Text copied!
CopyCompare
ଓଡିଆ ବାଇବେଲ - ପ୍ରକାଶିତ

ପ୍ରକାଶିତ 15

Help us?
Click on verse(s) to share them!
1ତତ୍ପରେ ମୁଁ ସ୍ୱର୍ଗରେ ଆଉ ଏକ ମହା ଅଦ୍ଭୁତ ଚିହ୍ନ ଦେଖିଲି, ସପ୍ତ ଦୂତ, ସେମାନଙ୍କ ହସ୍ତରେ ସପ୍ତ କ୍ଲେଶ, ଏହା ହିଁ ଶେଷ, କାରଣ ଏହି କ୍ଲେଶ ମାନଙ୍କରେ ଈଶ୍ୱରଙ୍କ କ୍ରୋଧ ସମାପ୍ତ ।
2ଆଉ ମୁଁ ଦେଖିଲି ଯେପରି ଅଗ୍ନିମିଶ୍ରିତ ଗୋଟିଏ କାଚମୟ ସମୁଦ୍ର, ପୁଣି, ଯେଉଁମାନେ ପଶୁ, ତାହାର ପ୍ରତିମା ଓ ତାହା ନାମର ସଂଖ୍ୟା ଉପରେ ବିଜୟୀ ହୋଇଅଛନ୍ତି, ସେମାନେ ଈଶ୍ୱରଙ୍କ ବୀଣା ଧରି, ସେହି କାଚମୟ ସମୁଦ୍ର ତୀରରେ ଦଣ୍ଡାୟମାନ ହୋଇଅଛନ୍ତି ।
3ସେମାନେ ଈଶ୍ୱରଙ୍କ ଦାସ ମୋଶା ଓ ମେଷଶାବକଙ୍କ ଗୀତ ଗାନ କରି କହୁଅଛନ୍ତି, ହେ ପ୍ରଭୁ, ସର୍ବଶକ୍ତିମାନ ଈଶ୍ୱର, ତୁମ୍ଭର କର୍ମସମୂହ ମହତ ଓ ଆଶ୍ଚର୍ଯ୍ୟ; ହେ ଜାତିସମୂହର ରାଜା, ତୁମ୍ଭର ପଥସମସ୍ତ ନ୍ୟାୟ ଓ ସତ୍ୟ ।
4ହେ ପ୍ରଭୁ, କିଏ ତୁମ୍ଭକୁ ଭୟ ନ କରିବ ? କିଏ ତୁମ୍ଭ ନାମର ଗୌରବ କୀର୍ତ୍ତନ ନ କରିବ ? କାରଣ କେବଳ ତୁମ୍ଭେ ହିଁ ପବିତ୍ର; ଜାତିସମୂହ ଆସି ତୁମ୍ଭ ଛାମୁରେ ପ୍ରଣାମ କରିବେ, ଯେଣୁ ତୁମ୍ଭର ନ୍ୟାଯ୍ୟ କର୍ମସମୂହ ପ୍ରକାଶିତ ହୋଇଅଛି ।
5ଏଥିଉତ୍ତାରେ ମୁଁ ଦେଖିଲି, ସ୍ୱର୍ଗସ୍ଥ ସାକ୍ଷ୍ୟ ତମ୍ବୁର ମନ୍ଦିରର ଦ୍ୱାର ଉନ୍ମୁକ୍ତ ହେଲା,
6ଆଉ ମନ୍ଦିରରୁ ସେହି ସପ୍ତକ୍ଲେଶଧାରୀ ସପ୍ତ ଦୂତ ବାହାରି ଆସିଲେ, ସେମାନେ ମଣିଖଚିତ ନିର୍ମଳ ଓ ଉଜ୍ଜ୍ୱଳ ମସିନା ବସ୍ତ୍ର ପରିହିତ ପୁଣି, ସେମାନଙ୍କ ବକ୍ଷସ୍ଥଳ ସୁବର୍ଣ୍ଣ ପଟୁକା ବଦ୍ଧ ।
7ସେଥିରେ ଚାରି ପ୍ରାଣୀଙ୍କ ମଧ୍ୟରୁ ଗୋଟିଏ ପ୍ରାଣୀ ଅନନ୍ତଜୀବୀ ଈଶ୍ୱରଙ୍କ କ୍ରୋଧରେ ପରିପୂର୍ଣ୍ଣ ସପ୍ତ ସୁବର୍ଣ୍ଣ ପାତ୍ର ସେହି ସପ୍ତ ଦୂତଙ୍କୁ ଦେଲେ ।
8ଆଉ ଈଶ୍ୱରଙ୍କ ଗୌରବ ଓ ଶକ୍ତିର ଧୂମରେ ମନ୍ଦିର ପରିପୂର୍ଣ୍ଣ ହେଲା, ସପ୍ତ ଦୂତଙ୍କ ସପ୍ତ କ୍ଲେଶ ସମାପ୍ତ ନ ହେବା ପର୍ଯ୍ୟନ୍ତ କେହି ମନ୍ଦିରରେ ପ୍ରବେଶ କରି ପାରିଲେ ନାହିଁ ।