13ଏଉତ୍ତାରେ ବାଲାକ କହିଲେ, “ଆମ୍ଭେ ନିବେଦନ କରୁଅଛୁ, ତୁମ୍ଭେ ଯେଉଁ ସ୍ଥାନରୁ ସେମାନଙ୍କୁ ଦେଖି ପାରିବ, ଏପରି ଅନ୍ୟ ଏକ ସ୍ଥାନକୁ ଆମ୍ଭ ସଙ୍ଗେ ଆସ; ତୁମ୍ଭେ କେବଳ ସେମାନଙ୍କର ଶେଷସୀମାସ୍ଥିତ ଲୋକମାନଙ୍କୁ ଦେଖିବ, ମାତ୍ର ସମସ୍ତଙ୍କୁ ଦେଖି ପାରିବ ନାହିଁ; ସେହିଠାରୁ ଆମ୍ଭ ନିମନ୍ତେ ସେମାନଙ୍କୁ ଅଭିଶାପ ଦିଅ।”
14ସେତେବେଳେ ବାଲାକ ତାହାକୁ ପିସ୍ଗାର ପୃଷ୍ଠସ୍ଥିତ ସୋଫୀମ୍ କ୍ଷେତ୍ରକୁ ନେଇ ଯାଇ ସେହି ସ୍ଥାନରେ ସାତ ବେଦି ନିର୍ମାଣ କଲେ, ପୁଣି, ପ୍ରତ୍ୟେକ ବେଦିରେ ଏକ ଏକ ଗୋବତ୍ସ ଓ ଏକ ଏକ ମେଷ ଉତ୍ସର୍ଗ କଲେ।
15ତହୁଁ ସେ ବାଲାକଙ୍କୁ କହିଲା, “ମୁଁ ଯେପର୍ଯ୍ୟନ୍ତ ସେହି ସ୍ଥାନରେ ପରମେଶ୍ୱରଙ୍କ ସହିତ ସାକ୍ଷାତ କରିବି, ସେପର୍ଯ୍ୟନ୍ତ ତୁମ୍ଭେ ଏହି ସ୍ଥାନରେ ଆପଣା ହୋମବଳି ନିକଟରେ ଠିଆ ହୋଇଥାଅ।”
16ଏଥିରେ ସଦାପ୍ରଭୁ ବିଲୀୟମ୍ ସହିତ ସାକ୍ଷାତ କଲେ, ପୁଣି, ତାହାର ମୁଖରେ ଗୋଟିଏ, ବାକ୍ୟ ଦେଇ ତାହାକୁ କହିଲେ, “ତୁମ୍ଭେ ବାଲାକ ନିକଟକୁ ଫେରି ଯାଇ ତାହାକୁ ଏହି କଥା କହିବ।”
17ତହୁଁ ସେ ତାଙ୍କ ନିକଟକୁ ଆସିଲା, ଆଉ ଦେଖ, ସେ ଆପଣା ହୋମବଳି ନିକଟରେ ଠିଆ ହୋଇଥିଲେ, ଆଉ ମୋୟାବର ଅଧିପତିମାନେ ତାଙ୍କ ସଙ୍ଗରେ ଥିଲେ। ତେବେ ବାଲାକ ତାକୁ ପଚାରିଲେ, ସଦାପ୍ରଭୁ କଅଣ କହିଅଛନ୍ତି ?
18ତହିଁରେ ସେ ଆପଣା ପ୍ରସଙ୍ଗ ନେଇ କହିଲା, “ହେ ବାଲାକ, ଉଠ, ଶ୍ରବଣ କର; ହେ ସିପ୍ପୋରର ପୁତ୍ର, ମୋ’ କଥାରେ କର୍ଣ୍ଣପାତ କର।”
19ପରମେଶ୍ୱର ମନୁଷ୍ୟ ନୁହଁନ୍ତି ଯେ, ସେ ମିଥ୍ୟା କହିବେ; କିଅବା ସେ ମନୁଷ୍ୟର ସନ୍ତାନ ନୁହଁନ୍ତି ଯେ, ସେ ଅନୁତାପ କରିବେ; ସେ କହିଅଛନ୍ତି, ଆଉ ସେ କି ତାହା କରିବେ ନାହିଁ ? ସେ କହିଅଛନ୍ତି, ଆଉ ତାହା କି ସେ ସିଦ୍ଧ କରିବେ ନାହିଁ ?
20ଦେଖ, ମୁଁ ଆଶୀର୍ବାଦ କରିବାକୁ ଆଜ୍ଞା ପାଇଅଛି; ପୁଣି, ସେ ଆଶୀର୍ବାଦ କରିଅଛନ୍ତି, ଏଣୁ ମୁଁ ତାହା ଅନ୍ୟଥା କରି ନ ପାରେ।