Text copied!
CopyCompare
ଓଡିଆ ବାଇବେଲ - ପ୍ରଥମ ରାଜାବଳୀ - ପ୍ରଥମ ରାଜାବଳୀ 2

ପ୍ରଥମ ରାଜାବଳୀ 2:25-42

Help us?
Click on verse(s) to share them!
25ଏଉତ୍ତାରେ ଶଲୋମନ ରାଜା ଯିହୋୟାଦାର ପୁତ୍ର ବନାୟକୁ ପଠାଇଲେ; ତହୁଁ ସେ ତାହାକୁ ଆକ୍ରମଣ କରନ୍ତେ, ସେ ମଲା।
26ଏଥିଉତ୍ତାରେ ରାଜା ଅବୀୟାଥର ଯାଜକଙ୍କୁ କହିଲେ, “ତୁମ୍ଭେ ଅନାଥୋତ୍‍କୁ ଆପଣା କ୍ଷେତ୍ରକୁ ଯାଅ; କାରଣ, ତୁମ୍ଭେ ମୃତ୍ୟୁୁ ଯୋଗ୍ୟ; ମାତ୍ର, ମୁଁ ତୁମ୍ଭକୁ ବର୍ତ୍ତମାନ ବଧ କରିବି ନାହିଁ, ଯେହେତୁ ତୁମ୍ଭେ ମୋ’ ପିତା ଦାଉଦଙ୍କ ସମ୍ମୁଖରେ ପ୍ରଭୁ ସଦାପ୍ରଭୁଙ୍କ ସିନ୍ଦୁକ ବହିଥିଲ, ଆହୁରି ମୋ’ ପିତାଙ୍କ ସମସ୍ତ ଦୁଃଖଭୋଗରେ ଦୁଃଖଭୋଗ କରିଥିଲ।
27ଏନିମନ୍ତେ ସଦାପ୍ରଭୁ ଶୀଲୋରେ ଏଲିର ବଂଶ ବିଷୟରେ ଯାହା କହିଥିଲେ, ତାହାଙ୍କର ସେହି ବାକ୍ୟ ସିଦ୍ଧ କରିବା ପାଇଁ ଶଲୋମନ ଅବୀୟାଥରକୁ ସଦାପ୍ରଭୁଙ୍କ ଯାଜକ କର୍ମରୁ ଦୂର କରିଦେଲେ।
28ଏଉତ୍ତାରେ ଯୋୟାବ ନିକଟରେ ସମ୍ବାଦ ଉପସ୍ଥିତ ହେଲା, କାରଣ ଯୋୟାବ ଯଦ୍ୟପି ଅବଶାଲୋମର ଅନୁଗାମୀ ହେବା ପାଇଁ ବିପଥଗାମୀ ହୋଇ ନ ଥିଲା, ତଥାପି ଅଦୋନୀୟର ଅନୁଗାମୀ ହେବା ପାଇଁ ବିପଥଗାମୀ ହେଲା। ସେଥିସକାଶୁ ଯୋୟାବ ସଦାପ୍ରଭୁଙ୍କ ତମ୍ବୁକୁ ପଳାଇ ଯଜ୍ଞବେଦିର ଶୃଙ୍ଗ ଧରିପକାଇଲା।
29ଏଉତ୍ତାରେ ଦେଖ, ଯୋୟାବ ସଦାପ୍ରଭୁଙ୍କ ତମ୍ବୁକୁ ପଳାଇ ବେଦି ନିକଟରେ ଅଛି, ଏହି ସମ୍ବାଦ ଶଲୋମନ ରାଜାଙ୍କୁ ଦିଆଯା’ନ୍ତେ, ସେ ଯିହୋୟାଦାର ପୁତ୍ର ବନାୟକୁ ପଠାଇ କହିଲେ, “ଯାଅ, ତାକୁ ଆକ୍ରମଣ କର।”
30ତହିଁରେ ବନାୟ ସଦାପ୍ରଭୁଙ୍କ ତମ୍ବୁକୁ ଯାଇ ତାହାକୁ କହିଲା, “ରାଜା କହିଅଛନ୍ତି, ବାହାରକୁ ଆସ।” ମାତ୍ର ସେ କହିଲା, “ନା, ମୁଁ ଏଠାରେ ମରିବି।” ଏଥିରେ ବନାୟ ପୁଣି, ରାଜାଙ୍କ ନିକଟକୁ ସମ୍ବାଦ ଆଣି କହିଲା, “ଯୋୟାବ ଏପରି କହିଲା ଓ ମୋତେ ଏପରି ଉତ୍ତର ଦେଲା।”
31ତେବେ ରାଜା ତାହାକୁ କହିଲେ, “ସେ ଯେପରି କହିଅଛି, ସେପରି କର, ତାହାକୁ ଆଘାତ କର ଓ ତାହାକୁ କବର ଦିଅ; ତହିଁରେ ଯୋୟାବ ଅକାରଣରେ ଯେଉଁ ରକ୍ତପାତ କରିଅଛି, ତହିଁର ଅପରାଧ ତୁମ୍ଭେ ମୋ’ଠାରୁ ଓ ମୋ’ ପିତୃଗୃହରୁ ଦୂର କରିବ।”
32ପୁଣି, ସଦାପ୍ରଭୁ ତାହାର ରକ୍ତପାତର ଅପରାଧ ତାହାର ନିଜ ମସ୍ତକରେ ବର୍ତ୍ତାଇବେ, କାରଣ, ସେ ମୋ’ ପିତା ଦାଉଦଙ୍କ ଅଜ୍ଞାତସାରରେ ଆପଣାଠାରୁ ଧାର୍ମିକ ଓ ଉତ୍ତମ, ଇସ୍ରାଏଲର ସେନାପତି ନେର୍‍ର ପୁତ୍ର ଅବ୍‍ନର ଓ ଯିହୁଦାର ସେନାପତି ଯେଥରର ପୁତ୍ର ଅମାସା, ଏ ଦୁଇ ଜଣଙ୍କୁ ଆକ୍ରମଣ କରି ଖଡ୍ଗରେ ବଧ କରିଥିଲା।
33ତହୁଁ ସେମାନଙ୍କ ରକ୍ତପାତର ଅପରାଧ ଯୋୟାବର ମସ୍ତକରେ ଓ ସଦାକାଳ ତାହାର ବଂଶର ମସ୍ତକରେ ବର୍ତ୍ତିବ; ମାତ୍ର ଦାଉଦଙ୍କ ପ୍ରତି ଓ ତାଙ୍କ ବଂଶ ପ୍ରତି ଓ ତାଙ୍କ ଗୃହ ପ୍ରତି ଓ ତାଙ୍କ ସିଂହାସନ ପ୍ରତି, ସଦାପ୍ରଭୁଙ୍କଠାରୁ ସଦାକାଳ ଶାନ୍ତି ବର୍ତ୍ତିବ।
34ଏଉତ୍ତାରେ ଯିହୋୟାଦାର ପୁତ୍ର ବନାୟ ଯାଇ ତାହାକୁ ଆକ୍ରମଣ କରି ବଧ କଲା ଓ ପ୍ରାନ୍ତରସ୍ଥ ତାହାର ନିଜ ଗୃହରେ ତାହାକୁ କବର ଦିଆଗଲା।
35ପୁଣି, ରାଜା ତାହାର ପଦରେ ଯିହୋୟାଦାର ପୁତ୍ର ବନାୟକୁ ସେନାପତି କରି ନିଯୁକ୍ତ କଲେ ଓ ରାଜା ଅବୀୟାଥର ପଦରେ ସାଦୋକଙ୍କୁ ଯାଜକ କରି ନିଯୁକ୍ତ କଲେ।
36ଏଉତ୍ତାରେ ରାଜା ଲୋକ ପଠାଇ ଶିମୀୟିକୁ ଡକାଇ କହିଲେ, “ଯିରୂଶାଲମରେ ଆପଣା ପାଇଁ ଏକ ଗୃହ ନିର୍ମାଣ କରି ସେଠାରେ ବାସ କର, ଆଉ ସେଠାରୁ ଅନ୍ୟ କୌଣସି ସ୍ଥାନକୁ ଯାଅ ନାହିଁ।”
37କାରଣ, ତୁମ୍ଭେ ଯେଉଁ ଦିନ ବାହାରି କିଦ୍ରୋଣ ନଦୀ ପାର ହେବ; ସେହି ଦିନ ତୁମ୍ଭେ ନିତାନ୍ତ ମରିବ, ଏହା ନିଶ୍ଚୟ ଜାଣ; ତୁମ୍ଭ ରକ୍ତପାତର ଅପରାଧ ତୁମ୍ଭ ନିଜ ମସ୍ତକରେ ବର୍ତ୍ତିବ।
38ତହିଁରେ ଶିମୀୟି ରାଜାଙ୍କୁ କହିଲା, “ଏ ଉତ୍ତମ କଥା; ମୋ’ ପ୍ରଭୁ ମହାରାଜ ଯେପରି କହିଅଛନ୍ତି, ଆପଣଙ୍କ ଦାସ ସେପରି କରିବ।” ଏଣୁ ଶିମୀୟି ଅନେକ ଦିନ ଯିରୂଶାଲମରେ ବାସ କଲା।
39ଏଥିଉତ୍ତାରେ ତିନି ବର୍ଷ ଶେଷରେ ଶିମୀୟିର ଦାସମାନଙ୍କ ମଧ୍ୟରୁ ଦୁଇ ଜଣ ମାଖାର ପୁତ୍ର ଗାଥୀୟ ରାଜା ଆଖୀଶ୍‍ ନିକଟକୁ ପଳାଇଲେ। ଏଥିରେ ଲୋକେ ଶିମୀୟିକୁ ଜଣାଇ କହିଲେ, “ଦେଖ, ତୁମ୍ଭ ଦାସମାନେ ଗାଥ୍‍ ନଗରରେ ଅଛନ୍ତି।”
40ତହୁଁ ଶିମୀୟି ଉଠି ଗର୍ଦ୍ଦଭ ସଜାଇ ଆପଣା ଦାସମାନଙ୍କୁ ଅନ୍ୱେଷଣ କରିବା ପାଇଁ ଗାଥ୍‍ ନଗରକୁ ଆଖୀଶ୍‍ ନିକଟକୁ ଗଲା; ପୁଣି, ଶିମୀୟି ଯାଇ ଗାଥ୍‍ରୁ ଆପଣା ଦାସମାନଙ୍କୁ ଆଣିଲା।
41ତହୁଁ ଶଲୋମନଙ୍କୁ ସମ୍ବାଦ ଦିଆଗଲା ଯେ, ଶିମୀୟି ଯିରୂଶାଲମରୁ ଗାଥ୍‍କୁ ଯାଇଥିଲା, ପୁଣି, ଫେରି ଆସିଅଛି।
42ଏଥିରେ ରାଜା ଲୋକ ପଠାଇ ଶିମୀୟିକୁ ଡକାଇ ତାହାକୁ କହିଲେ, “ତୁମ୍ଭେ ଯେଉଁ ଦିନ ବାହାରି ଅନ୍ୟ କୌଣସି ସ୍ଥାନରେ ଭ୍ରମଣ କରିବ, ସେହିଦିନ ତୁମ୍ଭେ ନିତାନ୍ତ ମରିବ, ଏହା ନିଶ୍ଚୟ ଜାଣ, ମୁଁ ସଦାପ୍ରଭୁଙ୍କ ନାମରେ ତୁମ୍ଭକୁ ଶପଥ କରାଇ ତୁମ୍ଭ ବିପକ୍ଷରେ କ’ଣ ଏହି ସାକ୍ଷ୍ୟ ଦେଇ ନାହିଁ ? ଆଉ ତୁମ୍ଭେ ମୋତେ କହିଥିଲ, ମୁଁ ଯେଉଁ କଥା ଶୁଣିଲି, ତାହା ଉତ୍ତମ।

Read ପ୍ରଥମ ରାଜାବଳୀ 2ପ୍ରଥମ ରାଜାବଳୀ 2
Compare ପ୍ରଥମ ରାଜାବଳୀ 2:25-42ପ୍ରଥମ ରାଜାବଳୀ 2:25-42