19ବିନୟ କରୁଅଛି, ତୁମ୍ଭେ ଆପଣା ଦୟାର ମହତ୍ତ୍ୱ ଅନୁସାରେ ଓ ତୁମ୍ଭେ ଏହି ଲୋକମାନଙ୍କୁ ମିସରଠାରୁ ଏପର୍ଯ୍ୟନ୍ତ ଯେପରି କ୍ଷମା କରିଅଛ, ତଦନୁସାରେ ଏହି ଲୋକମାନଙ୍କର ଅପରାଧ କ୍ଷମା କର।
20ତହିଁରେ ସଦାପ୍ରଭୁ କହିଲେ, “ଆମ୍ଭେ ତୁମ୍ଭର ଅନୁରୋଧନୁସାରେ ସେମାନଙ୍କୁ କ୍ଷମା କଲୁ।
21ମାତ୍ର ଯଦି ଆମ୍ଭେ ଜୀବିତ ହେଉ, ଆଉ ଯଦି ଏହି ସମସ୍ତ ପୃଥିବୀ ସଦାପ୍ରଭୁଙ୍କ ପ୍ରତାପରେ ପରିପୂର୍ଣ୍ଣ ହେବ,
22ତେବେ ଏମାନଙ୍କ ମଧ୍ୟରୁ ଯେତେ ଲୋକ ଆମ୍ଭର ପ୍ରତାପ, ପୁଣି, ମିସରରେ ଓ ପ୍ରାନ୍ତରରେ କୃତ ଆମ୍ଭର ଚିହ୍ନ ସ୍ୱରୂପ କର୍ମ ଦେଖିଲେ ମଧ୍ୟ ଦଶଥର ଆମ୍ଭର ପରୀକ୍ଷା କରିଅଛନ୍ତି ଓ ଆମ୍ଭ ରବରେ ଅମନୋଯୋଗୀ ହୋଇଅଛନ୍ତି,
23ସେମାନଙ୍କ ପୂର୍ବପୁରୁଷମାନଙ୍କ ପ୍ରତି ଆମ୍ଭେ ଯେଉଁ ଦେଶ ବିଷୟରେ ଶପଥ କରିଅଛୁ, ନିଶ୍ଚୟ ଏମାନଙ୍କ ମଧ୍ୟରୁ କେହି ସେହି ଦେଶ ଦେଖି ପାରିବେ ନାହିଁ; କିଅବା ଯେଉଁମାନେ ଆମ୍ଭଙ୍କୁ ଅବଜ୍ଞା କରିଅଛନ୍ତି, ସେମାନଙ୍କ ମଧ୍ୟରୁ କେହି ତାହା ଦେଖିବ ନାହିଁ;
24ମାତ୍ର ଆମ୍ଭର ସେବକ କାଲେବଠାରେ ଅନ୍ୟ ଆତ୍ମା ଅଛି ଓ ସେ ସମ୍ପୂର୍ଣ୍ଣ ରୂପେ ଆମ୍ଭର ଅନୁଗତ ହୋଇଅଛି, ଏଥିପାଇଁ ସେ ଯେଉଁ ଦେଶକୁ ଯାଇଥିଲା, ସେହି ଦେଶରେ ଆମ୍ଭେ ତାହାକୁ ପ୍ରବେଶ କରାଇବା ଓ ତାହାର ବଂଶ ତାହା ଅଧିକାର କରିବେ।
25ବର୍ତ୍ତମାନ ଅମାଲେକୀୟ ଓ କିଣାନୀୟମାନେ ତଳଭୂମିରେ ବାସ କରନ୍ତି; କାଲି ତୁମ୍ଭେମାନେ ଫେରି ସୂଫ ସାଗରକୁ ଯିବା ପଥ ଦେଇ ପ୍ରାନ୍ତରକୁ ଗମନ କର।”
26ଏଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ ଓ ହାରୋଣଙ୍କୁ କହିଲେ,
27“ଆମ୍ଭ ବିରୁଦ୍ଧରେ ବଚସା କରୁଅଛି, ଏହି ଯେଉଁ ଦୁଷ୍ଟ ମଣ୍ଡଳୀ, ତାହାକୁ ଆମ୍ଭେ କେତେ କାଳ ସହିବା ? ଇସ୍ରାଏଲ ସନ୍ତାନଗଣ ଆମ୍ଭ ପ୍ରତିକୂଳରେ ଯେଉଁ ବଚସା କରୁଅଛନ୍ତି, ତାହା ଆମ୍ଭେ ଶୁଣିଅଛୁ।