Text copied!
CopyCompare
ଓଡିଆ ବାଇବେଲ - ପ୍ରକାଶିତ

ପ୍ରକାଶିତ 18

Help us?
Click on verse(s) to share them!
1ଏଥିଉତ୍ତାରେ ମୁଁ ଆଉ ଜଣେ ଦୂତଙ୍କୁ ସ୍ଵର୍ଗରୁ ଓହ୍ଲାଇ ଆସିବାର ଦେଖିଲି; ସେ ମହାକ୍ଷମତାପନ୍ନ, ତାହାଙ୍କ ମହିମାରେ ପୃଥିବୀ ଆଲୋକମୟ ହୋଇଗଲା ।
2ସେ ମହା ଶଦ୍ଦ କରି ଉଚ୍ଚ ସ୍ଵରରେ କହିଲେ, ମହାନଗରୀ ବାବିଲ୍ ପତିତ, ଅଧଃପତିତ ହୋଇଅଛି, ତାହା ଭୂତମାନଙ୍କ ବାସସ୍ଥାନ ପୁଣି, ଅଶୁଚି ଆତ୍ମାମାନଙ୍କର ଏବଂ ଅଶୁଚି ଓ ଘୃଣ୍ୟ ପକ୍ଷୀମାନଙ୍କର ଆଶ୍ରୟସ୍ଥାନ ହୋଇଅଛି ।
3କାରଣ ଜାତିସମୂହ ତାହାର ବ୍ୟଭିଚାର କାମରୂପ ସୁରା ପାନ କରିଅଛନ୍ତି, ପୃଥିବୀର ରାଜାମାନେ ତାହା ସହିତ ବ୍ୟଭିଚାର କରିଅଛନ୍ତି ଓ ପୃଥିବୀର ବଣିକମାନେ ତାହାର ବିଳାସିତାରେ ଧନୀ ହୋଇଅଛନ୍ତି ।
4ପରେ ମୁଁ ସ୍ୱର୍ଗରୁ ଆଉ ଗୋଟିଏ ସ୍ଵର ଏହା କହିବାର ଶୁଣିଲି, ହେ ଆମ୍ଭର ଲୋକମାନେ, ତୁମ୍ଭେମାନେ ଯେପରି ତାହାର ପାପର ସହଭାଗୀ ନ ହୁଅ ଓ ତାହାର କ୍ଲେଶର ଅଂଶୀ ନ ହୁଅ, ଏଥି ନିମନ୍ତେ ତାହାଠାରୁ ବାହାରି ଆସ;
5କାରଣ ତାହାର ପାପରାଶୀ ସ୍ଵର୍ଗ ପର୍ଯ୍ୟନ୍ତ ସୁଦ୍ଧା ଉଠିଅଛି, ଆଉ ଈଶ୍ୱର ତାହାର ଅଧର୍ମସବୁ ସ୍ମରଣ କରିଅଛନ୍ତି ।
6ସେ ଯେପରି କରିଅଛି, ସେହିପରି ତାହାକୁ ପ୍ରତିଫଳ ଦିଅ, ତାହାର କର୍ମାନୁସାରେ ତାହାକୁ ଦ୍ୱିଗୁଣ ପ୍ରତିଫଳ ଦିଅ, ଆଉ ସେ ଯେଉଁ ପାତ୍ରରେ ମଦ୍ୟ ମିଶ୍ରିତ କରିଅଛି, ସେଥିରେ ତାହା ପାଇଁ ଦ୍ୱିଗୁଣ ମଦ୍ୟ ମିଶ୍ରିତ କର ।
7ସେ ଯେତେ ନିଜର ଗୌରବ କରିଅଛି ଓ ବିଳାସିତାରେ କାଳ କାଟିଅଛି,ତାହାକୁ ସେତେ ଯନ୍ତ୍ରଣା ଓ ଶୋକ ଦିଅ; କାରଣ ସେ ମନେ ମନେ କହୁଅଛି, ମୁଁ ରାଣୀ ହୋଇ ବସିଅଛି, ମୁଁ ବିଧବା ନୁହେଁ, ମୋତେ କଦାପି ଶୋକ କରିବାକୁ ହେବ ନାହିଁ ।
8ଏନିମନ୍ତେ ଏକ ଦିନରେ ହିଁ ତାହା ପ୍ରତି ଏହି ସମସ୍ତ କ୍ଲେଶ, ଅର୍ଥାତ୍ ମୃତ୍ୟୁ, ଶୋକ ଓ ଦୁର୍ଭିକ୍ଷ ଘଟିବ, ଆଉ ସେ ସମ୍ପୂର୍ଣ୍ଣ ରୂପେ ଅଗ୍ନିରେ ଦଗ୍ଧ ହେବ, ଯେଣୁ ତାହାର ବିଚାରକର୍ତ୍ତା ପ୍ରଭୁ ଈଶ୍ୱର ଶକ୍ତିମାନ ।
9ପୃଥିବୀର ଯେ ସମସ୍ତ ରାଜା ତାହା ସଙ୍ଗରେ ବ୍ୟଭିଚାର କରି ବିଳାସିତାରେ କାଳ କାଟିଅଛନ୍ତି, ସେମାନେ ତାହା ଅଗ୍ନିର ଧୂମ ଦେଖି ତାହା ନିମନ୍ତେ କ୍ରନ୍ଦନ ଓ ବିଳାପ କରିବେ;
10ସେମାନେ ତାହାର ଯନ୍ତ୍ରଣାରେ ଭୟ ହେତୁ ଦୂରରେ ଠିଆ ହୋଇ କହିବେ, ହାୟ, ହାୟ, ମହାନଗରୀ, ପରାକ୍ରମୀ ନଗରୀ ବାବିଲ୍, ତୁ ସନ୍ତାପର ପାତ୍ରୀ । କାରଣ ଏକ ଘଡ଼ି ମଧ୍ୟରେ ତୋହର ଦଣ୍ଡ ଉପସ୍ଥିତ ହେଲା ।
11ଆଉ ପୃଥିବୀର ବଣିକମାନେ ତାହା ନିମନ୍ତେ କ୍ରନ୍ଦନ ଓ ଶୋକ କରିବେ, କାରଣ କେହି ସେମାନଙ୍କ ବାଣିଜ୍ୟଦ୍ରବ୍ୟ ଆଉ କ୍ରୟ କରିବ ନାହିଁ ଯଥା,
12ସୁବର୍ଣ୍ଣ, ରୌପ୍ୟ, ମଣି, ମୁକ୍ତା, ସୂକ୍ଷ୍ମ ବସ୍ତ୍ର, ବାଇଗଣୀ ରଙ୍ଗର ବସ୍ତ୍ର, ପଟୁବସ୍ତ୍ର, ସିନ୍ଦୁରବର୍ଣ୍ଣ ବସ୍ତ୍ର, ସମସ୍ତ ପ୍ରକାର ଚନ୍ଦନକାଷ୍ଠ, ହସ୍ତୀଦନ୍ତର ସର୍ବ ପ୍ରକାର ବସ୍ତୁ, ଅତି ବହୁମୂଲ୍ୟ କାଷ୍ଠ, ପିତ୍ତଳ, ଲୌହ ଓ ମର୍ମର ପ୍ରସ୍ତର (ମାର୍ବଲ୍) ନିର୍ମିତ ସମସ୍ତ ପ୍ରକାର ବସ୍ତୁ,
13ଦାରୁଚିନି, ସୁଗନ୍ଧିଦ୍ରବ୍ୟ, ଧୂପ, ସୁଗନ୍ଧି ଲେପ୍ୟଦ୍ରବ୍ୟ, କୁନ୍ଦୁରୁ, ମଦ୍ୟ, ତୈଳ, ମଇଦା, ଗହମ, ଗୋରୁ, ମେଷ, ଅଶ୍ୱ, ରଥ, କ୍ରୀତଦାସ ଓ ମନୁଷ୍ୟମାନଙ୍କ ପ୍ରାଣ ।
14ତୋହର ପ୍ରାଣର ଅଭିଳାଷର ଫଳସବୁ ତୋହଠାରୁ ଦୂର ହୋଇଅଛି, ପୁଣି, ସମସ୍ତ ସୁସ୍ୱାଦୁ ଓ ମନୋହରବିଷୟ ତୋହଠାରୁ ଅନ୍ତର କରାଯାଇ ବିନଷ୍ଟ ହୋଇଅଛି, ଆଉ କେବେ ହେଁ ସେ ସମସ୍ତର ଉଦ୍ଦେଶ୍ୟ ମିଳିବ ନାହିଁ ।
15ଏହି ସମସ୍ତ ଦ୍ରବ୍ୟର ଯେଉଁ ବଣିକମାନେ ତାହା ଦ୍ୱାରା ଧନୀ ହୋଇଥିଲେ, ସେମାନେ ତାହାର ଯନ୍ତ୍ରଣାର ଭୟ ହେତୁ ଦୂରରେ ଠିଆ ହୋଇ କ୍ରନ୍ଦନ ଓ ଶୋକ କରି କହିବେ,
16ହାୟ, ହାୟ, ମହାନଗରୀ, ସନ୍ତାପର ପାତ୍ରୀ । ତାହା ସୂକ୍ଷ୍ମ ବସ୍ତ୍ର, ବାଇଗଣୀ ରଙ୍ଗର ଓ ସିନ୍ଦୁରବର୍ଣ୍ଣ ବସ୍ତ୍ର ପରିହିତା ଥିଲା, ପୁଣି, ସୁବର୍ଣ୍ଣ, ମଣି ଓ ମୁକ୍ତାରେ ଭୂଷିତା ଥିଲା ।
17କାରଣ ଏକ ଘଡ଼ି ମଧ୍ୟରେ ସେହି ମହାସମ୍ପତ୍ତି ଧ୍ୱଂସ ହୋଇଗଲା। ଆଉ ପ୍ରତ୍ୟକ ଜାହାଜ ଅଧ୍ୟକ୍ଷ ଓ ଜଳପଥରେ ଗତାୟତକାରୀ ପ୍ରତ୍ୟକ ଲୋକ ପୁଣି, ନାବିକ ଓ ସମୁଦ୍ର ବ୍ୟବସାୟୀ ସମସ୍ତେ ଦୂରରେ ଠିଆ ହୋଇ,
18ତାହାର ଅଗ୍ନିର ଧୂମ ଦେଖି ଚିତ୍କାର କରି କହିଲେ, ଏହି ମହାନଗରୀ ତୁଲ୍ୟ ଆଉ କେଉଁ ନଗରୀ ?

19ସେମାନେ ଆପଣା ଆପଣା ମସ୍ତକରେ ଧୂଳି ପକାଇ କ୍ରନ୍ଦନ ଓ ଶୋକ କରି ଚିତ୍କାର ସହ କହିଲେ, ହାୟ, ହାୟ, ମହାନଗରୀ, ସନ୍ତାପର ପାତ୍ରୀ । ତାହାର ସମୃଦ୍ଧି ଦ୍ୱାରା ସମସ୍ତ ସମୁଦ୍ରଗାମୀ ଜାହାଜର କର୍ତ୍ତାମାନେ ଧନବାନ ହୋଇଥିଲେ; ଏବେ ଏକ ଘଡ଼ି ମଧ୍ୟରେ ତାହା ଧ୍ୱଂସ ହୋଇଗଲା ।
20ହେ ସ୍ଵର୍ଗ, ହେ ସାଧୁବୃନ୍ଦ, ହେ ପ୍ରେରିତବର୍ଗ, ହେ ଭାବବାଦୀ ସମସ୍ତେ, ତୁମ୍ଭେମାନେ ତାହାର ପତନରେ ଆନନ୍ଦ କର, ଈଶ୍ୱର ତୁମ୍ଭମାନଙ୍କ ସକାଶେ ତାହାଠାରୁ ପ୍ରତିଶୋଧ ନେଇଛନ୍ତି ।
21ତତ୍ପରେ ଜଣେ ବଳବାନ ଦୂତ ଗୋଟିଏ ବୃହତ୍ ଚକିପଥର ପରି ଗୋଟିଏ ପଥର ସମୁଦ୍ରରେ ନିକ୍ଷେପ କରି କହିଲେ, ଏହିପରି ମହାବଳରେ ମହାନଗରୀ ବାବିଲ୍ ନିକ୍ଷିପ୍ତ ହେବ, ଆଉ କେବେ ହେଁ ତାହାର ଉଦ୍ଦେଶ୍ୟ ମିଳିବ ନାହିଁ ।
22ବୀଣାବାଦକ, ଗାୟକ, ବଂଶୀବାଦକ ଓ ତୁରୀବାଦକ ମାନଙ୍କର ଶବ୍ଦ ତୋ ମଧ୍ୟରେ ଆଉ କେବେ ହେଁ ଶୁଣାଯିବ ନାହିଁ, କୌଣସି ପ୍ରକାର ଶିଳ୍ପକର ତୋ ମଧ୍ୟରେ ଆଉ କେବେ ହେଁ ଦେଖାଯିବ ନାହିଁ, ଚକିପଥରର ଶଦ୍ଦ ତୋ ମଧ୍ୟରେ ଆଉ କେବେ ହେଁ ଶୁଣାଯିବ ନାହିଁ,
23ପ୍ରଦୀପର ଆଲୋକ ତୋ ମଧ୍ୟରେ ଆଉ କେବେ ହେଁ ପ୍ରଜ୍ଜ୍ୱଳିତ ହେବ ନାହିଁ, ପୁଣି, ବର କନ୍ୟାଙ୍କ ଶବ୍ଦ ତୋ ମଧ୍ୟରେ ଆଉ କେବେ ହେଁ ଶୁଣାଯିବ ନାହିଁ; କାରଣ ତୋହର ବଣିକମାନେ ପୃଥିବୀରେ ମହାନ ଥିଲେ, ଆଉ ତୋହର ମାୟାରେ ଜାତିସମୂହ ଭ୍ରାନ୍ତ ହୋଇଥିଲେ,
24ପୁଣି, ଭାବବାଦୀମାନଙ୍କର, ସାଧୁମାନଙ୍କର ଓ ପୃଥିବୀରେ ହତ ହୋଇଥିବା ସମସ୍ତଙ୍କର ରକ୍ତ ତାହା ମଧ୍ୟରେ ଦେଖାଯାଇଥିଲା ।