5ପୁଣି, ଇସ୍ରାଏଲ ସନ୍ତାନଗଣ ପ୍ରତି ଯେପରି ଆଉ କ୍ରୋଧ ଉପସ୍ଥିତ ନ ହୁଏ, ଏଥିପାଇଁ ତୁମ୍ଭେମାନେ ପବିତ୍ର ସ୍ଥାନର ରକ୍ଷଣୀୟ ଓ ବେଦିର ରକ୍ଷଣୀୟ ରକ୍ଷା କରିବ।
6ଆଉ ଆମ୍ଭେ, ଦେଖ, ଆମ୍ଭେ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ତୁମ୍ଭମାନଙ୍କର ଭ୍ରାତୃଗଣ ଲେବୀୟମାନଙ୍କୁ ଗ୍ରହଣ କରିଅଛୁ, ସେମାନେ ସମାଗମ-ତମ୍ବୁର ସେବାକର୍ମ ନିମନ୍ତେ ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦତ୍ତ ଦାନ ଅଟନ୍ତି।
7ଏଣୁ ତୁମ୍ଭେ ଓ ତୁମ୍ଭ ସହିତ ତୁମ୍ଭ ପୁତ୍ରଗଣ, ତୁମ୍ଭେମାନେ ବେଦି ସମ୍ବନ୍ଧୀୟ ସକଳ ବିଷୟରେ ଓ ବିଚ୍ଛେଦବସ୍ତ୍ର ଭିତରେ ଆପଣାର ଯାଜକତ୍ୱ ପାଳନ କରିବ ଓ ତୁମ୍ଭେମାନେ ସେବା କରିବ। ଆମ୍ଭେ (ଆପଣା) ଦାନଜନିତ ସେବା ରୂପେ ତୁମ୍ଭମାନଙ୍କୁ ଯାଜକତ୍ୱ ପଦ ଦେଲୁ; ମାତ୍ର ଯେଉଁ ଅନ୍ୟ ବଂଶୀୟ ଲୋକ ନିକଟକୁ ଆସେ, ତାହାର ପ୍ରାଣଦଣ୍ଡ ହେବ।”
8ଏଥିଉତ୍ତାରେ ସଦାପ୍ରଭୁ ହାରୋଣଙ୍କୁ କହିଲେ, “ଆହୁରି ଆମ୍ଭେ, ଦେଖ, ଆମ୍ଭେ ଆପଣା ଉତ୍ତୋଳନୀୟ ଉପହାର, ଅର୍ଥାତ୍, ଇସ୍ରାଏଲ ସନ୍ତାନଗଣର ସମସ୍ତ ପବିତ୍ରୀକୃତ ଦ୍ରବ୍ୟର ଭାର ତୁମ୍ଭଙ୍କୁ ଦେଲୁ, ତୁମ୍ଭର ଅଭିଷେକ ସକାଶୁ ତୁମ୍ଭକୁ ଓ ତୁମ୍ଭର ସନ୍ତାନଗଣକୁ ଅନନ୍ତକାଳୀନ ଅଧିକାର ନିମନ୍ତେ ତାହାସବୁ ଦେଲୁ।
9ଅଗ୍ନିକୃତ ମହାପବିତ୍ର ଉପହାର ମଧ୍ୟରୁ ରକ୍ଷିତ ଏହାସବୁ ତୁମ୍ଭର ହେବ; ଆମ୍ଭ ଉଦ୍ଦେଶ୍ୟରେ ସେମାନେ ଯାହା ଉତ୍ସର୍ଗ କରିବେ, ଏପରି ସେମାନଙ୍କର ପ୍ରତ୍ୟେକ ଉପହାର, ଅର୍ଥାତ୍, ସେମାନଙ୍କର ପ୍ରତ୍ୟେକ ଭକ୍ଷ୍ୟ-ନୈବେଦ୍ୟ ଓ ସେମାନଙ୍କର ପ୍ରତ୍ୟେକ ପାପାର୍ଥକ ବଳି ଓ ସେମାନଙ୍କର ପ୍ରତ୍ୟେକ ଦୋଷାର୍ଥକ ବଳି ତୁମ୍ଭ ଓ ତୁମ୍ଭ ପୁତ୍ରଗଣ ନିମନ୍ତେ ମହାପବିତ୍ର ହେବ।
10ତୁମ୍ଭେ ତାହା ମହାପବିତ୍ର ଦ୍ରବ୍ୟ ଭାବି ତହିଁରୁ ଭୋଜନ କରିବ; ପ୍ରତ୍ୟେକ ପୁରୁଷ ତହିଁରୁ ଭୋଜନ କରିବ; ତାହା ତୁମ୍ଭ ପ୍ରତି ପବିତ୍ର ହେବ।
11ଆଉ ଏହା ତୁମ୍ଭର ଅଟେ; ଅର୍ଥାତ୍, ଇସ୍ରାଏଲ ସନ୍ତାନଗଣଙ୍କର ସମସ୍ତ ଦୋଳନୀୟ ନୈବେଦ୍ୟର ଦାନ ମଧ୍ୟରୁ ଉତ୍ତୋଳନୀୟ ଉପହାର; ଆମ୍ଭେ ଅନନ୍ତକାଳୀନ ଅଧିକାରାର୍ଥେ ତାହାସବୁ ତୁମ୍ଭକୁ ଓ ତୁମ୍ଭ ସହିତ ତୁମ୍ଭର ପୁତ୍ର ଓ କନ୍ୟାଗଣଙ୍କୁ ଦେଲୁ; ତୁମ୍ଭ ଗୃହସ୍ଥିତ ପ୍ରତ୍ୟେକ ଶୁଚି ଲୋକ ତାହା ଭୋଜନ କରିବ।
12ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣାମାନଙ୍କର ସମସ୍ତ ଉତ୍ତମ ତୈଳ ଓ ସମସ୍ତ ଉତ୍ତମ ଦ୍ରାକ୍ଷାଫଳ ଓ ଶସ୍ୟ, ଯେଉଁ ଯେଉଁ ପ୍ରଥମଜାତ ଫଳ ଉତ୍ସର୍ଗ କରିବେ, ତାହାସବୁ ଆମ୍ଭେ ତୁମ୍ଭକୁ ଦେଲୁ।
13ସେମାନେ ଆପଣା ଆପଣା ଭୂମିରୁ ଉତ୍ପନ୍ନ ଯେଉଁ ସବୁ ପ୍ରଥମ ପକ୍ୱ ଫଳ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରନ୍ତି, ସେହିସବୁ ତୁମ୍ଭର ହେବ; ତୁମ୍ଭ ଗୃହସ୍ଥିତ ପ୍ରତ୍ୟେକ ଶୁଚି ଲୋକ ତାହା ଭୋଜନ କରିବ।