11କିନ୍ତୁ ସେମାନେ ଯେପ୍ରକାର, ଆମ୍ଭେମାନେ ମଧ୍ୟ ସେପ୍ରକାର ପ୍ରଭୁ ଯୀଶୁଙ୍କ ଅନୁଗ୍ରହରେ ପରିତ୍ରାଣ ପାଇବୁ ବୋଲି ବିଶ୍ୱାସ କରୁଅଛୁ ।
12ଏଥିରେ ସଭାସ୍ଥ ସମସ୍ତେ ନୀରବ ରହିଲେ, ଆଉ ବର୍ଣ୍ଣବ୍ବା ଓ ପାଉଲଙ୍କ ଦ୍ୱାରା ଅଣଯିହୂଦୀମାନଙ୍କ ମଧ୍ୟରେ ଈଶ୍ୱର ଯେ ସମସ୍ତ ଲକ୍ଷଣ ଓ ଅଦ୍ଭୁତ କର୍ମମାନ ସାଧନ କରିଥିଲେ, ସେମାନଙ୍କଠାରୁ ସେଥିର ବିବରଣୀ ଶୁଣିବାକୁ ଲାଗିଲେ ।
13ସେମାନଙ୍କ କଥା ଶେଷ ହେଲା ଉତ୍ତାରେ ଯାକୁବ ଉତ୍ତର ଦେଇ କହିଲେ, ହେ ଭାଇମାନେ ମୋହର କଥା ଶୁଣନ୍ତୁ ।
14ଈଶ୍ୱର ଆପଣା ନାମ ନିମନ୍ତେ ଅଣଯିହୂଦୀମାନଙ୍କ ମଧ୍ୟରୁ ଦଳେ ଲୋକ ଗ୍ରହଣ କରିବା ପାଇଁ କିପ୍ରକାରେ ପ୍ରଥମେ ସେମାନଙ୍କ ପ୍ରତି କୃପାଦୃଷ୍ଟି କରିଥିଲେ, ତାହା ଶିମୋନ ବର୍ଣ୍ଣନା କରିଅଛନ୍ତି ।
15ପୁଣି, ଭାବବାଦୀମାନଙ୍କର ବାକ୍ୟ ଏହା ସହିତ ମିଶୁଅଛି, ଯେପରି ଲେଖା ଅଛି,
16ଏଥିଉତ୍ତାରେ ଆମ୍ଭେ ବାହୁଡ଼ିଆସି ଦାଉଦର ପତିତ କୁଟୀର ପୁନଃନିର୍ମାଣ କରିବା, ପୁଣି, ତାହାର ଧ୍ୱଂସସ୍ଥାନସବୁ ପୁନଃନିର୍ମାଣ କରି ତାହା ପୁନଃସ୍ଥାପନ କରିବା,
17ଯେପରି ଅବଶିଷ୍ଟ ଲୋକେ ଓ ଯେ ସମସ୍ତ ଅଣଯିହୂଦୀ ଆମ୍ଭ ନାମରେ ଖ୍ୟାତ, ସେମାନେ ପ୍ରଭୁଙ୍କୁ ଅନ୍ୱେଷଣ କରନ୍ତି, ସର୍ବ ସାଧନକର୍ତ୍ତା ପ୍ରଭୁ ଏହା କହନ୍ତି ।