Text copied!
CopyCompare
ଓଡିଆ ବାଇବେଲ - ପ୍ରେରିତ - ପ୍ରେରିତ 23

ପ୍ରେରିତ 23:4-16

Help us?
Click on verse(s) to share them!
4ସେଥିରେ ନିକଟରେ ଠିଆ ହୋଇଥିବା ଲୋକମାନେ କହିଲେ, ତୁ କି ଈଶ୍ୱରଙ୍କ ମହାଯାଜକଙ୍କୁ ନିନ୍ଦା କରୁଅଛୁ ?
5ପୁଣି, ପାଉଲ କହିଲେ, ଭାଇମାନେ, ସେ ମହାଯାଜକ ବୋଲି ମୁଁ ଜାଣି ନ ଥିଲି; କାରଣ ଲିଖିତ ଅଛି, ତୁମ୍ଭେ ନିଜ ଲୋକମାନଙ୍କ ଅଧ୍ୟକ୍ଷଙ୍କୁ ଅଭିଶାପ ଦେବ ନାହିଁ ।
6ପାଉଲ ଏକ ଭାଗ ସାଦ୍ଦୂକୀ ଆଉ ଅପର ଭାଗ ଫାରୂଶୀ ବୋଲି ଜାଣି ମହାସଭାରେ ଉଚ୍ଚସ୍ୱରରେ କହିଲେ, ଭାଇମାନେ, ମୁଁ ଜଣେ ଫାରୂଶୀ ଓ ଫାରୂଶୀର ପୁତ୍ର; ପୁଣି, ଏହି ଭରସା, ଅର୍ଥାତ୍ ମୃତମାନଙ୍କ ପୁନରୁତ୍ଥାନ ସମ୍ବନ୍ଧରେ ମୁଁ ବିଚାରିତ ହେଉଅଛି ।
7ସେ ଏହି କଥା କହିବାରୁ ଫାରୂଶୀ ଓ ସାଦ୍ଦୂକୀମାନଙ୍କ ମଧ୍ୟରେ ବିବାଦ, ଓ ସଭାରେ ଦଳଭେଦ ଘଟିଲା ।
8କାରଣ ସାଦ୍ଦୂକୀମାନେ ପୁନରୁତ୍ଥାନ, ଦୂତ ଅବା ଆତ୍ମା ନାହାଁନ୍ତି ବୋଲି କହନ୍ତି, କିନ୍ତୁ ଫାରୂଶୀମାନେ ଉଭୟ ସ୍ୱୀକାର କରନ୍ତି ।
9ଏଥିରେ ମହା କୋଳାହଳ ଘଟିଲା, ଆଉ ଫାରୂଶୀମାନଙ୍କ ଦଳର କେତେକ ଶାସ୍ତ୍ରୀ ଉଠି ଯୁକ୍ତିତର୍କ କରି କହିଲେ, ଆମ୍ଭେମାନେ ଏହି ଲୋକଠାରେ କୌଣସି ଦୋଷ ଦେଖୁ ନାହୁଁ, କେଜାଣି କୌଣସି ଆତ୍ମା କିମ୍ବା ଦୂତ ତାହା ସାଙ୍ଗରେ କଥା କହିଅଛନ୍ତି ।
10ଏହି ପ୍ରକାରେ ମହା ବିବାଦ ଘଟନ୍ତେ, କାଳେ ପାଉଲ ସେମାନଙ୍କ ଦ୍ୱାରା ଖଣ୍ଡବିଖଣ୍ଡ ହେବେ, ଏହି ଭୟରେ ସହସ୍ର ସେନାପତି ସେମାନଙ୍କ ମଧ୍ୟରୁ ତାହାଙ୍କୁ ବଳପୂର୍ବକ ଗଡ଼ ଭିତରକୁ ନେଇ ଆସିବା ପାଇଁ ସୈନ୍ୟମାନଙ୍କୁ ଯିବାକୁ ଆଦେଶ ଦେଲେ ।
11ପରରାତ୍ରରେ ପ୍ରଭୁ ତାହାଙ୍କ ପାଖରେ ଠିଆ ହୋଇ କହିଲେ, ସାହସ ଧର, କାରଣ ତୁମ୍ଭେ ଯେପରି ଯିରୂଶାଲମରେ ଆମ୍ଭ ବିଷୟରେ ସାକ୍ଷ୍ୟ ଦେଇଅଛ, ସେହିପରି ତୁମ୍ଭକୁ ରୋମରେ ମଧ୍ୟ ସାକ୍ଷ୍ୟ ଦେବାକୁ ହେବ ।
12ଦିନ ହୁଅନ୍ତେ ଯିହୂଦୀମାନେ ଦଳବଦ୍ଧ ହୋଇ ପାଉଲଙ୍କୁ ବଧ ନ କରିବା ପର୍ଯ୍ୟନ୍ତ, ଅନ୍ନଜଳ ସ୍ପର୍ଶ କଲେ ଅଭିଶପ୍ତ ହେବେ ବୋଲି, ଶପଥରେ ନିଜ ନିଜକୁ ଆବଦ୍ଧ କଲେ ।
13ଏହି ଷଡ଼ଯନ୍ତ୍ର କରିଥିବା ଲୋକମାନେ, ଚାଳିଶ ଜଣରୁ ଅଧିକ ଥିଲେ ।
14ସେମାନେ ପ୍ରଧାନ ଯାଜକ ଓ ପ୍ରାଚୀନମାନଙ୍କ ନିକଟକୁ ଆସି କହିଲେ, ଆମ୍ଭେମାନେ ପାଉଲଙ୍କୁ ବଧ ନ କରିବା ପର୍ଯ୍ୟନ୍ତ କିଛି ଖାଇବୁ ନାହିଁ ବୋଲି ନିଜ ନିଜକୁ ଦୃଢ଼ ଶପଥରେ ଆବଦ୍ଧ କରିଅଛୁ ।
15ଅତଏବ ଆପଣମାନେ ଅଧିକ ସୂକ୍ଷ୍ମ ରୂପେ ତାହାର ବିଚାର କରିବାକୁ ଇଚ୍ଛା କରୁଅଛନ୍ତି ବୋଲି ଛଳନା କରି ତାହାକୁ ଆପଣମାନଙ୍କ ନିକଟକୁ ଆଣିବା ନିମନ୍ତେ ଏବେ ମହାସଭା ସହିତ ସହସ୍ର ସେନାପତିଙ୍କୁ ନିବେଦନ କରନ୍ତୁ । ସେ ଆପଣମାନଙ୍କ ନିକଟକୁ ଆସିବା ପୂର୍ବେ ଆମ୍ଭେମାନେ ତାହାକୁ ବଧ କରିବାକୁ ପ୍ରସ୍ତୁତ ଅଛୁ ।
16କିନ୍ତୁ ପାଉଲଙ୍କ ଭଣଜା ସେମାନଙ୍କର ଛକି ରହିବା କଥା ଶୁଣି ଆସି ଗଡ଼ ମଧ୍ୟରେ ପ୍ରବେଶ କରି ପାଉଲଙ୍କୁ ଜଣାଇଲା ।

Read ପ୍ରେରିତ 23ପ୍ରେରିତ 23
Compare ପ୍ରେରିତ 23:4-16ପ୍ରେରିତ 23:4-16