2ତୁମ୍ଭେ ରାଜାଜ୍ଞା ପାଳନ କର, ମୁଁ ଏହା ପରାମର୍ଶ ଦିଏ ଓ ପରମେଶ୍ୱରଙ୍କ ସାକ୍ଷାତରେ ଶପଥ କରିବା ସକାଶୁ ତାହା କର।
3ତାଙ୍କ ଛାମୁରୁ ବାହାରି ଯିବାକୁ ଚଞ୍ଚଳ ହୁଅ ନାହିଁ; କୌଣସି ମନ୍ଦ ବିଷୟର ସପକ୍ଷରେ ଠିଆ ହୁଅ ନାହିଁ; କାରଣ ଯାହା ତାଙ୍କର ଇଚ୍ଛା, ସେ ତାହା କରନ୍ତି।
4ଯେହେତୁ ରାଜାଙ୍କ ବାକ୍ୟ ପରାକ୍ରମବିଶିଷ୍ଟ; ପୁଣି, ତୁମ୍ଭେ କଅଣ କରୁଅଛ, ଏହା ତାଙ୍କୁ କିଏ କହି ପାରେ ?
5ଯେ ଆଜ୍ଞା ପାଳନ କରେ, ସେ କୌଣସି ମନ୍ଦ ବିଷୟ ଜାଣିବ ନାହିଁ; ପୁଣି ଜ୍ଞାନୀର ମନ ସମୟ ଓ ବିଚାର ଜାଣେ;
6କାରଣ ପ୍ରତ୍ୟେକ ଅଭିପ୍ରାୟ ପାଇଁ ସମୟ ଓ ବିଚାର ଅଛି; ଯେହେତୁ ମନୁଷ୍ୟର ଦୁଃଖ ତାହା ପକ୍ଷରେ ଅତିଶୟ;
7କାରଣ କଅଣ ଘଟିବ, ତାହା ସେ ଜାଣେ ନାହିଁ ଓ କିପ୍ରକାରେ ତାହା ଘଟିବ, ଏହା କିଏ ତାହାକୁ ଜଣାଇ ପାରେ ?
8ଶ୍ୱାସବାୟୁ ଅଟକାଇ ରଖିବା ପାଇଁ ଶ୍ୱାସବାୟୁ ଉପରେ କୌଣସି ମନୁଷ୍ୟର କ୍ଷମତା ନାହିଁ; କିଅବା ମରଣ ଦିନ ଉପରେ ତାହାର କିଛି କ୍ଷମତା ନାହିଁ; ପୁଣି, ସେହି ଯୁଦ୍ଧରୁ ଛାଡ଼ ନାହିଁ; ଅଥବା ଦୁଷ୍ଟତାରେ ଆସକ୍ତ ଲୋକକୁ ଦୁଷ୍ଟତା ଉଦ୍ଧାର କରିବ ନାହିଁ।
9ଏହିସବୁ ମୁଁ ଦେଖିଅଛି ଓ ସୂର୍ଯ୍ୟ ତଳେ ଯେଉଁ ପ୍ରତ୍ୟେକ କାର୍ଯ୍ୟ କରାଯାଏ, ତହିଁରେ ମୁଁ ମନୋଯୋଗ କରିଅଛି; କେବେ କେବେ ଏକ ମନୁଷ୍ୟର ଅନ୍ୟ ଉପରେ ତାହାର ଅମଙ୍ଗଳ ନିମନ୍ତେ କ୍ଷମତା ଥାଏ।