୍ତେ ତାହା ଦାନ କରେ ।
18କେହି ମୋ'ଠାରୁ ତାହା ନେଇଯାଇ ନାହିଁ, ମାତ୍ର ମୁଁ ଆପେ ତାହା ଦାନ କରେ । ତାହା ଦାନ କରିବାକୁ ମୋହର ଅଧିକାର ଅଛି ଓ ତାହା ପୁନର୍ବାର ଗ୍ରହଣ କରିବାକୁ ମୋହର ଅଧିକାର ଅଛି । ମୁଁ ମୋହର ପିତାଙ୍କଠାରୁ ଏହି ଆଜ୍ଞା ପାଇଅଛି ।
19ଏହି ସମସ୍ତ କଥା ହେତୁ ଯିହୂଦୀମାନଙ୍କ ମଧ୍ୟରେ ପୁନର୍ବାର ମତଭେଦ ଘଟିଲା ।
20ସେମାନଙ୍କ ମଧ୍ୟରୁ ଅନେକେ କହିବାକୁ ଲାଗିଲେ, ତାହାକୁ ଭୂତ ଲାଗିଛି, ସେ ପାଗଳ, କାହିଁକି ତାହା କଥା ଶୁଣୁଅଛ ?
21ଅନ୍ୟମାନେ କହିଲେ, ଏହି ସବୁ କଥା ତ ଭୂତ ଲାଗିଥିବା ଲୋକର ନୁହେଁ; ଭୂତ କ'ଣ ଅନ୍ଧର ଆଖି ଫିଟାଇ ପାରେ ?
22ସେତେବେଳେ ଯିରୂଶାଲମରେ ମନ୍ଦିର ପ୍ରତିଷ୍ଠା ପର୍ବ ପଡ଼ିଲା; ସେ ସମୟ ଶୀତକାଳ,
23ଆଉ ଯୀଶୁ ମନ୍ଦିରରେ ଶଲୋମନଙ୍କ ମଣ୍ଡପରେ ବୁଲୁଥିଲେ ।
24ସେଥିରେ ଯିହୂଦୀମାନେ ତାହାଙ୍କୁ ଚାରିଆଡ଼େ ଘେରି ପଚାରିବାକୁ ଲାଗିଲେ, ଆଉ କେତେ କାଳ ଆମ୍ଭମାନଙ୍କୁ ସନ୍ଦେହରେ ରଖିବ ? ଯଦି ତୁମ୍ଭେ ଖ୍ରୀଷ୍ଟ, ତାହାହେଲେ ଆମ୍ଭମାନଙ୍କୁ ସ୍ପଷ୍ଟରୂପେ କୁହ ।
25ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମୁଁ ତୁମ୍ଭମାନଙ୍କୁ କହିଅଛି, କିନ୍ତୁ ତୁମ୍ଭେମାନେ ବିଶ୍ୱାସ କରୁ ନାହଁ; ମୋହର ପିତାଙ୍କ ନାମରେ ମୁଁ ଯେଉଁ ଯେଉଁ କର୍ମ କରୁଅଛି, ସେହି ସବୁ ମୋ' ବିଷୟରେ ସାକ୍ଷ୍ୟ ଦେଉଅଛି;
26କିନ୍ତୁ ତୁମ୍ଭେମାନେ ବିଶ୍ୱାସ କରୁ ନାହଁ, କାରଣ ତୁମ୍ଭେମାନେ ମୋହର ପଲର ମେଷ ନୁହଁ ।
27ମୋ' ମେଷସବୁ ମୋହର ସ୍ୱର ଶୁଣନ୍ତି ଓ ମୁଁ ସେମାନଙ୍କୁ ଜାଣେ, ଆଉ ସେମାନେ ମୋହର ପଛେ ପଛେ ଚାଲନ୍ତି,
28ପୁଣି, ମୁଁ ସେମାନଙ୍କୁ ଅନନ୍ତ ଜୀବନ ଦିଏ, ଆଉ ସେମାନେ କଦାପି କେବେ ହେଁ ବିନଷ୍ଟ ହେବେ ନାହିଁ, ପୁଣି, କେହି ମୋ' ହସ୍ତରୁ ସେମାନଙ୍କୁ ହରଣ କରିବ ନାହିଁ ।
29ମୋହର ପିତା ମୋତେ ଯାହା ଦେଇଅଛନ୍ତି, ତାହା ସବୁଠାରୁ ବହୁମୂଲ୍ୟ, ଆଉ ପିତାଙ୍କ ହସ୍ତରୁ କେହି ତାହା ହରଣ କରି ପାରେ ନାହିଁ ।