32ମାତ୍ର ଲେବୀୟମାନଙ୍କର ନଗରସକଳ, ସେମାନଙ୍କ ଅଧିକୃତ ନଗରର ଗୃହସକଳ ମୁକ୍ତ କରିବାର ଅଧିକାର ଲେବୀୟମାନଙ୍କ ପକ୍ଷରେ ଅନନ୍ତକାଳସ୍ଥାୟୀ ହେବ।
33ପୁଣି, ଯଦି କେହି ଲେବୀୟମାନଙ୍କଠାରୁ ତାହା ମୁକ୍ତ କରେ, ତେବେ ସେହି ବିକ୍ରୀତ ଗୃହ ଓ ତାହାର ଅଧିକୃତ ନଗର ଯୁବ୍ଲୀ ସମୟରେ ମୁକ୍ତ ହେବ; କାରଣ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ଲେବୀୟମାନଙ୍କ ଗୃହସକଳ ସେମାନଙ୍କର ଅଧିକାର।
34ମାତ୍ର ସେମାନଙ୍କ ନଗରର ପ୍ରାନ୍ତର ଭୂମି ବିକ୍ରୟ କରାଯିବ ନାହିଁ; କାରଣ ତାହା ସେମାନଙ୍କର ଅନନ୍ତକାଳୀନ ଅଧିକାର।
35ଆଉ ଯଦି ତୁମ୍ଭର ଭାଇ ଦରିଦ୍ର ହୋଇଯାଏ ଓ ତୁମ୍ଭ ନିକଟରେ ତାହାର ହାତ ପଡ଼ିଯାଏ, ତେବେ ତୁମ୍ଭେ ତାହାକୁ ଧରି ରଖିବ; ସେ ବିଦେଶୀ ଓ ପ୍ରବାସୀ ପରି ତୁମ୍ଭ ସହିତ ଜୀବନଯାପନ କରିବ।
36ତୁମ୍ଭେ ତାହାଠାରୁ ସୁଧ କି ଦେଢ଼ି (ଦେଢ଼ଗୁଣ ସୁଧହାର) ନିଅ ନାହିଁ; ମାତ୍ର ଆପଣା ପରମେଶ୍ୱରଙ୍କୁ ଭୟ କର; ତହିଁରେ ତୁମ୍ଭର ଭାଇ ତୁମ୍ଭ ସହିତ ଜୀବନଯାପନ କରିବ।
37ତୁମ୍ଭେ ସୁଧରେ ତାହାକୁ ଟଙ୍କା ଦେବ ନାହିଁ, କିଅବା ଦେଢ଼ି (ଦେଢ଼ଗୁଣ ସୁଧହାର) ପାଇଁ ତାହାକୁ ଆପଣା ଅନ୍ନ ଦେବ ନାହିଁ।
38ଯେ ତୁମ୍ଭମାନଙ୍କର ପରମେଶ୍ୱର ହେବା ପାଇଁ ତୁମ୍ଭମାନଙ୍କୁ କିଣାନ ଦେଶ ଦେବା ନିମନ୍ତେ ମିସର ଦେଶରୁ ବାହାର କରି ଆଣିଲେ, ତୁମ୍ଭମାନଙ୍କର ପରମେଶ୍ୱର ସେହି ସଦାପ୍ରଭୁ ଆମ୍ଭେ ଅଟୁ।
39ଆଉ ଯଦି ତୁମ୍ଭ ଭାଇ ଦରିଦ୍ର ହୋଇଯାଏ ଓ ତୁମ୍ଭ ନିକଟରେ ଆପଣାକୁ ବିକ୍ରୟ କରେ, ତେବେ ତୁମ୍ଭେ ତାହାକୁ ବନ୍ଧା ଦାସ ପରି ପରିଶ୍ରମ କରାଇବ ନାହିଁ।