29ଆଉ, ଯଦି କେହି ପ୍ରାଚୀରବେଷ୍ଟିତ ନଗରର ମଧ୍ୟବର୍ତ୍ତୀ ବାସଗୃହ ବିକ୍ରୟ କରେ, ତେବେ ସେ ବିକ୍ରୟ ବର୍ଷର ଶେଷ ପର୍ଯ୍ୟନ୍ତ ତାହା ମୁକ୍ତ କରି ପାରିବ; ପୂର୍ଣ୍ଣ ଏକ ବର୍ଷ ପର୍ଯ୍ୟନ୍ତ ସେ ତାହା ମୁକ୍ତ କରିବାର ଅଧିକାର ପାଇବ।
30ମାତ୍ର ଯଦି ପୂର୍ଣ୍ଣ ଏକ ବର୍ଷ ମଧ୍ୟରେ ତାହା ମୁକ୍ତ କରା ନ ଯାଏ, ତେବେ ପ୍ରାଚୀରବେଷ୍ଟିତ ନଗର ମଧ୍ୟବର୍ତ୍ତୀ ସେହି ଗୃହ ପୁରୁଷ ପରମ୍ପରାରେ କ୍ରୟକର୍ତ୍ତାର ନିତ୍ୟ ଅଧିକାର ହେବ; ଯୁବ୍ଲୀ ସମୟରେ ତାହା ମୁକ୍ତ ହେବ ନାହିଁ।
31ମାତ୍ର ପ୍ରାଚୀରହୀନ ଗ୍ରାମର ମଧ୍ୟବର୍ତ୍ତୀ ଗୃହଗୁଡ଼ିକ ଦେଶର କ୍ଷେତ୍ର ମଧ୍ୟରେ ଗଣାଯିବ ତାହା ମୁକ୍ତ ହୋଇପାରେ, ପୁଣି ଯୁବ୍ଲୀ ସମୟରେ ତାହା ମୁକ୍ତ ହେବ।
32ମାତ୍ର ଲେବୀୟମାନଙ୍କର ନଗରସକଳ, ସେମାନଙ୍କ ଅଧିକୃତ ନଗରର ଗୃହସକଳ ମୁକ୍ତ କରିବାର ଅଧିକାର ଲେବୀୟମାନଙ୍କ ପକ୍ଷରେ ଅନନ୍ତକାଳସ୍ଥାୟୀ ହେବ।
33ପୁଣି, ଯଦି କେହି ଲେବୀୟମାନଙ୍କଠାରୁ ତାହା ମୁକ୍ତ କରେ, ତେବେ ସେହି ବିକ୍ରୀତ ଗୃହ ଓ ତାହାର ଅଧିକୃତ ନଗର ଯୁବ୍ଲୀ ସମୟରେ ମୁକ୍ତ ହେବ; କାରଣ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ଲେବୀୟମାନଙ୍କ ଗୃହସକଳ ସେମାନଙ୍କର ଅଧିକାର।
34ମାତ୍ର ସେମାନଙ୍କ ନଗରର ପ୍ରାନ୍ତର ଭୂମି ବିକ୍ରୟ କରାଯିବ ନାହିଁ; କାରଣ ତାହା ସେମାନଙ୍କର ଅନନ୍ତକାଳୀନ ଅଧିକାର।
35ଆଉ ଯଦି ତୁମ୍ଭର ଭାଇ ଦରିଦ୍ର ହୋଇଯାଏ ଓ ତୁମ୍ଭ ନିକଟରେ ତାହାର ହାତ ପଡ଼ିଯାଏ, ତେବେ ତୁମ୍ଭେ ତାହାକୁ ଧରି ରଖିବ; ସେ ବିଦେଶୀ ଓ ପ୍ରବାସୀ ପରି ତୁମ୍ଭ ସହିତ ଜୀବନଯାପନ କରିବ।
36ତୁମ୍ଭେ ତାହାଠାରୁ ସୁଧ କି ଦେଢ଼ି (ଦେଢ଼ଗୁଣ ସୁଧହାର) ନିଅ ନାହିଁ; ମାତ୍ର ଆପଣା ପରମେଶ୍ୱରଙ୍କୁ ଭୟ କର; ତହିଁରେ ତୁମ୍ଭର ଭାଇ ତୁମ୍ଭ ସହିତ ଜୀବନଯାପନ କରିବ।