22ଆଉ, ଯାଜକ ସଦାପ୍ରଭୁଙ୍କ ସାକ୍ଷାତରେ ସେହି ଦୋଷାର୍ଥକ ମେଷ ଦ୍ୱାରା, ସେ ଯେଉଁ ପାପ କରିଅଛି, ତାହାର ସେହି ପାପ ସକାଶେ ପ୍ରାୟଶ୍ଚିତ୍ତ କରିବ; ତହିଁରେ ସେ ଯେଉଁ ପାପ କରିଅଛି, ତାହାର ସେହି ପାପ କ୍ଷମା ହେବ।
23ଆଉ, ତୁମ୍ଭେମାନେ ଦେଶରେ ପ୍ରବେଶ କରି ଭୋଜନାର୍ଥେ ନାନା ପ୍ରକାର ବୃକ୍ଷ ରୋପଣ କଲେ, ତହିଁର ଫଳକୁ ଅସୁନ୍ନତ ବୋଲି ଜ୍ଞାନ କରିବ, ତାହା ସବୁ ତିନି ବର୍ଷ ପର୍ଯ୍ୟନ୍ତ ତୁମ୍ଭମାନଙ୍କ ପ୍ରତି ଅସୁନ୍ନତ ସ୍ୱରୂପ ହେବ; ତାହା ଭୋଜନ କରାଯିବ ନାହିଁ।
24ମାତ୍ର ଚତୁର୍ଥ ବର୍ଷରେ ତହିଁର ସମସ୍ତ ଫଳ ସଦାପ୍ରଭୁଙ୍କ ପ୍ରଶଂସାର୍ଥକ ଉପହାର ରୂପେ ପବିତ୍ର ହେବ।
25ପୁଣି, ପଞ୍ଚମ ବର୍ଷରେ ତୁମ୍ଭେମାନେ ତହିଁର ଫଳ ଭୋଜନ କରିବ, ତହିଁରେ ତୁମ୍ଭମାନଙ୍କ ନିମନ୍ତେ ପ୍ରଚୁର ଫଳ ଫଳିବ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।
26ତୁମ୍ଭେମାନେ ରକ୍ତ ସହିତ କୌଣସି ଦ୍ରବ୍ୟ ଭୋଜନ କରିବ ନାହିଁ; ତୁମ୍ଭେମାନେ ଗଣକତା ବା ଶୁଭାଶୁଭ କହିବାର ବିଦ୍ୟା ବ୍ୟବହାର କରିବ ନାହିଁ।
27ତୁମ୍ଭେମାନେ ଆପଣା ଆପଣା ମସ୍ତକର କୋଣସବୁ ଗୋଲାକାର କରିବ ନାହିଁ, କିଅବା ଆପଣା ଆପଣା ଦାଢ଼ିର କୋଣ ମୁଣ୍ଡନ କରିବ ନାହିଁ।
28ପୁଣି, ତୁମ୍ଭେମାନେ ମୃତ ଲୋକ ନିମନ୍ତେ ଆପଣା ଆପଣା ଶରୀରରେ ଅସ୍ତ୍ରାଘାତ କରିବ ନାହିଁ, ଅବା ଦେହରେ ଚିତା କୁଟାଇବ ନାହିଁ; ଆମ୍ଭେ ସଦାପ୍ରଭୁ ଅଟୁ।
29ତୁମ୍ଭେ ଆପଣା କନ୍ୟାକୁ ବେଶ୍ୟା କରି ଅପବିତ୍ର କର ନାହିଁ; କଲେ, ଦେଶ ବେଶ୍ୟାବୃତ୍ତିରେ ପତିତ ହେବ ଓ ଦେଶ ଦୁଷ୍ଟତାରେ ପରିପୂର୍ଣ୍ଣ ହେବ।
30ତୁମ୍ଭେମାନେ ଆମ୍ଭର ବିଶ୍ରାମ ଦିନ ପାଳନ କରିବ ଓ ଆମ୍ଭର ପବିତ୍ର ସ୍ଥାନକୁ ସମାଦର କରିବ; ଆମ୍ଭେ ସଦାପ୍ରଭୁ ଅଟୁ।