18ପୁଣି, ତୁମ୍ଭେ ଲୋକମାନଙ୍କୁ କୁହ, ତୁମ୍ଭେମାନେ କାଲି ପାଇଁ ଆପଣା ଆପଣାକୁ ପବିତ୍ର କର, ଆଉ ତୁମ୍ଭେମାନେ ମାଂସ ଖାଇବ; କାରଣ ତୁମ୍ଭେମାନେ ସଦାପ୍ରଭୁଙ୍କ କର୍ଣ୍ଣଗୋଚରରେ କ୍ରନ୍ଦନ କରି କହିଅଛ, କିଏ ଆମ୍ଭମାନଙ୍କୁ ମାଂସ ଖାଇବାକୁ ଦେବ ? ବରଞ୍ଚ ମିସର ଦେଶରେ ଆମ୍ଭମାନଙ୍କର ମଙ୍ଗଳ ଥିଲା; ଏନିମନ୍ତେ ସଦାପ୍ରଭୁ ତୁମ୍ଭମାନଙ୍କୁ ମାଂସ ଦେବେ, ତୁମ୍ଭେମାନେ ତାହା ଖାଇବ।
19ତୁମ୍ଭେମାନେ ଦିନେ କିମ୍ବା ଦୁଇ ଦିନ କିମ୍ବା ପାଞ୍ଚ ଦିନ କିମ୍ବା ଦଶ ଦିନ କିମ୍ବା କୋଡ଼ିଏ ଦିନ ଖାଇବ, ତାହା ନୁହେଁ;
20ମାତ୍ର ସମ୍ପୂର୍ଣ୍ଣ ଏକ ମାସ, ଯେପର୍ଯ୍ୟନ୍ତ ତାହା ତୁମ୍ଭମାନଙ୍କ ନାସିକାରୁ ନିର୍ଗତ ଓ ତୁମ୍ଭମାନଙ୍କର ଘୃଣାଯୋଗ୍ୟ ନ ହୁଏ, ସେପର୍ଯ୍ୟନ୍ତ ଖାଇବ; କାରଣ ତୁମ୍ଭେମାନେ ଆପଣାମାନଙ୍କ ମଧ୍ୟବର୍ତ୍ତୀ ସଦାପ୍ରଭୁଙ୍କୁ ଅଗ୍ରାହ୍ୟ କରି ତାହାଙ୍କ ସମ୍ମୁଖରେ କ୍ରନ୍ଦନ କରି କହିଅଛ, ଆମ୍ଭେମାନେ କାହିଁକି ମିସରରୁ ବାହାରି ଆସିଲୁ।
21ତେବେ ମୋଶା କହିଲେ, “ମୁଁ ଯେଉଁ ଲୋକମାନଙ୍କ ମଧ୍ୟରେ ଅଛି, ସେମାନେ ଛଅ ଲକ୍ଷ ପଦାତିକ; ତଥାପି ତୁମ୍ଭେ କହୁଅଛ, ଆମ୍ଭେ ସେମାନଙ୍କୁ ମାଂସ ଦେବା, ସେମାନେ ତାହା ସମ୍ପୂର୍ଣ୍ଣ ଏକ ମାସ ଖାଇବେ।
22ସେମାନଙ୍କୁ ଅଣ୍ଟିବା ଭଳି କ’ଣ ପଲ ପଲ ଗୋମେଷ ବଧ କରାଯିବ ? ଅବା ସେମାନଙ୍କୁ ଅଣ୍ଟିବା ଭଳି ସମୁଦ୍ରର ସବୁ ମାଛ କ’ଣ ଏକତ୍ର କରାଯିବ ?
23ତହିଁରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ସଦାପ୍ରଭୁଙ୍କର ହସ୍ତ କି ସଙ୍କୁଚିତ ହୋଇଅଛି ? ତୁମ୍ଭ ପ୍ରତି ଆମ୍ଭର ବାକ୍ୟ ସଫଳ ହେବ କି ନାହିଁ, ତୁମ୍ଭେ ଏବେ ତାହା ଦେଖିବ।”
24ଏଥିରେ ମୋଶା ବାହାରକୁ ଯାଇ ଲୋକମାନଙ୍କୁ ସଦାପ୍ରଭୁଙ୍କର କଥା କହିଲେ, ପୁଣି, ସେ ଲୋକମାନଙ୍କର ପ୍ରାଚୀନବର୍ଗ ମଧ୍ୟରୁ ସତୁରି ଜଣଙ୍କୁ ଏକତ୍ର କରି ତମ୍ବୁର ଚତୁର୍ଦ୍ଦିଗରେ ରଖିଲେ।
25ତହିଁରେ ସଦାପ୍ରଭୁ ମେଘରେ ଓହ୍ଲାଇ ତାଙ୍କ ସହିତ କଥା କହିଲେ, ଆଉ ଯେଉଁ ଆତ୍ମା ତାଙ୍କଠାରେ ଥିଲା, ତହିଁରୁ ନେଇ ସତୁରି ପ୍ରାଚୀନଙ୍କୁ ଦେଲେ; ପୁଣି, ସେହି ଆତ୍ମା ସେମାନଙ୍କ ଉପରେ ଅବସ୍ଥାନ କରନ୍ତେ, ସେମାନେ ଭବିଷ୍ୟତ୍ କଥା ପ୍ରଚାର କଲେ, ମାତ୍ର ତହିଁ ଉତ୍ତାରେ ଆଉ କଲେ ନାହିଁ।
26ମାତ୍ର ଛାଉଣି ମଧ୍ୟରେ ଦୁଇ ଜଣ ଅବଶିଷ୍ଟ ରହିଲେ, ଜଣକର ନାମ ଇଲଦଦ୍ ଓ ଅନ୍ୟର ନାମ ମେଦଦ୍; ସେମାନଙ୍କ ଉପରେ ସେହି ଆତ୍ମା ଅବସ୍ଥିତି କଲା; ସେମାନେ ସେହି ଲିଖିତ ଲୋକମାନଙ୍କ ମଧ୍ୟରେ ଥିଲେ, ମାତ୍ର ବାହାର ହୋଇ ତମ୍ବୁ ନିକଟକୁ ଯାଇ ନ ଥିଲେ; ସେମାନେ ଛାଉଣି ମଧ୍ୟରେ ଥାଇ ଭବିଷ୍ୟତ କଥା ପ୍ରଚାର କଲେ।
27ତହୁଁ ଜଣେ ଯୁବା ଦୌଡ଼ି ଯାଇ ମୋଶାଙ୍କୁ କହିଲା, ଇଲଦଦ୍ ଓ ମେଦଦ୍ ଛାଉଣି ମଧ୍ୟରେ ଭବିଷ୍ୟତ କଥା ପ୍ରଚାର କରୁଅଛନ୍ତି।
28ତହିଁରେ (ନୂନର ପୁତ୍ର ଯିହୋଶୂୟ ନାମକ) ମୋଶାଙ୍କର ଜଣେ ମନୋନୀତ ପରିଚାରକ ମୋଶାଙ୍କୁ କହିଲେ, “ହେ ମୋହର ପ୍ରଭୁ ମୋଶା, ସେମାନଙ୍କୁ ନିଷେଧ କରନ୍ତୁ।”