Text copied!
CopyCompare
ଓଡିଆ ବାଇବେଲ - ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ - ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 16

ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 16:5-31

Help us?
Click on verse(s) to share them!
5ପୁଣି, ସେ କୋରହକୁ ଓ ତାହାର ଦଳସ୍ଥ ସମସ୍ତଙ୍କୁ କହିଲେ, “କିଏ ତାହାଙ୍କର ଲୋକ ଓ କିଏ ପବିତ୍ର, ଏହା ସଦାପ୍ରଭୁ କାଲି ଦେଖାଇବେ, ପୁଣି, ସେ ତାହାକୁ ଆପଣା ନିକଟକୁ ଆଣିବେ; ସେ ଯାହାକୁ ମନୋନୀତ କରିବେ, ତାହାକୁ ଆପଣା ନିକଟକୁ ଆଣିବେ।
6ତେବେ ଏହା କର, ତୁମ୍ଭେମାନେ ଅଙ୍ଗାରଧାନୀ ନିଅ, କୋରହ ଓ ତାହାର ଦଳସ୍ଥ ସମସ୍ତେ;
7ପୁଣି, କାଲି ତହିଁରେ ଅଗ୍ନି ଦିଅ, ସଦାପ୍ରଭୁଙ୍କ ସମ୍ମୁଖରେ ତହିଁ ଉପରେ ଧୂପ ଥୁଅ; ତହିଁରେ ସଦାପ୍ରଭୁ ଯେଉଁ ବ୍ୟକ୍ତିକୁ ମନୋନୀତ କରିବେ, ସେ ହିଁ ପବିତ୍ର ହେବ; ହେ ଲେବୀର ପୁତ୍ରମାନେ, ତୁମ୍ଭେମାନେ ଆପଣାମାନଙ୍କ ଉପରେ ବହୁତ ନେଲଣି।”
8ଆଉ ମୋଶା କୋରହକୁ କହିଲେ, “ହେ ଲେବୀର ସନ୍ତାନଗଣ, ତୁମ୍ଭେମାନେ ଟିକିଏ ଶୁଣ।
9ଇସ୍ରାଏଲଙ୍କର ପରମେଶ୍ୱର ଯେ ତୁମ୍ଭମାନଙ୍କୁ ଇସ୍ରାଏଲ-ମଣ୍ଡଳୀରୁ ପୃଥକ୍ କରି ସଦାପ୍ରଭୁଙ୍କ ଆବାସର ସେବା କରିବା ନିମନ୍ତେ ଓ ମଣ୍ଡଳୀ ସମ୍ମୁଖରେ ଠିଆ ହୋଇ ସେବା କରିବା ନିମନ୍ତେ ଆପଣାର ନିକଟବର୍ତ୍ତୀ କରି ଅଛନ୍ତି,
10ପୁଣି, ସେ ଯେ ତୁମ୍ଭଙ୍କୁ ଓ ତୁମ୍ଭ ସହିତ ତୁମ୍ଭର ସମସ୍ତ ଭ୍ରାତା ଲେବୀର ସନ୍ତାନଗଣକୁ ଆପଣାର ନିକଟବର୍ତ୍ତୀ କରିଅଛନ୍ତି, ଏହା କି ତୁମ୍ଭମାନଙ୍କ ଦୃଷ୍ଟିରେ କ୍ଷୁଦ୍ର ବିଷୟ ? ଆହୁରି କି ତୁମ୍ଭେମାନେ ଯାଜକତ୍ୱର ଚେଷ୍ଟା କରୁଅଛ ?
11ଏଥିପାଇଁ ସିନା ତୁମ୍ଭେ ଓ ତୁମ୍ଭର ଦଳସ୍ଥ ସମସ୍ତେ ସଦାପ୍ରଭୁଙ୍କ ବିରୁଦ୍ଧରେ ଏକମେଳି ହୋଇଅଛ; ଯେହେତୁ ହାରୋଣ କିଏ ଯେ, ତୁମ୍ଭେମାନେ ତାଙ୍କର ବିରୁଦ୍ଧରେ ବଚସା କରୁଅଛ ?
12ତହିଁରେ ମୋଶା ଇଲୀୟାବ୍‍ର ପୁତ୍ର ଦାଥନକୁ ଓ ଅବୀରାମ୍‍କୁ ଡାକିବା ପାଇଁ ଲୋକ ପଠାଇଲେ; ମାତ୍ର ସେମାନେ କହିଲେ, “ଆମ୍ଭେମାନେ ଯିବା ନାହିଁ।
13ତୁମ୍ଭେ ଆମ୍ଭମାନଙ୍କୁ ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶରୁ ବାହାର କରି ଏହି ପ୍ରାନ୍ତରରେ ମାରିବାକୁ ଆଣିଅଛ, ଏହା କି କ୍ଷୁଦ୍ର ବିଷୟ ? ଆହୁରି ତୁମ୍ଭେ ଆପଣାକୁ ଆମ୍ଭମାନଙ୍କ ଉପରେ ରାଜା କରୁଅଛ।
14ତାହା ବ୍ୟତୀତ ତୁମ୍ଭେ ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶକୁ ଆମ୍ଭମାନଙ୍କୁ ଆଣି ନାହଁ, କିଅବା ଶସ୍ୟକ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ରର ଅଧିକାର ଆମ୍ଭମାନଙ୍କୁ ଦେଇ ନାହିଁ; ତୁମ୍ଭେ କି ଏହି ସମସ୍ତ ଲୋକଙ୍କର ଆଖି ଉପାଡ଼ି ପକାଇବ ? ଆମ୍ଭେମାନେ ଯିବା ନାହିଁ।”
15ତହିଁରେ ମୋଶା ଅତିଶୟ କ୍ରୋଧାନ୍ୱିତ ହୋଇ ଉଠିଲେ, ପୁଣି, ସେ ସଦାପ୍ରଭୁଙ୍କୁ କହିଲେ, “ତୁମ୍ଭେ ସେମାନଙ୍କର ନୈବେଦ୍ୟ ଗ୍ରହଣ କର ନାହିଁ; ଆମ୍ଭେ ସେମାନଙ୍କଠାରୁ ଗୋଟିଏ ଗଧ ନେଇ ନାହୁଁ, ଅବା ସେମାନଙ୍କ ମଧ୍ୟରୁ କାହାକୁ ହିଁ ହିଂସା କରି ନାହୁଁ।”
16ତେବେ ମୋଶା କୋରହକୁ କହିଲେ, “କାଲି ତୁମ୍ଭେ ଓ ତୁମ୍ଭର ସମସ୍ତ ମଣ୍ଡଳୀ, ତୁମ୍ଭେ ଓ ସେମାନେ, ପୁଣି, ହାରୋଣ, ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ ହୁଅ;
17ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ଅଙ୍ଗାରଧାନୀ ନିଅ ଓ ତହିଁ ଉପରେ ଧୂପ ଥୁଅ, ପୁଣି, ତୁମ୍ଭେମାନେ ପ୍ରତ୍ୟେକ ଜଣ ସଦାପ୍ରଭୁଙ୍କ ସମ୍ମୁଖକୁ ଆପଣା ଆପଣା ଅଙ୍ଗାରଧାନୀ, ଦୁଇ ଶହ ପଚାଶ ଅଙ୍ଗାରଧାନୀ ଆଣ; ମଧ୍ୟ ତୁମ୍ଭେ ଓ ହାରୋଣ, ଦୁହେଁ ଆପଣା ଆପଣା ଅଙ୍ଗାରଧାନୀ ଆଣ।
18ଏଥିରେ ସେମାନେ ପ୍ରତ୍ୟେକେ ଆପଣା ଆପଣା ଅଙ୍ଗାରଧାନୀ ନେଇ ତହିଁରେ ଅଗ୍ନି ଦେଲେ, ପୁଣି, ତହିଁ ଉପରେ ଧୂପ ଥୋଇ ମୋଶା ଓ ହାରୋଣଙ୍କ ସହିତ ସମାଗମ-ତମ୍ବୁ ଦ୍ୱାର ନିକଟରେ ଠିଆ ହେଲେ।
19ପୁଣି, କୋରହ ସମାଗମ-ତମ୍ବୁ ଦ୍ୱାର ନିକଟରେ ସେମାନଙ୍କ ପ୍ରତିକୂଳରେ ସମସ୍ତ ମଣ୍ଡଳୀକୁ ଏକତ୍ର କଲା; ସେତେବେଳେ ସମସ୍ତ ମଣ୍ଡଳୀ ପ୍ରତି ସଦାପ୍ରଭୁଙ୍କ ପ୍ରତାପ ପ୍ରକାଶିତ ହେଲା।
20ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ ଓ ହାରୋଣଙ୍କୁ କହିଲେ,
21“ତୁମ୍ଭେମାନେ ଏହି ମଣ୍ଡଳୀ ମଧ୍ୟରୁ ଆପଣାମାନଙ୍କୁ ପୃଥକ୍ କର, ତହିଁରେ ଆମ୍ଭେ ଏକ ନିମିଷରେ ସେମାନଙ୍କୁ ସଂହାର କରିବା।”
22ତହିଁରେ ସେମାନେ ମୁହଁ ମାଡ଼ି ପଡ଼ି କହିଲେ, “ହେ ପରମେଶ୍ୱର, ହେ ସମସ୍ତ ଶରୀରସ୍ଥ ଆତ୍ମାର ପରମେଶ୍ୱର, ଏକ ଜଣ ପାପ କଲେ କି ତୁମ୍ଭେ ସମସ୍ତ ମଣ୍ଡଳୀ ଉପରେ କୋପାନ୍ୱିତ ହେବ ?”
23ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ,
24“ତୁମ୍ଭେ ମଣ୍ଡଳୀକୁ କୁହ, ତୁମ୍ଭେମାନେ କୋରହର, ଦାଥନର ଓ ଅବୀରାମ୍‍ର ଆବାସ-ଚତୁର୍ଦ୍ଦିଗରୁ ଉଠି ଯାଅ।”
25ତହିଁରେ ମୋଶା ଉଠି ଦାଥନ ଓ ଅବୀରାମ୍ ନିକଟକୁ ଗଲେ ଓ ଇସ୍ରାଏଲର ପ୍ରାଚୀନବର୍ଗ ତାଙ୍କର ପଶ୍ଚାଦ୍‍ଗମନ କଲେ।
26ତହୁଁ ସେ ମଣ୍ଡଳୀକୁ କହିଲେ, “ବିନୟ କରୁଅଛି, ତୁମ୍ଭେମାନେ ଏହି ଦୁଷ୍ଟ ଲୋକମାନଙ୍କ ତମ୍ବୁରୁ ଉଠି ଯାଅ ଓ ସେମାନଙ୍କର କିଛିମାତ୍ର ସ୍ପର୍ଶ କର ନାହିଁ, ନୋହିଲେ ତୁମ୍ଭେମାନେ ସେମାନଙ୍କ ପାପସମୂହରେ ବିନଷ୍ଟ ହେବ।”
27ଏଥିରେ ସେମାନେ କୋରହର, ଦାଥନର ଓ ଅବୀରାମ୍‍ର ଆବାସ-ଚତୁର୍ଦ୍ଦିଗରୁ ଉଠିଗଲେ ପୁଣି, ଦାଥନ ଓ ଅବୀରାମ୍ ବାହାରକୁ ଆସି ଆପଣା ଆପଣା ଭାର୍ଯ୍ୟା ଓ ପୁତ୍ର ଓ ପିଲାମାନଙ୍କ ସହିତ ଆପଣା ଆପଣା ତମ୍ବୁଦ୍ୱାରରେ ଠିଆ ହୋଇ ରହିଲେ।
28ତହୁଁ ମୋଶା କହିଲେ, “ଏହି ସମସ୍ତ କାର୍ଯ୍ୟ କରିବା ପାଇଁ ସଦାପ୍ରଭୁ ମୋତେ ପଠାଇଅଛନ୍ତି; ମୁଁ ଆପଣା ନିଜ ମନରୁ ତାହା ସବୁ କରି ନାହିଁ, ତାହା ଏଥିରେ ତୁମ୍ଭେମାନେ ଜାଣିବ।”
29ଯଦି ଏହି ଲୋକମାନେ ସମସ୍ତ ଲୋକଙ୍କ ସାଧାରଣ ମରଣରେ ମରନ୍ତି, କିଅବା ଯଦି ସମସ୍ତ ଲୋକଙ୍କ ଦଣ୍ଡ ଅନୁସାରେ ସେମାନଙ୍କ ଉପରେ ଦଣ୍ଡ ଘଟେ; ତେବେ ସଦାପ୍ରଭୁ ମୋତେ ପଠାଇ ନାହାନ୍ତି।
30ମାତ୍ର ସଦାପ୍ରଭୁ ଯଦି କୌଣସି ନୂତନ କର୍ମ କରନ୍ତି ଓ ପୃଥିବୀ ଆପଣା ମୁଖ ବିସ୍ତାର କରି ସେମାନଙ୍କୁ ଓ ସେମାନଙ୍କ ସର୍ବସ୍ୱ ଗ୍ରାସ କରେ ଓ ସେମାନେ ଜୀଅନ୍ତା ହୋଇ ପାତାଳକୁ ଧସି ଯାଆନ୍ତି; ତେବେ ସେମାନେ ଯେ ସଦାପ୍ରଭୁଙ୍କୁ ଅବଜ୍ଞା କରିଅଛନ୍ତି, ତାହା ତୁମ୍ଭେମାନେ ବୁଝିବ।
31ଏଥିଉତ୍ତାରେ ଏପରି ହେଲା ଯେ, ସେ ଏହି କଥା କହିବାର ସମାପ୍ତ କରନ୍ତେ, ସେମାନଙ୍କ ଅଧଃସ୍ଥ ଭୂମି ଫାଟିଗଲା;

Read ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 16ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 16
Compare ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 16:5-31ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 16:5-31