Text copied!
CopyCompare
ଓଡିଆ ବାଇବେଲ - ୧ ଯୋହନ

୧ ଯୋହନ 4

Help us?
Click on verse(s) to share them!
1ହେ ପ୍ରିୟମାନେ, ପ୍ରତ୍ୟେକ ଆତ୍ମାଙ୍କୁ ବିଶ୍ୱାସ କର ନାହିଁ, ବରଂ ଆତ୍ମାମାନେ ଈଶ୍ୱରଙ୍କଠାରୁ ଆଗତ କି ନାହିଁ, ଏହା ସେମାନଙ୍କୁ ପରୀକ୍ଷା କରି ଦେଖ, କାରଣ ଜଗତରେ ଅନେକ ଭଣ୍ଡ ଭାବବାଦୀ ବାହାରି ଅଛନ୍ତି ।
2ଏହା ଦ୍ୱାରା ତୁମ୍ଭେମାନେ ଈଶ୍ୱରଙ୍କ ଆତ୍ମାଙ୍କୁ ଚିହ୍ନି ପାରିବ, ଯୀଶୁ ଖ୍ରୀଷ୍ଟ ଯେ ଦେହବନ୍ତ ହୋଇ ଆସିଅଛନ୍ତି, ଏହା ଯେକୌଣସି ଆତ୍ମା ସ୍ୱୀକାର କରେ, ସେ ଈଶ୍ୱରଙ୍କଠାରୁ ଆଗତ,
3ଆଉ ଯେକୌଣସି ଆତ୍ମା ଯୀଶୁଙ୍କୁ ସ୍ୱୀକାର ନ କରେ, ସେ ଈଶ୍ୱରଙ୍କଠାରୁ ଆଗତ ନୁହେଁ; ଏହା ଭଣ୍ଡଖ୍ରୀଷ୍ଟର ଆତ୍ମା, ଯାହାର ଆଗମନ କଥା ତୁମ୍ଭେମାନେ ଶୁଣିଅଛ, ପୁଣି, ତାହା ଏବେ ହେଁ ଜଗତରେ ଉପସ୍ଥିତ ହୋଇଅଛି ।
4ହେ ବତ୍ସଗଣ, ତୁମ୍ଭେମାନେ ଈଶ୍ୱରଙ୍କଠାରୁ ଜାତ, ଆଉ ତୁମ୍ଭେମାନେ ସେମାନଙ୍କୁ ଜୟ କରିଅଛ, କାରଣ ତୁମ୍ଭମାନଙ୍କଠାରେ ଯେ ଅଛନ୍ତି, ସେ, ଜଗତରେ ଯେ ଅଛି, ତାହାଠାରୁ ମହାନ ।
5ସେମାନେ ଜଗତରୁ ଉତ୍ପନ୍ନ, ଅତଏବ ସେମାନେ ଜାଗତିକ କଥା କହନ୍ତି, ଆଉ ଜଗତ ସେମାନଙ୍କ କଥା ଶୁଣେ ।
6କିନ୍ତୁ ଆମ୍ଭେମାନେ ଈଶ୍ୱରଙ୍କଠାରୁ ଜାତ; ଯେ ଈଶ୍ୱରଙ୍କୁ ଜାଣେ, ସେ ଆମ୍ଭମାନଙ୍କ କଥା ଶୁଣେ; ଯେ ଈଶ୍ୱରଙ୍କଠାରୁ ଜାତ ନୁହେଁ, ସେ ଆମ୍ଭମାନଙ୍କ କଥା ଶୁଣେ ନାହିଁ। ଏତଦ୍ୱାରା ଆମ୍ଭେମାନେ ସତ୍ୟମୟ ଆତ୍ମା ଓ ଭ୍ରାନ୍ତିପୂର୍ଣ୍ଣ ଆତ୍ମାକୁ ଚିହ୍ନି ପାରୁ ।
7ହେ ପ୍ରିୟମାନେ, ଆସ, ଆମ୍ଭେମାନେ ପରସ୍ପରକୁ ପ୍ରେମ କରୁ, କାରଣ ପ୍ରେମ ଈଶ୍ୱରଙ୍କଠାରୁ ଜାତ, ଆଉ ଯେ କେହି ପ୍ରେମ କରେ, ସେ ଈଶ୍ୱରଙ୍କଠାରୁ ଜାତ ଓ ଈଶ୍ୱରଙ୍କୁ ଜାଣେ ।
8ଯେ ପ୍ରେମ କରେ ନାହିଁ, ସେ ଈଶ୍ୱରଙ୍କୁ ଜାଣେ ନାହିଁ, କାରଣ ଈଶ୍ୱର ତ ପ୍ରେମ ।
9ଏଥିରେ ହିଁ ଈଶ୍ୱରଙ୍କ ପ୍ରେମ ଆମ୍ଭମାନଙ୍କ ପ୍ରତି ପ୍ରକାଶିତ ହୋଇଅଛି ଯେ, ସେ ଆପଣାର ଅଦ୍ୱିତୀୟ ପୁତ୍ରଙ୍କୁ ଜଗତକୁ ପ୍ରେରଣ କଲେ, ଯେପରି ଆମ୍ଭେମାନେ ତାହାଙ୍କ ଦ୍ୱାରା ଜୀବନ ପ୍ରାପ୍ତ ହେଉ ।
10ଆମ୍ଭେମାନେ ଯେ ଈଶ୍ୱରଙ୍କୁ ପ୍ରେମ କଲୁ, ତାହା ନୁହେଁ, ମାତ୍ର ସେ ଆମ୍ଭମାନଙ୍କୁ ପ୍ରେମ କଲେ, ପୁଣି, ଆପଣା ପୁତ୍ରଙ୍କୁ ଆମ୍ଭମାନଙ୍କ ପାପର ପ୍ରାୟଶ୍ଚିତ୍ତ ସ୍ୱରୂପ କରି ପଠାଇଲେ; ଏଥିରେ ତ ପ୍ରେମ ପ୍ରକାଶ ପାଏ
11ହେ ପ୍ରିୟମାନେ, ଈଶ୍ୱର ଯଦି ଆମ୍ଭମାନଙ୍କୁ ଏପରି ପ୍ରେମ କଲେ, ତେବେ ଆମ୍ଭମାନଙ୍କର ମଧ୍ୟ ପରସ୍ପରକୁ ପ୍ରେମ କରିବା ଉଚିତ ।
12କେହି କେବେ ଈଶ୍ୱରଙ୍କୁ ଦେଖି ନାହିଁ; ଆମ୍ଭେମାନେ ଯଦି ପରସ୍ପରକୁ ପ୍ରେମ କରୁ, ତାହାହେଲେ ଈଶ୍ୱର ଆମ୍ଭମାନଙ୍କଠାରେ ଅଛନ୍ତି ଓ ତାହାଙ୍କ ପ୍ରେମ ଆମ୍ଭମାନଙ୍କଠାରେ ସିଦ୍ଧ ହୋଇଅଛି ।
13ଆମ୍ଭେମାନେ ଯେ ତାହାଙ୍କଠାରେ ଅଛୁ ଓ ସେ ଆମ୍ଭମାନଙ୍କଠାରେ ଅଛନ୍ତି, ଏହା ଆମ୍ଭେମାନେ ଜାଣୁ, କାରଣ ସେ ଆମ୍ଭମାନଙ୍କୁ ଆପଣା ଆତ୍ମାଙ୍କର ସହଭାଗିତା ଦାନ କରିଅଛନ୍ତି ।
14ପିତା ଯେ ପୁତ୍ରଙ୍କୁ ଜଗତର ତ୍ରାଣକର୍ତ୍ତା ହେବା ନିମନ୍ତେ ପ୍ରେରଣ କରିଅଛନ୍ତି, ଏହା ଆମ୍ଭେମାନେ ଦେଖିଅଛୁ ଓ ସାକ୍ଷ୍ୟ ଦେଉଅଛୁ ।
15ଯେ କେହି ଯୀଶୁଙ୍କୁ ଈଶ୍ୱରଙ୍କ ପୁତ୍ର ବୋଲି ସ୍ୱୀକାର କରେ, ଈଶ୍ୱର ତାହାଠାରେ ଅଛନ୍ତି ଓ ସେ ଈଶ୍ୱରଙ୍କଠାରେ ଅଛି ।
16ପୁଣି, ଆମ୍ଭମାନଙ୍କ ପ୍ରତି ଈଶ୍ୱରଙ୍କର ଯେଉଁ ପ୍ରେମ ଅଛି, ତାହା ଆମ୍ଭେମାନେ ଜାଣିଅଛୁ ଓ ବିଶ୍ୱାସ କରିଅଛୁ । ଈଶ୍ୱର ତ ପ୍ରେମ; ଯେ ପ୍ରେମରେ ରହେ, ସେ ଈଶ୍ୱରଙ୍କଠାରେ ରହେ ଓ ଈଶ୍ୱର ତାହାଠାରେ ରହନ୍ତି ।
17ଏଥିରେ ପ୍ରେମ ଆମ୍ଭମାନଙ୍କ ମଧ୍ୟରେ ସିଦ୍ଧ ହୋଇଅଛି ଯେ, ବିଚାର ଦିନରେ ଆମ୍ଭେମାନେ ସାହସ ପ୍ରାପ୍ତ ହେବୁ, କାରଣ ସେ ଯେପରି ଅଛନ୍ତି, ଆମ୍ଭେମାନେ ମଧ୍ୟ ଏହି ଜଗତରେ ସେହିପରି ଅଛୁ ।
18ପ୍ରେମରେ ଭୟ ନ ଥାଏ, କିନ୍ତୁ ସିଦ୍ଧ ପ୍ରେମ ଭୟକୁ ଦୂର କରେ, କାରଣ ଭୟ ଦଣ୍ଡ ସହିତ ସଂଯୁକ୍ତ, ଆଉ ଯେ ଭୟ କରେ, ସେ ପ୍ରେମରେ ସିଦ୍ଧ ନୁହେଁ ।

19ସେ ପ୍ରଥମରେ ଆମ୍ଭମାନଙ୍କୁ ପ୍ରେମ କରିବାରୁ ଆମ୍ଭେମାନେ ପ୍ରେମ କରୁ ।
20ଈଶ୍ୱରଙ୍କୁ ପ୍ରେମ କରୁଅଛି ବୋଲି କହି ଯଦି କେହି ଆପଣା ଭାଇକୁ ଘୃଣା କରେ, ତାହାହେଲେ ସେ ମିଥ୍ୟାବାଦୀ, ଯେଣୁ ଯେଉଁ ଭାଇକୁ ଦେଖିଅଛି, ଯଦି ତାହାକୁ କେହି ପ୍ରେମ ନ କରେ, ତାହାହେଲେ ଯେଉଁ ଈଶ୍ୱରଙ୍କୁ ସେ ଦେଖି ନାହିଁ, ତାହାଙ୍କୁ ପ୍ରେମ କରି ପାରେ ନାହିଁ ।
21ଯେ ଈଶ୍ୱରଙ୍କୁ ପ୍ରେମ କରେ, ସେ ଆପଣା ଭାଇକୁ ମଧ୍ୟ ପ୍ରେମ କରୁ, ଏହି ଆଜ୍ଞା ଆମ୍ଭେମାନେ ତାହାଙ୍କଠାରୁ ପାଇଅଛୁ ।