Text copied!
CopyCompare
ଓଡିଆ ବାଇବେଲ - ମାର୍କ - ମାର୍କ 6

ମାର୍କ 6:19-41

Help us?
Click on verse(s) to share them!
19ସେଥିରେ ହେରୋଦିଆ ତାହାଙ୍କ ପ୍ରତି ଈର୍ଷାନ୍ୱିତ ହୋଇ ତାହାଙ୍କୁ ବଧ କରିବା ନିମନ୍ତେ ଇଚ୍ଛା କରୁଥିଲେ, ମାତ୍ର ପାରୁ ନ ଥିଲେ;
20କାରଣ ହେରୋଦ ଯୋହନଙ୍କୁ ଜଣେ ଧାର୍ମିକ ଓ ପବିତ୍ର ବ୍ୟକ୍ତି ଜାଣି ଭୟ କରୁଥିଲେ ଆଉ ତାହାଙ୍କୁ ରକ୍ଷା କରିବାକୁ ଚେଷ୍ଟା କରୁଥିଲେ, ପୁଣି, ତାହାଙ୍କ କଥା ଶୁଣି ଅତିଶୟ ଉଦ୍‌ବିଗ୍ନ ହେଲେ ସୁଦ୍ଧା ଆନନ୍ଦରେ ତାହା ଶୁଣୁଥିଲେ ।
21ପରେ ସୁଯୋଗର ଦିନ ଉପସ୍ଥିତ ହେଲା । ହେରୋଦ ଆପଣା ଜନ୍ମ ଦିନରେ ପାତ୍ରମନ୍ତ୍ରୀ, ପ୍ରଧାନ ପ୍ରଧାନ ସେନାପତି ଓ ଗାଲିଲୀର ବିଶିଷ୍ଟ ବ୍ୟକ୍ତିମାନଙ୍କ ନିମନ୍ତେ ରାତ୍ରି ସମୟରେ ଗୋଟିଏ ଭୋଜ ପ୍ରସ୍ତୁତ କଲେ;
22ଆଉ ହେରୋଦିଆଙ୍କ ନିଜର କନ୍ୟା ଭିତରକୁ ଆସି ନୃତ୍ୟ କରି ହେରୋଦ ଓ ତାହାଙ୍କ ସହିତ ଭୋଜରେ ଉପବିଷ୍ଟ ବ୍ୟକ୍ତିମାନଙ୍କୁ ମୁଗ୍ଧ କରିଦେଲା। ସେଥିରେ ରାଜା ବାଳିକାକୁ କହିଲେ, ଯାହା ଇଚ୍ଛା କରୁଅଛ, ମାଗ, ଆମ୍ଭେ ତୁମ୍ଭକୁ ତାହା ଦେବା ।
23ପୁଣି, ସେ ତାହା ନିକଟରେ ଶପଥ କଲେ, ତୁମ୍ଭେ ଆମ୍ଭକୁ ଯାହା କିଛି ମାଗିବ, ରାଜ୍ୟର ଅର୍ଦ୍ଧେକ ପର୍ଯ୍ୟନ୍ତ ଆମ୍ଭେ ତୁମ୍ଭକୁ ଦେବା ।
24ତହିଁରେ ସେ ବାହାରିଯାଇ ଆପଣା ମାତାଙ୍କୁ ପଚାରିଲା, ମୁଁ କ'ଣ ମାଗିବି ? ସେ କହିଲେ ବାପ୍ତିଜକ ଯୋହନର ମସ୍ତକ ।
25ସେହିକ୍ଷଣି ସେ ରାଜାଙ୍କ ନିକଟକୁ ଶୀଘ୍ର ଆସି ଏହା କହି ମାଗିଲା, ମୋହର ଇଚ୍ଛା ଯେ, ଆପଣ ବାପ୍ତିଜକ ଯୋହନର ମସ୍ତକ ଗୋଟିଏ ଥାଳିରେ ମୋତେ ଏହିକ୍ଷଣି ଦିଅନ୍ତୁ ।
26ଏଥିରେ ରାଜା ଅତ୍ୟନ୍ତ ଦୁଃଖିତ ହେଲେ ସୁଦ୍ଧା ଆପଣା ଶପଥ ଓ ଭୋଜନୋପବିଷ୍ଟ ବ୍ୟକ୍ତିମାନଙ୍କ ହେତୁ ମନା କରିବାକୁ ଇଚ୍ଛା କଲେ ନାହିଁ ।
27ଏଣୁ ରାଜା ସେହିକ୍ଷଣି ଜଣେ ସୈନ୍ୟ ପଠାଇ ତାହାଙ୍କର ମସ୍ତକ ଆଣିବା ନିମନ୍ତେ ଆଜ୍ଞା ଦେଲେ । ସେଥିରେ ସେ ଯାଇ ବନ୍ଦୀଶାଳାରେ ତାହାଙ୍କ ମସ୍ତକ ଛେଦନ କଲା,
28ଆଉ ତାହା ଗୋଟିଏ ଥାଳିରେ ଆଣି ବାଳିକାକୁ ଦେଲା, ପୁଣି, ବାଳିକା ତାହା ଘେନି ନିଜ ମାତାଙ୍କୁ ଦେଲା ।
29ତାହାଙ୍କ ଶିଷ୍ୟମାନେ ସେଥିର ସମ୍ବାଦ ପାଇ ଆସିଲେ ଓ ତାହାଙ୍କ ଶବ ଘେନିଯାଇ ସମାଧିରେ ରଖିଲେ ।
30ପରେ ପ୍ରେରିତମାନେ ଯୀଶୁଙ୍କ ନିକଟରେ ଏକତ୍ର ହେଲେ, ଆଉ ସେମାନେ ଯାହା ଯାହା କରିଥିଲେ ଓ ଯାହା ଯାହା ଶିକ୍ଷା ଦେଇଥିଲେ, ସେହି ସବୁ ତାହାଙ୍କୁ ଜଣାଇଲେ ।
31ସେଥିରେ ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ଅଲଗା ହୋଇ ଗୋଟିଏ ନିର୍ଜନ ସ୍ଥାନକୁ ଯାଇ କିଛି ସମୟ ବିଶ୍ରାମ କର । କାରଣ ଅନେକ ଲୋକ ଯିବା ଆସିବା କରୁଥିବାରୁ ସେମାନଙ୍କର ଭୋଜନ କରିବାକୁ ସୁଦ୍ଧା ସୁଯୋଗ ନ ଥିଲା ।
32ତହିଁରେ ସେମାନେ ଅଲଗା ହୋଇ ନୌକାରେ ଗୋଟିଏ ନିର୍ଜନ ସ୍ଥାନକୁ ବାହାରିଗଲେ ।
33କିନ୍ତୁ ଅନେକେ ସେମାନଙ୍କୁ ବାହାରି ଯିବାର ଦେଖିଲେ ଓ ଚିହ୍ନିଲେ, ପୁଣି, ଲୋକମାନେ ସମସ୍ତ ନଗରରୁ ପାଦଗତିରେ ସେଠାକୁ ଏକତ୍ର ଦୌଡ଼ିଯାଇ ସେମାନଙ୍କ ଆଗରେ ପହଞ୍ଚିଲେ ।
34ସେ ନୌକାରୁ ବାହାରି ବହୁସଂଖ୍ୟକ ଲୋକଙ୍କୁ ଦେଖି ସେମାନଙ୍କ ପ୍ରତି ଦୟାରେ ବିଗଳିତ ହେଲେ, କାରଣ ସେମାନେ ଅରକ୍ଷକ ମେଷ ପରି ଥିଲେ; ପୁଣି, ସେ ସେମାନଙ୍କୁ ଅନେକ ବିଷୟ ଶିକ୍ଷା ଦେବାକୁ ଲାଗିଲେ ।
35ବେଳ ବହୁତ ହେବାରୁ ତାହାଙ୍କ ଶିଷ୍ୟମାନେ ତାହାଙ୍କ ନିକଟକୁ ଆସି କହିଲେ, ଏ ସ୍ଥାନ ତ ନିର୍ଜନ, ପୁଣି, ବହୁତ ବେଳ ହେଲାଣି;
36ଲୋକମାନେ ଯେପରି ଚତୁର୍ଦ୍ଦିଗରେ ପଲ୍ଲୀ ଓ ଗ୍ରାମମାନଙ୍କୁ ଯାଇ ଆପଣା ଆପଣା ନିମନ୍ତେ ଖାଇବା ପାଇଁ କିଛି କିଣନ୍ତି, ଏଥି ନିମନ୍ତେ ସେମାନଙ୍କୁ ବିଦାୟ ଦିଅନ୍ତୁ ।
37କିନ୍ତୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ସେମାନଙ୍କୁ ଭୋଜନ କରାଅ । ସେମାନେ ତାହାଙ୍କୁ କହିଲେ, ଆମ୍ଭେମାନେ କ'ଣ ଯାଇ ଶହେ ଟଙ୍କାର ରୁଟି କିଣି ଏମାନଙ୍କୁ ଭୋଜନ କରାଇବା ?
38ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ପାଖରେ କେତୋଟି ରୁଟି ଅଛି ? ଯାଇ ଦେଖ । ସେମାନେ ବୁଝି ଆସି ତାହାଙ୍କୁ କହିଲେ, ପାଞ୍ଚଟି, ପୁଣି, ଦୁଇଟି ମାଛ ।
39ସେଥିରେ ସମସ୍ତେ ଯେପରି ଦଳ ଦଳ ହୋଇ କଅଁଳ ଘାସ ଉପରେ ବସନ୍ତି, ଏଥିପାଇଁ ସେ ସେମାନଙ୍କୁ ଆଜ୍ଞା ଦେଲେ ।
40ତହିଁରେ ସେମାନେ ଶହ ଶହ ଓ ପଚାଶ ପଚାଶ ଜଣ କରି ଦଳ ଦଳ ହୋଇ ବସିଲେ ।
41ପରେ ଯୀଶୁ ସେହି ପାଞ୍ଚଟି ରୁଟି ଓ ଦୁଇଟି ମାଛ ଘେନି ସ୍ୱର୍ଗ ଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କରି ଆଶୀର୍ବାଦ କଲେ ଏବଂ ରୁଟିଗୁଡ଼ିକ ଭାଙ୍ଗି ଲୋକମାନଙ୍କୁ ପରିବେଷଣ କରିବା ନିମନ୍ତେ ଶିଷ୍ୟମାନଙ୍କୁ ଦେବାକୁ ଲାଗିଲେ । ପୁଣି, ସେହି ଦୁଇ ମାଛ ସେ ସମସ୍ତଙ୍କ ମଧ୍ୟରେ ଭାଗ କରିଦେଲେ ।

Read ମାର୍କ 6ମାର୍କ 6
Compare ମାର୍କ 6:19-41ମାର୍କ 6:19-41