36ଏହେତୁ ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଆମ୍ଭେ ତୁମ୍ଭର ବିବାଦ ନିଷ୍ପନ୍ନ କରିବା ଓ ତୁମ୍ଭ ନିମନ୍ତେ ପ୍ରତିଶୋଧ ନେବା। ପୁଣି, ଆମ୍ଭେ ତାହାର ସମୁଦ୍ରକୁ ଜଳଶୂନ୍ୟ ଓ ତାହାର ନିର୍ଝରକୁ ଶୁଷ୍କ କରିବା।
37ପୁଣି, ବାବିଲ ଢିପିମୟ ଶୃଗାଳମାନର ବାସସ୍ଥାନ, ବିସ୍ମୟାସ୍ପଦ, ଶୀସ୍ ଶବ୍ଦର ବିଷୟ ଓ ନିବାସୀବିହୀନ ହେବ।
38ସେମାନେ ଏକତ୍ର ଯୁବା ସିଂହ ପରି ଗର୍ଜ୍ଜନ କରିବେ; ସେମାନେ ସିଂହଛୁଆ ପରି ଘୋର ନାଦ କରିବେ।”
39ସଦାପ୍ରଭୁ କହନ୍ତି, “ସେମାନେ ଉତ୍ତପ୍ତ ହେଲା ଉତ୍ତାରେ ଆମ୍ଭେ ସେମାନଙ୍କର ଭୋଜ ପ୍ରସ୍ତୁତ କରିବା, ପୁଣି ସେମାନେ ଯେପରି ଆହ୍ଳାଦିତ ହେବେ, ଏଥିପାଇଁ ଆମ୍ଭେ ସେମାନଙ୍କୁ ମତ୍ତ କରିବା, ତହିଁରେ ସେମାନେ ଚିର ନିଦ୍ରାରେ ନିଦ୍ରିତ ହୋଇ ଆଉ ଜାଗରିତ ହେବେ ନାହିଁ।
40ଆମ୍ଭେ ସେମାନଙ୍କୁ ମେଷଗଣର ତୁଲ୍ୟ, ଛାଗମାନଙ୍କ ସହିତ ମେଷଗଣର ତୁଲ୍ୟ ବଧସ୍ଥାନକୁ ଆଣିବା।”
41ଶେଶକ୍ କିପରି ପରହସ୍ତଗତ ହୋଇଅଛି ! ଓ ସମୁଦାୟ ପୃଥିବୀର ପ୍ରଶଂସାପାତ୍ର କିପରି ହଠାତ୍ ଧରା ପଡ଼ିଅଛି ! ଗୋଷ୍ଠୀସମୂହର ମଧ୍ୟରେ ବାବିଲ କିପରି ଧ୍ୱଂସସ୍ଥାନ ହୋଇଅଛି !
42ବାବିଲ ଉପରେ ସମୁଦ୍ର ମାଡ଼ି ଆସିଅଛି; ସେ ତହିଁର ଲହରୀମାଳାରେ ଆଚ୍ଛାଦିତ ହୋଇଅଛି।
43ତାହାର ନଗରସକଳ ଧ୍ୱଂସସ୍ଥାନ ଓ ଶୁଷ୍କଭୂମି ଓ ପ୍ରାନ୍ତର ହୋଇଅଛି, ସେ ଦେଶ ମଧ୍ୟରେ କୌଣସି ମନୁଷ୍ୟ ବାସ କରେ ନାହିଁ, କିଅବା ତହିଁ ମଧ୍ୟଦେଇ କୌଣସି ମନୁଷ୍ୟ ସନ୍ତାନ ଗମନାଗମନ କରେ ନାହିଁ।
44ପୁଣି, ଆମ୍ଭେ ବାବିଲରେ ବେଲ୍ ଦେବତାକୁ ପ୍ରତିଫଳ ଦେବା ଓ ଯାହା ସେ ଗିଳିଅଛି, ଆମ୍ଭେ ତାହାର ମୁଖରୁ ତାହା ବାହାର କରିବା ଓ ଗୋଷ୍ଠୀୟମାନେ ଆଉ ତାହା ନିକଟକୁ ଧାବମାନ ହେବେ ନାହିଁ; ଆହୁରି ବାବିଲର ପ୍ରାଚୀର ପଡ଼ିଯିବ।
45ହେ ଆମ୍ଭର ଲୋକେ, ତୁମ୍ଭେମାନେ ତାହାର ମଧ୍ୟରୁ ବାହାରି ଯାଅ ଓ ପ୍ରତ୍ୟେକ ଲୋକ ସଦାପ୍ରଭୁଙ୍କ ପ୍ରଚଣ୍ଡ କ୍ରୋଧରୁ ଆପଣା ଆପଣାକୁ ରକ୍ଷା କରୁ।
46ପୁଣି, ତୁମ୍ଭେମାନେ ଆପଣା ହୃଦୟକୁ କ୍ଷୀଣ ହେବାକୁ ଦିଅ ନାହିଁ, କିଅବା ଦେଶ ମଧ୍ୟରେ ଯେଉଁ ଜନରବ ଶୁଣାଯିବ, ତହିଁ ସକାଶୁ ଭୀତ ହୁଅ ନାହିଁ; କାରଣ ଏକ ବର୍ଷ ଏକ ଜନରବ ଉଠିବ, ଅନ୍ୟ ବର୍ଷ ଅନ୍ୟ ଏକ ଜନରବ ଉଠିବ, ପୁଣି ଦେଶରେ ଦୌରାତ୍ମ୍ୟ ଓ ଶାସନକର୍ତ୍ତା ଶାସନକର୍ତ୍ତାର ବିପକ୍ଷ ହେବ।
47ଏହେତୁ ଦେଖ, ଯେଉଁ ସମୟରେ ଆମ୍ଭେ ବାବିଲର ଖୋଦିତ ପ୍ରତିମାଗଣକୁ ପ୍ରତିଫଳ ଦେବା ଓ ତାହାର ସମୁଦାୟ ଦେଶ ଲଜ୍ଜିତ ହେବ, ଆଉ ତାହାର ହତ ଲୋକମାନେ ତାହା ମଧ୍ୟରେ ପଡ଼ିବେ, ଏପରି ସମୟ ଆସୁଅଛି।
48ସେସମୟରେ ସ୍ୱର୍ଗ ଓ ପୃଥିବୀ ଓ ତନ୍ମଧ୍ୟସ୍ଥିତସକଳ ବାବିଲ ବିଷୟରେ ଆନନ୍ଦଗାନ କରିବେ; କାରଣ ସଦାପ୍ରଭୁ କହନ୍ତି, “ଉତ୍ତର ଦିଗରୁ ବିନାଶକଗଣ ତାହା ବିରୁଦ୍ଧରେ ଆସିବେ।”
49“ବାବିଲ ଯେପରି ଇସ୍ରାଏଲର ହତ ଲୋକମାନଙ୍କୁ ନିପାତିତ କରାଇଅଛି, ସେପରି ସମୁଦାୟ ଦେଶର ହତ ଲୋକମାନେ ବାବିଲରେ ପତିତ ହେବେ।
50ହେ ଖଡ୍ଗରୁ ରକ୍ଷାପ୍ରାପ୍ତ ଲୋକମାନେ, ତୁମ୍ଭେମାନେ ଚାଲିଯାଅ, ସ୍ଥିର ହୋଇ ଠିଆ ହୁଅ ନାହିଁ ! ଦୂର ଦେଶରୁ ସଦାପ୍ରଭୁଙ୍କୁ ସ୍ମରଣ କର ଓ ଯିରୂଶାଲମ ତୁମ୍ଭମାନଙ୍କ ମନରେ ପଡ଼ୁ।
51ଆମ୍ଭେମାନେ ନିନ୍ଦା କଥା ଶୁଣିବାରୁ ଲଜ୍ଜିତ ହୋଇଅଛୁ; ଅପମାନ ଆମ୍ଭମାନଙ୍କ ମୁଖକୁ ଆଚ୍ଛାଦିତ କରିଅଛି; କାରଣ ବିଦେଶୀମାନେ ସଦାପ୍ରଭୁଙ୍କ ଗୃହର ସକଳ ପବିତ୍ର ସ୍ଥାନରେ ପ୍ରବେଶ କରିଅଛନ୍ତି।”
52ଏଣୁକରି ସଦାପ୍ରଭୁ କହନ୍ତି, “ଦେଖ, ଯେଉଁ ସମୟରେ ଆମ୍ଭେ ତାହାର ଖୋଦିତ ପ୍ରତିମାଗଣକୁ ପ୍ରତିଫଳ ଦେବା, ଏପରି ସମୟ ଆସୁଅଛି ଓ କ୍ଷତବିକ୍ଷତ ଲୋକମାନେ ତାହାର ଦେଶର ସର୍ବତ୍ର କାତରୋକ୍ତି କରିବେ।”
53ସଦାପ୍ରଭୁ କହନ୍ତି, “ଯଦ୍ୟପି ବାବିଲ ଆକାଶ ପର୍ଯ୍ୟନ୍ତ ଉଠିବ, ଆଉ ଯଦ୍ୟପି ସେ ଆପଣା ବଳରୂପ ଉଚ୍ଚ ଦୁର୍ଗକୁ ଦୃଢ଼ କରିବ, ତଥାପି ଆମ୍ଭ ନିକଟରୁ ବିନାଶକମାନେ ତାହାର ମଧ୍ୟରେ ଉପସ୍ଥିତ ହେବେ।
54ବାବିଲରୁ କ୍ରନ୍ଦନର ରବ ଓ କଲ୍ଦୀୟମାନଙ୍କ ଦେଶରୁ ମହାବିନାଶର ଶବ୍ଦ ଉଠୁଅଛି !
55କାରଣ ସଦାପ୍ରଭୁ ବାବିଲକୁ ଉଚ୍ଛିନ୍ନ କରୁଅଛନ୍ତି ଓ ତହିଁ ମଧ୍ୟରୁ ମହାରବ କ୍ଷାନ୍ତ କରୁଅଛନ୍ତି; ସେମାନଙ୍କର ତରଙ୍ଗସକଳ ଜଳରାଶି ପରି ଗର୍ଜ୍ଜନ କରୁଅଛି, ସେମାନଙ୍କର କଲ୍ଲୋଳ ଧ୍ୱନି ଶୁଣା ଯାଉଅଛି।
56କାରଣ ତାହା ବିରୁଦ୍ଧରେ, ହଁ, ବାବିଲର ବିରୁଦ୍ଧରେ ବିନାଶକ ଆସିଅଛି ଓ ତାହାର ବୀରମାନେ ଧରା ଯାଇଅଛନ୍ତି, ସେମାନଙ୍କର ଧନୁସବୁ ଖଣ୍ଡ ଖଣ୍ଡ ହୋଇ ଭଙ୍ଗା ଯାଇଅଛି; କାରଣ ସଦାପ୍ରଭୁ ପ୍ରତିଫଳଦାତା ପରମେଶ୍ୱର ଅଟନ୍ତି, ସେ ନିଶ୍ଚୟ ସମୁଚିତ ପ୍ରତିଫଳ ଦେବେ।
57ପୁଣି, ଆମ୍ଭେ ତାହାର ଅଧିପତିଗଣକୁ ଓ ତାହାର ଜ୍ଞାନୀ ଲୋକମାନଙ୍କୁ ଓ ତାହାର ଦେଶାଧ୍ୟକ୍ଷ ଓ ଅଧିପତିଗଣକୁ ଓ ତାହାର ବୀରପୁରୁଷମାନଙ୍କୁ ମତ୍ତ କରାଇବା; ତହିଁରେ ସେମାନେ ଚିର ନିଦ୍ରାରେ ନିଦ୍ରିତ ହୋଇ ଆଉ ଜାଗରିତ ହେବେ ନାହିଁ” ଏହା ରାଜା କହନ୍ତି, ସୈନ୍ୟାଧିପତି ସଦାପ୍ରଭୁ ତାହାଙ୍କର ନାମ।
58ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ବାବିଲର ପ୍ରଶସ୍ତ ପ୍ରାଚୀର ସମ୍ପୂର୍ଣ୍ଣ ଉତ୍ପାଟିତ ହେବ ଓ ତାହାର ଉଚ୍ଚ ଦ୍ୱାରସବୁ ଅଗ୍ନିରେ ଦଗ୍ଧ ହେବ; ପୁଣି, ଲୋକବୃନ୍ଦ ଅସାରତାର ନିମନ୍ତେ ଓ ଗୋଷ୍ଠୀଗଣ ଅଗ୍ନି ନିମନ୍ତେ ପରିଶ୍ରମ କରିବେ; ଆଉ ସେମାନେ କ୍ଳାନ୍ତ ହେବେ।”
59ଯିହୁଦାର ରାଜା ସିଦିକୀୟଙ୍କ ରାଜତ୍ଵର ଚତୁର୍ଥ ବର୍ଷରେ ମହସେୟର ପୌତ୍ର ନେରୀୟର ପୁତ୍ର ସରାୟ ଯେଉଁ ସମୟରେ ରାଜା ସଙ୍ଗେ ବାବିଲକୁ ଗଲା, ସେ ସମୟରେ ଯିରିମୀୟ ଭବିଷ୍ୟଦ୍ବକ୍ତା ସରାୟକୁ ଯାହା ଆଜ୍ଞା କରିଥିଲେ, ତହିଁର ବୃତ୍ତାନ୍ତ। ଏହି ସରାୟ ରାଜଗୃହର ପ୍ରଧାନ ଅଧ୍ୟକ୍ଷ ଥିଲା।
60ଆଉ, ବାବିଲର ଭବିଷ୍ୟତ ଅମଙ୍ଗଳର ସକଳ କଥା, ଅର୍ଥାତ୍, ବାବିଲ ବିଷୟରେ ଏହି ଯେସକଳ କଥା ଲିଖିତ ଅଛି, ତାହା ଯିରିମୀୟ ଗୋଟିଏ ନଳାକାର ପୁସ୍ତକରେ ଲେଖିଲେ।
61ପୁଣି, ଯିରିମୀୟ ସରାୟକୁ କହିଲେ, “ଦେଖ, ତୁମ୍ଭେ ବାବିଲରେ ଉପସ୍ଥିତ ହେଲା ଉତ୍ତାରେ ଏହିସବୁ କଥା ପାଠ କରିବ,